Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ା: ମହାକାଳପଡ଼ା ଆସନରୁ କିଏ ମାରିବ ବାଜି?

ଓଏଲ୍‌ ବ୍ୟୁରୋ: ବାଜିଛି ନିର୍ବାଚନୀ ବିଗୁଲ। ହେଲେ ଅଟକିଛି ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି।

ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିଭଳି ବିଜେପି ଓ କଂଗ୍ରେସ ମଧ୍ୟ ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି। ହେଲେ ଏ ଯାଏଁ କୌଣସି ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ।

ଅନ୍ୟପଟେ, ସବୁଠୁ ରୋଚକ ପାଲଟିଛି କେନ୍ଦ୍ରାପଡା ରାଜନୀତି। ମହାକାଳପଡା ନିର୍ବାଚନ ମଣ୍ଡଳୀରୁ ୨୦୦୯,୨୦୧୪,୨୦୧୯ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ତିନିଥର ଜିତି ହ୍ୟାଟ୍ରିକ କରିଛନ୍ତି। ୨୦୦୯ ମସିହାରେ ଲଢେଇ କରି ଜାତୀୟ କଂଗ୍ରେସ ଦଳ ପ୍ରାର୍ଥି ସ୍ୱର୍ଗତ ବଳରାମ ପରିଡା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଜେପି ପ୍ରାର୍ଥୀ ଗନ୍ଧର୍ବ ନାୟକ ତୃତୀୟ ସ୍ଥାନରେ ରହିଥିଲା। ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ପ୍ରମୁଖ ପ୍ରତିଦ୍ୱନ୍ଦୀ ଭାବେ ଉଭା ହୋଇଥିଲେ, କଂଗ୍ରେସ ଦଳର ପ୍ରାର୍ଥି ତୃତୀୟ ସ୍ଥାନ ହାସଲ କରିଥିଲେ।

୨୦୧୯ ନିର୍ବାଚନରେ ବିଜେପି ଦଳ ପ୍ରାର୍ଥି ସ୍ୱର୍ଗତ ବିଜୟ ପ୍ରଧାନ ଲଢେଇ କରି ଦ୍ୱୀତୀୟ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ, କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିଥିଲା। ଚଳିତ ସାଧାରଣ ନିର୍ବାଚନରେ ଲଢେଇ କରିବା ପାଇଁ ତିନି ରାଜନୈତିକ ଦଳ ବିଜେପି, ଜାତୀୟ କଂଗ୍ରେସ, ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରିସାରିବା ପରେ ନିର୍ବାଚନ ପ୍ରଚାର ଜୋର ଧରିଛି। ବିଜେପି ଦଳ ଚଳିତ ସାଧାରଣ ନିର୍ବାଚନ ପାଇଁ ମହାକାଳପଡାରେ ଜଣେ ଯୁବ ଚେହେରାକୁ ସାମ୍ନାକୁ ଆଣିଛି। ରାଜ୍ୟ ପଛୁଆଜାତି ବର୍ଗ ମୋର୍ଚା ବିଜେପି ରାଜ୍ୟ ଶାଖାର ଉପସଭାପତି ଭାବେ ଦାୟିତ୍ୱ ତୁଲାଉଥିବା ଡକ୍ଟର ଦୁର୍ଗା ପ୍ରସନ ନାୟକଙ୍କୁ ବିଜେପି ଏହି ଆସନରୁ ପ୍ରାର୍ଥୀ ଘୋଷଣା କରିଛି। ମହାକାଳପଡା ଆସନର ବିଭିନ୍ନ ସ୍ଥାନରେ ବିଜେପି ପ୍ରାର୍ଥୀ ପ୍ରଚାର ଅଭିଯାନ ଜୋରଦାର କରିଛି।

ଏହି ବିଧାନସଭା ଆସନରେ ଚଳିତ ସାଧାରଣ ନିର୍ବାଚନ ପାଇଁ ଜାତୀୟ କଂଗ୍ରେସ ଦଳ ଜିଲା କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କୁ ପ୍ରାର୍ଥୀ କରିଛି। ଶ୍ରୀ ମହାରଥୀ ରାଜ୍ୟ ଯୁବ କଂଗ୍ରେସର ସଭାପତି ରହିଥିଲେ। ପ୍ରାର୍ଥୀ ଘୋଷଣା ହେବା ପାରେ ଶ୍ରୀ ମହାରଥୀ ନିଜର ଜନ୍ମିତ ଗ୍ରାମ ମହକାଳପଡା ବ୍ଲକର ଗହ୍ମା ଗ୍ରାମରୁ ଦଳୀୟ କର୍ମୀଙ୍କୁ ସାଙ୍ଗରେ ନେଇ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି।

ମହାକାଳପଡା ଆସନରେ ବିଜୁ ଜନତା ଦଳ ବିଗତ ତିନି ନିର୍ବାଚନରେ ସବୁଠାରୁ ସଫଳ ଦଳ ଭାବେ ଉଭା ହୋଇଛି। ଦଳର ପ୍ରାର୍ଥୀ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଲଗାତାର ତିନିଥର ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ବିଜେଡି କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ଟିକେଟ ପ୍ରଦାନ କରିଛନ୍ତି। ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଜେଡି ପ୍ରାର୍ଥୀଭାବେ ଘୋଷିତ ହେବା ପରେ ପ୍ରଚାର ଅଭିଯାନ କରିଛନ୍ତି। ତେବେ ମହାକାଳପଡ଼ା ବାସି କାହାକୁ ଚୟନ କରିବେ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.