ପାଣି ଭିତରେ ଗଡ଼ିଲା ମେଟ୍ରୋ ଟ୍ରେନ୍; ଲୋକାର୍ପିତ ହେଲା ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ

ଓଏଲ୍ ବ୍ୟୁରୋ: ପାଣି ଭିତରେ ଗଡ଼ିଲା ମେଟ୍ରୋ ଟ୍ରେନ୍। ବିଦେଶରେ ପାଣି ଭିତରେ ଟ୍ରେନ୍ ଚାଲୁଥିବା ଆପଣ ଦେଖିଥିବେ। ଏବେ ଭାରତରେ ଏହା ସତ ହୋଇଛି। ଲୋକାର୍ପିତ ହେଲା ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ଟ୍ରେନ୍। ଆଜି ପଶ୍ଚିମବଙ୍ଗରେ ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସବୁଜ ପତାକା ଦେଖାଇ ଏହି ଅଣ୍ଡରୱାଟର ମେଟ୍ରୋକୁ ଉଦଘାଟନ କରିଛନ୍ତି ମୋଦୀ। ସହରୀ ଗତିଶୀଳତା ଓ ସଯୋଂଗୀକରଣ କ୍ଷେତ୍ରରେ ଏହା ଏକ ନୂଆ ମାଇଲଖୁଂଟ ହେବ।
ସୂଚନା ଅନୁସାରେ, ଅଣ୍ଡରୱାଟର ମେଟ୍ରୋ ହୁଗଳୀ ନଦୀ ଭିତରେ ହାୱଡ଼ା ଓ କୋଲକାତାକୁ ଯୋଡ଼ିବ। କୋଲକାତା ମେଟ୍ରୋର ସମ୍ପ୍ରସାରଣ କରାଯାଇଥିବା ବେଳେ ହାୱଡା ମୈଦାନ-ଏସପ୍ଲାନେଡ ଯାଏ ନଦୀ ଭିତରେ ଏହି ଅଣ୍ଡର ୱାଟର ମେଟ୍ରୋ ପ୍ରକଳ୍ପର ନିର୍ମାଣ କରାଯାଇଛି। ଗ୍ରୀନ ଲାଇନରେ ଆସୁଥିବା ଏହି ଅଣ୍ଡର ୱାଟର ମେଟ୍ରୋ ଟନେଲର ଲମ୍ବ ପ୍ରାୟ ୧୬ କିଲୋମିଟର। ଏହି ଟନେଲ ଭୁପୃଷ୍ଠରୁ ପ୍ରାୟ ୧୨୦ଫୁଟ ତଳେ ରହିଛି। ଏହି ପ୍ରକଳ୍ପ ଲୋକାର୍ପଣ ପରେ ହାୱଡା ମେଟ୍ରୋ ଷ୍ଟେସନ ଦେଶର ପ୍ରଥମ ଏବଂ ଗଭୀରତମ ମେଟ୍ରୋ ଷ୍ଟେସନ ପାଲଟିଛି। ଦେଶରେ ପ୍ରଥମ ଅଣ୍ଡରୱାଟର ମେଟ୍ରୋ ହୋଇଥିବାବେଳେ ବିଶ୍ୱରେ ଏହା ତୃତୀୟ ଅଣ୍ଡରୱାଟର ମେଟ୍ରୋ ଭାବେ ପରିଗଣିତ ହୋଇଛି।