ଅଯୋଧ୍ୟାରେ କିପରି କରାଯିବ ପ୍ରଭୁ ଶ୍ରୀରାମଙ୍କ ସୂର୍ଯ୍ୟତିଳକ; ଜାଣନ୍ତୁ ଏହି ବିଶେଷ କଥା…

ଓଏଲ୍ ବ୍ୟୁରୋ: ଆଜି ପବିତ୍ର ରାମନବମୀ। ୫ ଶହ ବର୍ଷ ପରେ ଭବ୍ୟ ହେବ ରାମଲାଲାଙ୍କ ଜନ୍ମୋତ୍ସବ। ବାଲକ୍ ରାମଙ୍କ ସୂର୍ଯ୍ୟ ତିଳକକୁ ଅଗଣିତ ରାମଭକ୍ତ ଅପେକ୍ଷା କରିଛନ୍ତି। ଆଜି ପ୍ରଭୁ ରାମ ଚନ୍ଦ୍ରଙ୍କ ଜନ୍ମତ୍ସୋବ। ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ। ଚୈତ୍ର ଶୁକ୍ଳ ନବମୀ ରାମ ନବମୀ ରୂପେ ପରିଚିତ। ତେବେ ପ୍ରଭୁଙ୍କ ଜନ୍ମଦିନକୁ ପ୍ରତିବର୍ଷ ପାଳନ କରାଯାଏ। ସମସ୍ତ ପୀଠର ଭକ୍ତମାନେ ପ୍ରଭୁଙ୍କ ପୂଜାର୍ଚ୍ଚନା କରିଥାନ୍ତି।
ରାମଙ୍କ ନଗରୀରେ ସୂର୍ଯ୍ୟତିଳକ ବେଳେ ଦେଖିବାକୁ ମିଳିବ ଅଭୁତ ଦୃଶ୍ୟ। ରାମଲାଲାଙ୍କ ମସ୍ତକରେ ୪ ମିନିଟ ଯାଏଁ ପଡିବ ସୂର୍ଯ୍ୟଙ୍କ କିରଣ। ବିଜ୍ଞାନର ଫର୍ମୁଲା ଅନୁସାରେ ଏହା କରାଯିବ। ବୈଜ୍ଞାନିକ ଏ ନେଇ ଗବେଷଣା କରିଛନ୍ତି ଓ ବିଗତ ଦିନରେ ଏହାର ଟ୍ରାଏଲ ବି କରାଯାଇଛି। ଆଜି ହେଉଛି ଭକ୍ତଙ୍କ ପାଇଁ ଅମୃତବେଳା। ଶ୍ରୀରାମ ଜନ୍ମୋତ୍ସବର ପ୍ରତ୍ୟେକ ପ୍ରକ୍ରିୟା ଅବିସ୍ମରଣୀୟ ହେବାକୁ ଯାଉଛି। ଦିନ ୧୨ଟାରେ ଶ୍ରୀରାମଙ୍କ ଜନ୍ମ ହେବ ଓ ମର୍ଯ୍ୟାଦାପୁରୁଷଙ୍କ ମସ୍ତକରେ ସୂର୍ଯ୍ୟତିଳକ କରାଯିବ।
କେମିତି ହେବ ବୈଜ୍ଞାନିକ ଉପାୟରେ ଶ୍ରୀରାମଙ୍କ ସୂର୍ଯ୍ୟତିଳକ?
ରାମନବମୀରେ ସୂର୍ଯ୍ୟକିରଣ ମନ୍ଦିରର ତୃତୀୟ ମହଲାରେ ଲାଗିଥିବା ପ୍ରଥମ ଦର୍ପଣରେ ପଡିବ। ଏହି ସୂର୍ଯ୍ୟକିରଣ ପ୍ରତିଫଳିତ ହୋଇ ପିତ୍ତଳର ପାଇପରେ ପ୍ରବେଶ କରିବ। ପିତ୍ତଳ ପାଇପରେ ଲାଗିଥିବା ଦ୍ୱିତୀୟ ଦର୍ପଣରେ ପଡି ୯୦ ଡିଗ୍ରୀରେ ପୁଣି ପ୍ରତିଫଳିତ ହୋଇଯିବ। ପୁଣି ପିତ୍ତଳ ପାଇପରେ ଯାଇ ଏହି କିରଣ ୩ଟି ଅଲଗା ଅଲଗା ଲେନ୍ସରେ ଯିବ। ଏହା ପରେ ଲମ୍ବା ପାଇପରେ ଗର୍ଭଗୃହର ଲାଗିଥିବା ଦର୍ପଣରେ ପଡିବ। ଗର୍ଭଗୃହ ଦର୍ପଣରେ ପଡିବା ପରେ ଏହି କିରଣ ରାମଲାଲାଙ୍କ ମସ୍ତକରେ ୭୫ ମିଲିମିଟରର ଗୋଲାକାର ତିଳକ ଲଗାଇବ। ପ୍ରାୟ ୪ ମିନିଟ ଯାଏଁ ଏହି ପ୍ରକ୍ରିୟା ଚାଲିବ ବୋଲି ସୂଚନା ରହିଛି।