Odisha Link
Bridging the Missing Links in Odisha

ମେଣ୍ଟ ଚର୍ଚ୍ଚା: ଅମିତ ଶାହ କହିଲେ-ଏବେ ବି…..

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ବାଜିସାରିଲାଣି ନିର୍ବାଚନ ବିଗୁଲ। ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଲୋକସଭା ନିର୍ବାଚନ। ଓଡ଼ିଶାରେ ଏକା ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଥିବାରୁ ସାରା ଦେଶରେ ନଜର ରହିଛି। ଏପରିକି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେବ ବୋଲି ଚର୍ଚ୍ଚା ହେଉଛି। ଏସବୁ ମଧ୍ୟରେ ବିଜେଡିର ଟାଣୁଆ ନେତା ଭି.କେ ପାଣ୍ଡିଆନ ମେଣ୍ଟକୁ ନେଇ ବଡ଼ ସୂଚନା ଦେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବଡ ବୟାନ ଦେଇଛନ୍ତି।

ଓଡ଼ିଶାରେ ବିଜେପି ସରକାର ଗଠନ କରିବ କି? ବୋଲି ପ୍ରଶ୍ନରେ ଶାହ କହିଛନ୍ତି ଯେ, ପ୍ରଥମେ ଆମେ ବିଜେଡି ସହ ମେଣ୍ଟ କରି ନିର୍ବାଚନ ଲଢିବୁ, ନା ଏକାକୀ ନିର୍ବାଚନ ଲଢିବୁ ସେ ନେଇ ନିଷ୍ପତ୍ତି ହେଇଯାଉ। ଯଦି ଆମେ ଏକାକୀ ନିର୍ବାଚନ ଲଢୁ ତେବେ ଆମେ ନିଶ୍ଚୟ ସରକାର ଗଠନ କରିବାକୁ ଲଢିବୁ। ଆଉ ଯଦି ବିଜେଡି ସହ ମେଣ୍ଟ ହେଲା, ତେବେ ସାଥୀ ହେଇ ନିର୍ବାଚନ ଲଢିବୁ। ଏଥିସହିତ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ମେଣ୍ଟକୁ ନେଇ ଦେଇଥିବା ଟିପ୍ପଣୀ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଶାହ। ସେ କହିଛନ୍ତି, ସବୁ ମେଣ୍ଟ ଆବଶ୍ୟକତା ପାଇଁ ହୁଏନି। ଅନେକ ସମୟରେ ଅନେକ ଦଳ ଆମକୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଇଛନ୍ତି। ରାଷ୍ଟ୍ରର ହିତ ପାଇଁ ଆମକୁ ଅନେକ ଦଳ ସମର୍ଥନ ଦେଇଛନ୍ତି। ଏହାରି ଗଣତନ୍ତ୍ରର ସୁନ୍ଦରତା ବୋଲି ଶାହା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ବିଜେଡି-ବିଜେପି ମେଣ୍ଟ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନେଇ ନିଷ୍ପତ୍ତି ନେବେ। ଓଡ଼ିଶା ଲୋକଙ୍କର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଭଲପାଇବା ଅଛି। ଏଥର ନିର୍ବାଚନରେ ବିଜେପି ଆହୁରି ଅଧିକ ସଶକ୍ତ ହେବ। ନିଶ୍ଚିତରୂପେ ଓଡିଶାର ବିଧାନସଭା ଓ ଲୋକସଭା ସିଟରେ ବିଜେପିର ସିଟ୍ ବଢିବ ବୋଲି ସେ ଦୃଢୋକ୍ତି ଦେଖାଇଛନ୍ତି।

ସୂଚନା ଅନୁସାରେ, ଜାତୀୟ ଗଣମାଧ୍ୟମ ସଂସ୍ଥା ନେଟଓ୍ବାର୍କ ୧୮ର କନକ୍ଲେଭରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଯୋଗ ଦେଇଥିଲେ। ଆଲୋଚନା ସମୟରେ ସେ ମେଣ୍ଟ ପ୍ରସଙ୍ଗରେ କହିଥିଲେ, ସରକାର ଗଠନ ପାଇଁ ବିଜୁ ଜନତା ଦଳକୁ ମେଣ୍ଟର ଆବଶ୍ୟକତା ନାହିଁ। ବିଜୟ ପାଇଁ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦିଙ୍କୁ ମେଣ୍ଟର ଆବଶ୍ୟକତା ନାହିଁ। ଦେଶରେ ନରେନ୍ଦ୍ର ମୋଦି ଓ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାର ହେବ। ଆଗକୁ କ’ଣ ହେବ ଖୁବଶୀଘ୍ର ଜଣାପଡ଼ିବ ବୋଲି ପାଣ୍ଡିଆନ୍‌ କହିଥିଲେ।

ସେ ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତମ ରାଜନେତା। ଉଭୟେ ଉତ୍ତମ ବନ୍ଧୁ। ମୁଁ କେବଳ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ନେଇ କାମ କରୁଛି। ନବୀନ ପଟ୍ଟନାୟକ ହେଉଛନ୍ତି ମୋ ଗୁରୁ। ସେ ଗଣତନ୍ତ୍ର ପଦ୍ଧତିରେ ସର୍ବାଧିକ ଥର ଜିତିଥିବା ନେତା। କେବଳ ଦେଶରେ ନୁହେଁ ବିଦେଶରେ ବି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅତୁଳନୀୟ ବୋଲି ପାଣ୍ଡିଆନ କହିଥିଲେ।

Leave A Reply

Your email address will not be published.