ଅସହ୍ୟ ତାତି: ରାଜ୍ୟରେ ୩ ଦିନ ପାଇଁ ସ୍କୁଲ ଛୁଟି

ଓଏଲ୍ ବ୍ୟୁରୋ: ପୁଣି କଲବଲ କଲାଣି ତାତି। ଗତ କିଛି ଦିନ ଧରି ଥଣ୍ଡା ଓ କୋହଲା ପାଗ ପରେ ତାତି ବୃଦ୍ଧି ପାଇଛି। ଆଜି ଓ ୧୮ ତାରିଖ ବେଳକୁ ଗ୍ରୀଷ୍ମ ପ୍ରବାହ ଅସମ୍ଭାଳ ହୋଇପାରେ। ୪୩ ରୁ ୪୫ ଡିଗ୍ରୀ ତାପମାତ୍ରା ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ହୋଇଛି। ତାତିକୁ ନଜରରେ ରଖି ୧୬ ଜିଲ୍ଲାକୁ ହିଟ୍ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି।
କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ , ଯାଜପୁର, କନ୍ଧମାଳ, ମାଲକାନଗିରି, କୋରାପୁଟ, ଅନୁଗୁଳକୁ ସତର୍କ ରହିବାକୁ ପାଣିପାଗ ବିଭାଗ ଚେତାବନୀ ଦେଇଛି। ପ୍ରବଳ ତାତିକୁ ନଜରରେ ରଖି ରାଜ୍ୟରେ ୩ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଏପ୍ରିଲ ୧୮ ରୁ ୨୦ ତାରିଖ ଯାଏଁ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।