Odisha Link
Bridging the Missing Links in Odisha

ପରଲୋକରେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ସଚ୍ଚି ଦାସ

ଓଏଲ୍‌ ବ୍ୟୁରୋ: ଆଉ ନାହାଁନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନପ୍ରାପ୍ତ ଜଣେ ଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ ଏବଂ ଅଭିନେତା ସଚ୍ଚି ଦାସ। ଓଡ଼ିଶା ଯାତ୍ରା ଜଗତର ଭୀଷ୍ମ ପିତାମହ ଭାବେ ଜଣାଶୁଣା ସଚ୍ଚି ଦାସ। ସଚ୍ଚି ଦାସଙ୍କ ଦେହାନ୍ତ ପରେ ନାଟ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ସେ ୫୦୦ରୁ ଉର୍ଦ୍ଧ୍ୱ ଯାତ୍ରା ସହିତ, ୧୦୦ରୁ ଉର୍ଦ୍ଧ୍ୱ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି। ୪୦୦ରୁ ଅଧିକ ଯାତ୍ରା ଓ ନାଟକ ସେ ନିଜେ ରଚନା କରିଛନ୍ତି।

ପିତା ଭଗିରଥ ଦାସ ଓ ମାତା ପ୍ରିୟମ୍ବଦା ଦେବୀଙ୍କ ସନ୍ତାନ ସଚ୍ଚି, ୧୯୩୬ ମସିହାରେ ଯାଜପୁର ଜିଲ୍ଲାର ବରୀଠାରେ ଜନ୍ମଗ୍ରହଣ କରିଥିଲେ। ପିତା ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ। ମାତା ପ୍ରିୟମ୍ବଦା ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସଚ୍ଚିଙ୍କର ଅଭିନୟ ଗାଁ ମଞ୍ଚରୁ ଆରମ୍ଭ ହୋଇଥିଲା। ନାଟକର ନାଁ ଥିଲା “ଟିପଚିହ୍ନ”। ଛାତ୍ରାବସ୍ଥାରେ ସେ ଗୁରୁ “ଶ୍ୟାମସୁନ୍ଦର ଧୀର”ଙ୍କଠାରୁ ଶାସ୍ତ୍ରୀୟ ଗାୟନ ଓ ତବଲା ବାଦନ ଶିକ୍ଷା କରିଥିଲେ। ୧୯୫୮ ମସିହାରେ ସେ “ଜନତା ରଙ୍ଗମଞ୍ଚ” ସହିତ ଜଡ଼ିତ ହୋଇଥିଲେ।

ଓଡ଼ିଶା ନାଟ୍ୟମଞ୍ଚର ଅପ୍ରତିଦ୍ୱନ୍ଦ୍ୱୀ ଅଭିନେତା ଓ ନିର୍ଦ୍ଦେଶକ ଭାବେ ଜଣାଶୁଣା ସଚ୍ଚି ଦାସ। ରେଭେନ୍‌ସା କଲେଜିଏଟ୍ ସ୍କୁଲ ଓ ରେଭେନ୍‌ସା କଲେଜରେ ଅଧ୍ୟୟନ ବେଳେ ଗୁରୁ ଶ୍ୟାମ ସୁନ୍ଦର ଧୀରଙ୍କ ପାଖରୁ ଶାସ୍ତ୍ରୟ ଗାୟନ ଓ ତବଲା ବାଦନ ଶିକ୍ଷା କରିଥିଲେ। ୧୯୫୮ ମସିହାରେ ଜନତା ରଙ୍ଗମଞ୍ଚ ସହିତ ସଂପୃକ୍ତି, ଉତ୍ତର ଜୀବନରେତ୍ତ‘ଏବଂ ଆମେ’ ନାଟ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ଥିଲେ।

ଓଡ଼ିଆ ଚଳଚ୍ଚିତ୍ର ‘ତଅପୋଇ’, ‘ମେଘମୁକ୍ତି’, ‘ଅଗ୍ନି ପରୀକ୍ଷା’, ‘ଏ ନୁହେଁ କାହାଣୀ’ ର ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ ଓଡ଼ିଆ ଯାତ୍ରା ଜଗତକୁ ନୂତନ ତଥା ଆଧୁନିକ ରୂପ ଦେବାରେ ଅଗ୍ରଣୀ ଭୂମିକା, ନିର୍ଦ୍ଦେଶିତ ‘ଶାଗୁଣା ବସିଛି ଡେଣା ମେଲାଇ’ ଯାତ୍ରା ନାଟକର ଏପର୍ଯ୍ୟନ୍ତ ସର୍ବମାନ୍ୟ ରେକର୍ଡ ଅର୍ଜନ କରିଛି।

ମଞ୍ଚ, ଯାତ୍ରା, ଧାରାବାହିକ ଓ ଚଳଚ୍ଚିତ୍ର ଜଗତ ପ୍ରତି ଅବଦାନ ନିମନ୍ତେ ୨୦୧୮ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରାପ୍ତି, ୨୦୦୦-୨୦୦୧ ମସିହାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ନାଟ୍ୟ ନିର୍ଦ୍ଦେଶନା ପୁରସ୍କାରରେ ସମ୍ମାନିତ ଏବଂ ୨୦୧୫-୧୬ରେ ନାଟ୍ୟକଳା କ୍ଷେତ୍ରରେ ଆଜୀବନ ସାଧନା ପାଇଁ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ ସମ୍ମାନରେ ସମ୍ମାନିତ ହୋଇଥିଲେ।

Leave A Reply

Your email address will not be published.