Odisha Link
Bridging the Missing Links in Odisha

ଇରାନ: ଜୁନ୍‌ ୨୮ରେ ରାଷ୍ଟ୍ରପତି ନିର୍ବାଚନ

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨୮ ତାରିଖରେ ଅନୁଷ୍ଠିତ ହେବ ଇରାନ ରାଷ୍ଟ୍ରପତି ନିର୍ବାଚନ। ଇରାନ ସରକାରଙ୍କ ୩ ଶାଖାର ପ୍ରମୁଖ ମାନେ ଆକସ୍ମିକ ରାଷ୍ଟ୍ରପତି ନିର୍ବାଚନ ପାଇଁ ସହମତି ପ୍ରକାଶ କରିଛନ୍ତି। ରବିବାର ଇରାନ ରାଷ୍ଟ୍ରପତି ଇବ୍ରାହିମ୍‌ ରାଇସି ଯାଉଥିବା ହେଲିକପ୍ଟରଟି କ୍ରାସ ହୋଇଥିଲା। କ୍ରାସ ହେବାର ୧୪ ଘଣ୍ଟା ପରେ ତାଙ୍କର ମୃତଦେହ ଠାବ ହୋଇଥିଲା। ପରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଥିଲା। ରାଷ୍ଟ୍ରପତିଙ୍କ ଦେହାନ୍ତ ପରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଅଣ୍ଟା ଭିଡିଛି ଇରାନ ସରକାର।

ସୂଚନାଥାଉକି, ରବିବାର ଆଜରବୈଜାନ ସୀମାନ୍ତ ପାର୍ବତ୍ୟାଞ୍ଚଳରେ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଥିରେ ଥିବା ଇରାନ ବହିର୍ବ୍ୟାପାର ମନ୍ତ୍ରୀ ହୋସେନ୍‌ ଅମିରାବଦେଲ୍ଲିଆନ, ପୂର୍ବ ଆଜରବୈଜାନ ପ୍ରଦେଶର ରାଜ୍ୟପାଳ, ଅନ୍ୟ ଅଫିସର ଓ ଅଙ୍ଗରକ୍ଷୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ହେଲିକପ୍ଟରଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ରଇସିଙ୍କ ପରଲୋକରେ ବିଭିନ୍ନ ଦେଶର ନେତା ଶୋକବ୍ୟକ୍ତ କରିଛନ୍ତି।

ଘନ କୁହୁଡ଼ି ଓ ପ୍ରତିକୂଳ ପାଗ ଯୋଗୁ ରାଷ୍ଟ୍ରପତି ରଇସିଙ୍କ ହେଲିକପ୍ଟର ଦୁଘଟଣାଗ୍ରସ୍ତ ହେଲା ବୋଲି କୁହାଯାଉଥିବାବେଳେ ସରକାରୀ ଭାବେ ଦୁର୍ଘଟଣାର କାରଣ ସ୍ପଷ୍ଟ କରାଯାଇ ନାହିଁ। ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧକୁ ନେଇ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗିରହିଥିଲାବେଳେ ଗତ ମାସରେ ଇସ୍ରାଏଲ୍‌ ଉପରେ ଇରାନ ଡ୍ରୋନ୍‌ ଓ ମିଶାଇଲ ଆକ୍ରମଣ କରିଥିଲା। ଇରାନରେ ଅଣୁଅସ୍ତ୍ର ନିର୍ମାଣ ପାଇଁ ଉପଯୁକ୍ତ ୟୁରାନିୟମ ଥିବାରୁ ଏହାକୁ ନେଇ ପାଶ୍ଚାତ୍ୟ ରାଷ୍ଟ୍ର ସହ ତେହରାନ୍‌ର ଉତ୍ତେଜନା ବଢ଼ିଥିଲା। ଏଥିସହିତ ୟୁକ୍ରେନ୍‌ ବିରୋଧୀ ଯୁଦ୍ଧରେ ତେହରାନ ରୁଷିଆକୁ ବୋମାବାହୀ ଡ୍ରୋନ୍‌ ଓ ସଶସ୍ତ୍ର ଯବାନ ଯୋଗାଇଥିବାରୁ ଏହା ମଧ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ କ୍ଷୁବ୍ଧ କରିଥିଲା। ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣା ପଛରେ ଇସ୍ରାଏଲର ସମ୍ପୃକ୍ତି ଥିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିବାବେଳେ ଜେରୁଜେଲମ୍‌ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି।

Leave A Reply

Your email address will not be published.