Odisha Link
Bridging the Missing Links in Odisha

ପୁଣି ଆଉ ଏକ ଯୁଦ୍ଧ ଆଶଙ୍କା, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଛି ତିକ୍ତତା

ଓଏଲ୍ ବ୍ୟୁରୋ: ପୁଣି ଆଉ ଏକ ଯୁଦ୍ଧ ଆଶଙ୍କା ଭୟ ସୃଷ୍ଟି କରିଛି। ଶନିବାର ଇରାନର ରିଭୋଲ୍ୟୁସନାରୀ ଗାର୍ଡ ସୈନ୍ୟମାନେ ୟୁଏଇ ଉପକୂଳ ହର୍ମୋଜ୍‌ ପ୍ରଣାଳୀରେ ଇସ୍ରାଏଲର ଏକ ପଣ୍ୟବାହୀ ଜାହାଜ ‘ଏମସିଏସ୍‌ ଏରିଜ୍‌’କୁ ଅଟକାଇବା ପରେ ଏହି ସ୍ଥିତି ଚରମ ସୀମାରେ ଉପନୀତ ହୋଇଛି। ଇରାନ ପକ୍ଷରୁ ଡ୍ରୋନ୍‌ କିମ୍ବା କ୍ଷେପଣାସ୍ତ୍ର ସାହାଯ୍ୟରେ ଇସ୍ରାଏଲର ସୀମିତ ଅଞ୍ଚଳରେ ଆକ୍ରମଣ କରାଯାଇପାରେ ବୋଲି ହ୍ବାଇଟ ହାଉସ ପକ୍ଷରୁ ଆଶଙ୍କା କରାଯାଉଛି।

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବା ପରେ ଭାରତର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଭାରତ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି ଉଭୟ ଦେଶକୁ ସଂଯମତା ଅବଲମ୍ବନ କରିବାକୁ ନିବେଦନ କରିଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଶତ୍ରୁତା ଯୋଗୁଁ ଆମେ ଗଭୀର ଭାବେ ଚିନ୍ତିତ। ଏହି ଯୁଦ୍ଧର ଅଞ୍ଚଳରେ ଶାନ୍ତି ଏବଂ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିଛି। ଆମେ ତୁରନ୍ତ ଡି-ଏସ୍କାଲେସନ୍, ସଂଯମତା ଏବଂ କୂଟନୈତିକ ପଥକୁ ଫେରିବା ପାଇଁ ଆହ୍ୱାନ କରୁଛୁ। ବୈଦେଶିକ ମନ୍ତ୍ରଣାଳୟ ଏହାର ବିବୃତ୍ତିରେ କହିଛି ଯେ ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ। ଏହି ଅଞ୍ଚଳରେ ଆମର ଦୂତାବାସ ଭାରତୀୟ ସମ୍ପ୍ରଦାୟ ସହିତ ଯୋଗାଯୋଗରେ ଅଛି। ଏହି ଅଞ୍ଚଳରେ ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖିବା ଜରୁରୀ ଅଟେ।

ଅନ୍ୟପଟେ, ସିରିଆର ଇରାନ କନସୁଲେଟ ଉପରେ ଏପ୍ରିଲ ୧ରେ ହୋଇଥିବା ବିମାନ ଆକ୍ରମଣରେ ଦୁଇଜଣ ଇରାନ ଜେନେରାଲଙ୍କ ମୃତ୍ୟୁ ପରେ ଇରାନ ପ୍ରତିଶୋଧ ନେଇଥିଲା। ଏହି ଆକ୍ରମଣ ପଛରେ ଇରାନ ଇସ୍ରାଏଲର ଅଭିଯୋଗ କରିଛି। ତେବେ ଇସ୍ରାଏଲ ଏହାର ଉତ୍ତର ଦେଇ ନାହିଁ। ଦେଶର ୧୯୭୯ ଇସଲାମିକ ବିପ୍ଳବ ପରେ ଆରମ୍ଭ ହୋଇଥିବା ଦଶନ୍ଧିର ଶତ୍ରୁତା ପରେ ଇରାନ ପ୍ରଥମ ଥର ପାଇଁ ଇସ୍ରାଏଲ ଉପରେ ଆକ୍ରମଣ କରିଛି। ଆମେରିକା, ମିଳିତ ଜାତିସଂଘ, ଫ୍ରାନ୍ସ, ବ୍ରିଟେନ ଇତ୍ୟାଦି ଦେଶ ଇରାନର ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି।

ଇସ୍ରାଏଲ ଓ ଇରାନ ମଧ୍ୟରେ ଉପୁଜିଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ମଧ୍ୟପ୍ରାଚ୍ୟ ରାଜନୀତି ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଇସ୍ରାଏଲକୁ ସମସ୍ତ ପ୍ରକାର ସାମରିକ ସହାୟତା ପ୍ରଦାନ କରିବାକୁ ଆମେରିକା ଘୋଷଣା କରିଥିବାବେଳେ ମଧ୍ୟପ୍ରାଚ୍ୟ ଅଞ୍ଚଳକୁ ଯୁଦ୍ଧ ଜାହାଜ ପଠାଇଥିବା ଜଣାପଡିଛି। ଇତିମଧ୍ୟରେ ଆମେରିକା ନୌବାହିନୀର ଦୁଇଟି ବିଧ୍ବଂସୀ ଜାହାଜ ଯଥାକ୍ରମେ ଭୂମଧ୍ୟ ସାଗର ଏବଂ ଲୋହିତ ସାଗରରେ ପହଞ୍ଚିଥିବା ଜଣାପଡିଛି। ୨୦୦୦ କିମି ଦୂରତାରେ ଥିବା ଲକ୍ଷ୍ୟକୁ ଭେଦ କରିପାରୁଥିବା କ୍ଷେପଣାସ୍ତ୍ରକୁ ଏହି ଜାହାଜରେ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ ଯେ, ପ୍ରାୟ ଦୁଇ ସପ୍ତାହ ପୂର୍ବେ ଇସ୍ରାଏଲ ପକ୍ଷରୁ ସିରିୟା ରାଜଧାନୀ ଦାମାସ୍କସ୍‌ରେ ଥିବା ଇରାନ ଦୂତାବାସ ଉପରେ ଆକାଶମାର୍ଗରୁ ବୋମାମାଡ କରାଯିବା ଫଳରେ ଇରାନର ଦୁଇଜଣ ଜେନେରାଲଙ୍କ ସମେତ ମୋଟ ୭ ଜଣ ପ୍ରାଣ ହରାଇଥିଲେ। ଏହି ଆକ୍ରମଣ ଘଟଣାକୁ ଇରାନ ଗୁରୁତ୍ବର ସହ ଗ୍ରହଣ କରି ଇସ୍ରାଏଲ ଉପରେ ଆକ୍ରମଣ କରିବ ବୋଲି ଘୋଷଣା କରିସାରିଛି। ହେଜବୋଲ୍ଲା ଆତଙ୍କବାଦୀମାନେ ଇରାନ ବ୍ୟତୀତ ୟେମେନ, ସିରିୟା, ଲେବାନନ ଓ ଇରାକରେ ସକ୍ରିୟ ରହିଛନ୍ତି। ଗତବର୍ଷ ଅକ୍ଟୋବରରୁ ଇସ୍ରାଏଲ ଓ ହମାସ୍‌ (ପାଲେଷ୍ଟାଇନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ) ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଏହା ଥମିବାର ନାଁ ନେଉନାହିଁ। ଇସ୍ରାଏଲ ଆକ୍ରମଣରେ ପାଲେଷ୍ଟାଇନର ଗାଜା ଉପତ୍ୟକା ଶ୍ମଶାନ ପାଲଟିଥିବାବେଳେ ଏପର୍ଯ୍ୟନ୍ତ ୩୪ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇସାରିଲେଣି।

Leave A Reply

Your email address will not be published.