Odisha Link
Bridging the Missing Links in Odisha

ପୁଣି ଥରେ ରାଉରକେଲାରେ ହେବ ବଡ଼ ଲଢ଼େଇ; ନାମାଙ୍କନ ଭରିଲେ ଦିଲ୍ଲୀପ ରାୟ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ନିର୍ବାଚନର ମହାପର୍ବ। ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଓ ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଶେଷ ହୋଇଛି। ସେହିଭଳି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ଲୋକସଭା ଆସନ ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସବୁ ଆସନରେ ଆସନ୍ତା ମେ’ ୨୫ ତାରିଖରେ ନିର୍ବାଚନ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଥିବାବେଳେ ଦିଲ୍ଲୀପ ରାୟ ନାମାଙ୍କନ ଭରିଛନ୍ତି। ଜନସମାଗମ ସହ ରାଉରକେଲା ଆସନ ପାଇଁ ଦିଲ୍ଲୀପ ରାୟ ନାମାଙ୍କନ ଭରିଛନ୍ତି।

୨୦୧୪ ଭଳି ୨୦୨୪ରେ ରାଉରକେଲା ପୁଣିଥରେ ବଡ଼ ଲଢ଼େଇ ଦେଖିବାକୁ ଯାଉଛି। ଏଥର ରାଉରକେଲା ଆସନ ବିଜେଡି ଖାତାରେ ରହିବ ନା ବିଜେପି ଛଡ଼ାଇ ନେବ ତା’ ଉପରେ ସମସ୍ତଙ୍କ ନଜର ରହିଛି। ସୁନ୍ଦରଗଡ଼ ଜିଲ୍ଲାର ଏହି ପ୍ରମୁଖ ବିଧାନସଭା ଆସନରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ସାରଦା ପ୍ରସାଦ ନାୟକ। ସେହିପରି ବିଜେପି ଦିଲ୍ଲୀପ ରାୟଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ବୀରେନ୍ଦ୍ରନାଥ ପଟ୍ଟନାୟକଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଏହି ତିନି ପ୍ରାର୍ଥୀଙ୍କ ଭିତରୁ ବିଜେଡି ଓ ବିଜେପି ଭିତରେ ପ୍ରମୁଖ ଲଢ଼େଇ ହେବ ବୋଲି ଆକଳନ କରାଯାଉଛି।

ସୂଚନାଥାଉକି, ୧୯୯୯ ମସିହାରେ ବାଜପେୟୀ ସରକାରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ। ବିଜେଡି ଗଠନ ବେଳେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ହେଲେ ୨୦୦୦ ମସିହା ପରେ ଦିଲ୍ଲୀପ ବିଜେଡିରୁ ନିଲମ୍ବିତ ହେବା ପରେ ରାଉରକେଲା ରାଜନୀତିରେ ପଟ୍ଟ ପରିବର୍ତ୍ତନ ହୋଇଥିଲା। ଦିଲ୍ଲୀପଙ୍କ ପରେ ରାଉରକେଲା ରାଜନୀତିରେ ସାରଦାଙ୍କ ଭାଗ୍ୟ ଉଦୟ ହୋଇଥିଲା।

ବିଜେଡିରୁ ନିଲମ୍ବିତ ହେବା ପରେ ରାଉରକେଲା ରାଜନୀତିଠାରୁ ବହୁ ଦୂରରେ ରହିଥିଲେ ଦିଲ୍ଲୀପ। କିନ୍ତୁ ୨୦୧୪ ମସିହାରେ ସେ ବିଜେପି ଟିକେଟ ନେଇ ରାଉରକେଲାକୁ ଫେରିଥିଲେ। ସଙ୍ଗଠନ ସଜାଡ଼ି ସେ ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କ ସହ ଲଢ଼େଇ କରିଥିଲେ। ଦୁଇ ପ୍ରାର୍ଥୀଙ୍କ ଭିତରେ କଡ଼ା ଟକ୍କର ହୋଇଥିଲା। ଶେଷରେ ଦିଲ୍ଲୀପ ୧୧ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ୨୦୧୯ରୁ ୨୦୨୪ ମଧ୍ୟରେ ଏହି ପାଞ୍ଚ ବର୍ଷର ବ୍ୟବଧାନ ପରେ ଦିଲ୍ଲୀପ ପୁଣି ସକ୍ରିୟ ରାଜନୀତିକୁ ଓହ୍ଲାଇଛନ୍ତି। ତାଙ୍କ ଉପରେ ବିଜେପି ନେତୃତ୍ୱ ପୁଣି ଭରସା କରିଥିବାରୁ ଏଥର ଲଢ଼େଇ ଜୋରଦାର ହେବ ବୋଲି କୁହାଯାଉଛି।

Leave A Reply

Your email address will not be published.