Odisha Link
Bridging the Missing Links in Odisha

ନବୀନଙ୍କ ଆଶୀର୍ବାଦ ଲୋଡ଼ିଲେ ବିଜେପି ନେତା

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ବିଜେପିର ତାରକା ପ୍ରଚାରକ ତାଲିକାରେ ସ୍ଥାନ ପାଇବା ପରେ ଦଳର ନବସଂଯୁକ୍ତ ନେତା ତଥା ଅଭିନେତା ଅନୁଭବ ମହାନ୍ତି ସାମାଜିକ ଗଣମାଧ୍ୟମରେ ଏକ ଧନ୍ୟବାଦ ବାର୍ତ୍ତା ଦେଇଛନ୍ତି। ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜାପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ କୃତଜ୍ଞତା ଜଣାଇଥିବାବେଳେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି।

ପ୍ରଭୁ ଜଗନ୍ନାଥ ତଥା ମାନ୍ୟବର ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ମିଳିଲେ ବିଜେପି ଓଡ଼ିଶାରେ ସରକାର ଗଠନ କରିବ ବୋଲି ଅନୁଭବ ତାଙ୍କ ଫେସ୍‌ବୁକ୍‌ ପୋଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିବା ସହିତ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି।

ଅନୁଭବ ନିଜର ସୋସିଆଲ ମିଡ଼ିଆ ପୋଷ୍ଟରେ ଲେଖିଛନ୍ତି, ସବୁବେଳେ ନିଜ ପ୍ରତିଶ୍ରୁତି ଅନୁଯାୟୀ ଜାଗ୍ରତ ହେବାକୁ ମୁଁ ଚେଷ୍ଟା କରିଛି । ନିର୍ବାଚନୀ ପ୍ରଚାର ତାଲିକାରେ ସ୍ଥାନ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ, ଜେପି ନଡ୍ଡା ଧର୍ମେନ୍ଦ୍ର ପ୍ରଧାନ, ମନମୋହନ ସାମଲ ବାବୁ, ଭାରତୀୟ ଜନତା ପାର୍ଟିର ସମସ୍ତ ମାନ୍ୟଗଣ୍ୟ ନେତୃବୃନ୍ଦ ତଥା ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ମୋର କୃତଜ୍ଞତା ଜଣାଉଛି।

ଆମେ ଏକ ହୋଇ ନିଜ ମାତୃଭୂମିର ଅନନ୍ୟ ଗୌରବକୁ ଅନୁପ୍ରବେଶକାରୀଙ୍କ ଆଗରେ ନଇଁବାକୁ କଦାପି ଦେବାନାହିଁ। ଆସନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ତଥା ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକ ସାରଙ୍କ ଆଶୀର୍ବାଦରୁ ଓଡ଼ିଶାରେ ମାନ୍ଯବର ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ସାହସିକ ତଥା ଗତିଶୀଳ ନେତୃତ୍ୱରେ ବିଜେପି ଓଡ଼ିଶାରେ ସରକାର ଗଠନ କରି ଆମେ ନୂତନ ଆରମ୍ଭର ସାକ୍ଷୀ ହେବା।

ସୂଚନାଯୋଗ୍ୟ, ଦୀର୍ଘଦିନ ଧରି ବିଜେଡିରେ ଥିବା ଅନୁଭବ ୨୦୧୯ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟ୍‌ରେ ଲଢ଼େଇ କରି କେନ୍ଦ୍ରାପଡ଼ାର ସାଂସଦ ହୋଇଥିଲେ। ଏଥର ନିର୍ବାଚନରେ ତାଙ୍କୁ ଟିକେଟ୍‌ ନମିଳିବାରୁ ସେ ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ବିଜେପି ତାଙ୍କୁ ତାରକା ପ୍ରଚାରକ ତାଲିକାରେ ରଖିଥିବାବେଳେ ବିଜେଡି ତାଙ୍କ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି।

ଅନୁଭବଙ୍କ ପୋଷ୍ଟ୍‌ ଓ ନବୀନ ପଟ୍ଟନାୟକଙ୍କଠାରୁ ଆଶୀର୍ବାଦ ଭିକ୍ଷା ପଛର ଉଦ୍ଦେଶ୍ୟ ବୁଝା ପଡ଼ୁନାହିଁ। ସେ ଭୁଲବଶତଃ ଏପରି କରିଛନ୍ତି ନା ଜାଣିଶୁଣି ଏପରି କରିଛନ୍ତି ତାହା ଜଣାପଡ଼ୁନାହିଁ। ଦୀର୍ଘ ସମୟ ପରେ ମଧ୍ୟ ସେ ପୋଷ୍ଟ୍‌ ହଟାଇ ନଥିବାରୁ ଏହା ଜାଣିଶୁଣି କରିଥାଇ ପାରନ୍ତି ବୋଲି ମନେହେଉଛି। ଏଥିରୁ ଏହା ବୁଝା ପଡ଼ୁଛି ଯେ ଯଦି ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଭିତିରି ସମର୍ଥନ ମିଳେ ତେବେ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିପାରିବ ବୋଲି ଅନୁଭବ ଇଙ୍ଗିତ କରୁଛନ୍ତି।

Leave A Reply

Your email address will not be published.