Odisha Link
Bridging the Missing Links in Odisha

ବିଜେଡିରୁ ଇସ୍ତଫା ଦେଲେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ବଢୁଥିବା ତାପମାତ୍ରା ସହିତ ରାଜନୈତିକ ଉଷ୍ମତା ମଧ୍ୟ ବଢ଼ିବାରେ ଲାଗିଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ୨୧ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା ପରେ କିଛି ସଂସଦୀୟ କ୍ଷେତ୍ରରେ ଜୋରଦାର ଲଢେଇ ହେବ ବୋଲି କୁହାଯାଉଛି। ହେବାକୁ ଥିବା ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ଏସବୁ ମଧ୍ୟରେ ବଳକା ୩ ବିଧାନସଭା ଆସନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

ଖଣ୍ଡପଡ଼ାରୁ କାହାକୁ ବିଜୁ ଜନତା ଦଳ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିବାବେଳେ ସାବିତ୍ରୀ ପ୍ରଧାନଙ୍କୁ ଟିକେଟ ମିଳିଛି। ଖଣ୍ଡପଡ଼ା ଆସନରୁ ଅନୁଭବ ପଟ୍ଟନାୟକ ଆଶାୟୀ ଥିବାବେଳେ ତାଙ୍କୁ ଦଳ ଟିକେଟ ଦେଇନି। ଟିକେଟ ଘୋଷଣା ପରେ ଆଶାୟୀ ଥିବା ଅନୁଭବ ପଟ୍ଟନାୟକ ବିଜେଡିରୁ ଇସ୍ତଫା ଦେଇଥିବା ଜଣା ପଡିଛି। ଖଣ୍ଡପଡ଼ାରୁ ଟିକେଟ ଆଶାୟୀ ଥିବା ଅନୁଭବ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଅନୁଭବ ପଟ୍ଟନାୟକ।

ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହିତ ଅନୁଭବ ପଟ୍ଟନାୟକ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, ଦୀର୍ଘ ୪୦ ବର୍ଷ ଧରି ଖଣ୍ଡପଡାରେ ଦଳର ସଙ୍ଗଠନକୁ ସୁଦୃଢ କରିବାକୁ ଆମ ପରିବାର ଚେଷ୍ଟିତ ରହିଛି। ପ୍ରତି ନିର୍ବାଚନରେ ମଧ୍ୟ ଦଳକୁ ଜିତାଇବାକୁ କାମ କରିଛୁ। ହେଲେ ଏହାସତ୍ତ୍ୱେ ମଧ୍ୟ ୨୦୧୯ରେ ଟିକେଟ୍ ଦିଆଯାଇନଥିଲା। ହେଲେ ତା ପରେ ବି ସେ ଦଳ ପାଇ ନିଜର କର୍ତ୍ତବ୍ୟ ପାଳନ କରିଆସୁଚି। ଖାଲି ସେତିକି ନୁହେଁ, ୨୦୨୪ରେ ମଧ୍ୟ ତାଙ୍କ ପ୍ରତି ପୁଣିଥରେ ଅନ୍ୟାୟ କରାଯାଇଛି। ଖଣ୍ଡପଡାରୁ ଦଳୀୟ ପ୍ରାର୍ଥୀ ଭାବେ ଲଢିବାରୁ ତାଙ୍କୁ ବଞ୍ଚିତ କରାଯାଇଥିବା ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଏହା ସହ ସେ ଖଣ୍ଡପଡ଼ା ମାଟିର ସନ୍ତାନ ଭାବରେ ଖଣ୍ଡପଡ଼ା ମାଟିର ବିକାଶ କରିବା ତାଙ୍କ ଉଦ୍ଦେଶ୍ୟ ବୋଲି ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।

ଅନ୍ୟପଟେ, ନୀଳଗିରିରୁ ସୁକାନ୍ତ କୁମାର ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ନିର୍ବାଚନ ଲଢ଼ିବେ। ସେହିଭଳି ଦେବଗଡ଼ ଆସନ ପାଇଁ ପୂର୍ବରୁ ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ ତାହା ବର୍ତ୍ତମାନ ପରିଵର୍ତନ କରି ନୂତନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡି ପୂର୍ବରୁ ଦେବଗଡ଼ ବିଧାନସଭା ପ୍ରାର୍ଥୀ ଭାବେ ଅରୁନ୍ଧତୀ ଦେବୀଙ୍କୁ ଟିକେଟ ଦେଇଥିବାବେଳେ ତାହା ବଦଳାଇ ଏବେ ରୋମାଞ୍ଚ ରଂଜନ ବିଶ୍ବାଳଙ୍କୁ ପ୍ରାର୍ଥୀ କରିଛି।

Leave A Reply

Your email address will not be published.