ଓଡ଼ିଶାରେ ବଢୁଛି ତାତି; ହୁ ହୁ ହୋଇ ଜଳୁଛି ଜଙ୍ଗଲ

ଓଏଲ୍ ବ୍ୟୁରୋ: ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ସାରା ରାଜ୍ୟରେ ପରିଲକ୍ଷିତ ହୋଇଛି ଅସମ୍ଭାଳ ତାତି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏପରି ତାତି ଲାଗି ରହିପାରେ। ୧୪ ଜିଲ୍ଲାକୁ ହିଟ୍ୱେଭ୍ ୱାର୍ଣ୍ଣିଂ ଦିଆଯାଇଛି। ଗ୍ରୀଷ୍ମ ଆରମ୍ଭରୁ ଜଙ୍ଗଲରେ ନିଆଁ ଲାଗି ଅଗ୍ନୀକାଣ୍ଡରେ ମୂଲ୍ୟବାନ ଗଛ ପୋଡି ପାଉଁଶ ହେବା ସାଙ୍ଗକୁ ବନ୍ୟାପ୍ରାଣୀଙ୍କ ଜୀବନ ମଧ୍ୟ ଯାଉଛି। ନବରଙ୍ଗପୁର ଉମରକୋଟ ତହୋରା ପଞ୍ଚାୟତ ପଦମଝରୀ ଠାରୁ ଅର୍ଜୁନ ପାଣି ଯିବା ରାସ୍ତାରେ କଡ଼ରେ ଥିବା ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଦୁଇ ଦିନ ହେଲା ଜଙ୍ଗଲ ଜଳୁଥିବା ବେଳେ ଅଗ୍ନୀଶମ ବିଭାଗ ପାଖରେ ଖବର ନଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଅନ୍ୟପଟେ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ତଥା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ସପ୍ତାହେ ହେଲା ହୁ ହୁ ହୋଇ ନିଆଁ ଜଳୁଛି। ଫଳରେ ବହୁ ଗଛଲତା ପୋଡ଼ି ଗଲାଣି। ଢେପଗୁଡ଼ା ଜଙ୍ଗଲରେ ଏକ ସପ୍ତାହ ହେଲା ନିଆଁ ଲାଗିଛି। ଏଥିରେ ବହୁ ବୃକ୍ଷଲତା ପୋଡ଼ି ଗଲାଣି। ବନ୍ୟପ୍ରାଣୀମାନେ ବି ବିପଦରେ ପଡ଼ିଛନ୍ତି। କିନ୍ତୁ ନିଆଁ ଲିଭାଇବା ପାଇଁ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବିଭାଗୀୟ ଅଧିକାରୀ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।