Odisha Link
Bridging the Missing Links in Odisha

ଇରାନ୍ ରାଷ୍ଟ୍ରପତି ଇବ୍ରାହିମ୍‌ ରାଇସିଙ୍କ ଅନ୍ତିମ ସଂସ୍କାର; ଉପସ୍ଥିତ ଅଛନ୍ତି ୬୮ ଦେଶର ନେତା

ଓଏଲ୍‌ ବ୍ୟୁରୋ: ଇରାନ୍‌ର ରାଷ୍ଟ୍ରପତି ଇବ୍ରାହିମ୍‌ ରାଇସିଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ। ଇରାନ୍‌ର ଦ୍ବିତୀୟ ସବର୍ବୃହତ ସହର ମଶହଦରେ ସମାଧି ଦିଆଯାଇଛି। ଆଜି ସକାଳେ ତାଙ୍କ ପାର୍ଥୀବ ଶରୀରକୁ ମଶହଦ ଅଣାଯାଇଥିଲା। ଏହି ସହରରେ ରାଇସି ଜନ୍ମଗ୍ରହଣ କରିଥିଲେ। ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ତାଙ୍କ ପରିବାର ଜନ ସାମିଲ ମଧ୍ୟ ଥିଲେ। ଇରାନ୍‌ ଗଣମାଧ୍ୟମ ସୂଚନା ଅନୁଯାୟୀ ରାଷ୍ଟ୍ରପତିଙ୍କ ଅନ୍ତିମ ସଂସ୍କାରରେ ୬୮ଟି ଦେଶର ନେତା ଓ କିଛି ଦେଶର କୂଟନୀତିଜ୍ଞମାନେ ଉପସ୍ଥିତ ରହିଛନ୍ତି। ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନକର ମଧ୍ୟ ସାମିଲ ହୋଇଛନ୍ତି।

ମେ ‘୧୯ ତାରିଖରେ ଇରାନ ରାଷ୍ଟ୍ରପତି ଇବ୍ରାହିମ୍‌ ରାଇସି ଯାଉଥିବା ହେଲିକପ୍ଟରଟି କ୍ରାସ ହୋଇଥିଲା। କ୍ରାସ ହେବାର ୧୪ ଘଣ୍ଟା ପରେ ତାଙ୍କର ମୃତଦେହ ଠାବ ହୋଇଥିଲା। ପରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଥିଲା। ସୂଚନାଥାଉକି, ରବିବାର ଆଜରବୈଜାନ ସୀମାନ୍ତ ପାର୍ବତ୍ୟାଞ୍ଚଳରେ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଥିରେ ଥିବା ଇରାନ ବହିର୍ବ୍ୟାପାର ମନ୍ତ୍ରୀ ହୋସେନ୍‌ ଅମିରାବଦେଲ୍ଲିଆନ, ପୂର୍ବ ଆଜରବୈଜାନ ପ୍ରଦେଶର ରାଜ୍ୟପାଳ, ଅନ୍ୟ ଅଫିସର ଓ ଅଙ୍ଗରକ୍ଷୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ହେଲିକପ୍ଟରଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ରଇସିଙ୍କ ପରଲୋକରେ ବିଭିନ୍ନ ଦେଶର ନେତା ଶୋକବ୍ୟକ୍ତ କରିଥିଲେ।

ଅନ୍ୟପଟେ ରାଇସିଙ୍କ ମୃତ୍ୟୁ ପରେ ଜୁନ୍‌ ୨୮ ତାରିଖରେ ଅନୁଷ୍ଠିତ ହେବ ଇରାନ ରାଷ୍ଟ୍ରପତି ନିର୍ବାଚନ। ଇରାନ ସରକାରଙ୍କ ୩ ଶାଖାର ପ୍ରମୁଖ ମାନେ ଆକସ୍ମିକ ରାଷ୍ଟ୍ରପତି ନିର୍ବାଚନ ପାଇଁ ସହମତି ପ୍ରକାଶ କରିଛନ୍ତି।

ଘନ କୁହୁଡ଼ି ଓ ପ୍ରତିକୂଳ ପାଗ ଯୋଗୁ ରାଷ୍ଟ୍ରପତି ରଇସିଙ୍କ ହେଲିକପ୍ଟର ଦୁଘଟଣାଗ୍ରସ୍ତ ହେଲା ବୋଲି କୁହାଯାଉଥିବାବେଳେ ସରକାରୀ ଭାବେ ଦୁର୍ଘଟଣାର କାରଣ ସ୍ପଷ୍ଟ କରାଯାଇ ନାହିଁ। ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧକୁ ନେଇ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗିରହିଥିଲାବେଳେ ଗତ ମାସରେ ଇସ୍ରାଏଲ୍‌ ଉପରେ ଇରାନ ଡ୍ରୋନ୍‌ ଓ ମିଶାଇଲ ଆକ୍ରମଣ କରିଥିଲା। ଇରାନରେ ଅଣୁଅସ୍ତ୍ର ନିର୍ମାଣ ପାଇଁ ଉପଯୁକ୍ତ ୟୁରାନିୟମ ଥିବାରୁ ଏହାକୁ ନେଇ ପାଶ୍ଚାତ୍ୟ ରାଷ୍ଟ୍ର ସହ ତେହରାନ୍‌ର ଉତ୍ତେଜନା ବଢ଼ିଥିଲା। ଏଥିସହିତ ୟୁକ୍ରେନ୍‌ ବିରୋଧୀ ଯୁଦ୍ଧରେ ତେହରାନ ରୁଷିଆକୁ ବୋମାବାହୀ ଡ୍ରୋନ୍‌ ଓ ସଶସ୍ତ୍ର ଯବାନ ଯୋଗାଇଥିବାରୁ ଏହା ମଧ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ କ୍ଷୁବ୍ଧ କରିଥିଲା। ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣା ପଛରେ ଇସ୍ରାଏଲର ସମ୍ପୃକ୍ତି ଥିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିବାବେଳେ ଜେରୁଜେଲମ୍‌ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି।

Leave A Reply

Your email address will not be published.