Odisha Link
Bridging the Missing Links in Odisha

ଯୁବପିଢ଼ିଙ୍କ ପାଇଁ ନବୀନ ଆଣିବେ ସୁବର୍ଣ୍ଣ ଯୁଗ: ପାଣ୍ଡିଆନ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ଆଉ ଦିନକ ପରେ ଓଡ଼ିଶାରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟ ଉପରେ ସମସ୍ତ ରାଜନୈତିକ ଦଳର ନଜର। କାରଣ ଏହି ୩ୟ ପର୍ଯ୍ୟାୟ ନିର୍ବାଚନରେ ପ୍ରମୁଖ ଆସନ ଗୁଡ଼ିକରେ ନିର୍ବାଚନ ହେବ। ଯାହା ରାଜ୍ୟ ରାଜନୀତିର ହଟସ୍ପଟ ବୋଲି ବିବେଚନା କରାଯାଏ। ସରକାର କିଏ ଗଢ଼ିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ଏସବୁ ମଧ୍ୟରେ ବିଜୁ ଜନତା ଦଳର ଇସ୍ତାହାର ପତ୍ରକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେଡିର ପୋଷ୍ଟର ବୟ ତଥା ବରିଷ୍ଠ ନେତା ଭି.କେ ପାଣ୍ଡିଆନ।

ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଛନ୍ତି, ଆଗାମୀ ୧୦ ବର୍ଷ ଯୁବକଙ୍କ ପାଇଁ ହେବ ସୁବର୍ଣ୍ଣ ଯୁଗ। ପ୍ରଥମ ଥର ପାଇଁ ଆସିବ ୧ ଲକ୍ଷ କୋଟିର ଯୁବ ବଜେଟ୍। ଯୁବକଙ୍କ ପାଇଁ ୧୦ ବର୍ଷରେ ଖର୍ଚ୍ଚ ହେବ ଏହି ଅର୍ଥରାଶି। ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଛାତ୍ରଛାତ୍ରୀଙ୍କ ମତାମତରେ ୧ ହଜାର କୋଟି ଖର୍ଚ୍ଚ ହେବ। ଦେଶର ପ୍ରଥମ ରାଜ୍ୟ ଭାବେ ଏଭଳି ଯୋଜନା କରିଛି ଓଡ଼ିଶା। ୮ ହଜାର ସ୍କୁଲ, ୧ ହଜାର କଲେଜର ରୂପାନ୍ତରଣ ହୋଇଛି। ଘରୋଇ ସ୍କୁଲ ଅପେକ୍ଷା ସରକାରୀ ସ୍କୁଲରେ ଅଧିକ ସୁବିଧା ମିଳିବ। ଯୁବପିଢ଼ିଙ୍କ ପାଇଁ ନବୀନ ଆଣିବେ ସୁବର୍ଣ୍ଣ ଯୁଗ।

ଏହା ସହ ରାଜ୍ୟର ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ବିଜୁ ଜନତା ଦଳ ୫ଟି ବଡ଼ ଘୋଷଣା କରିଛି। ସହର ହେଉ ବା ଗ୍ରାମାଞ୍ଚଳରେ ରହୁଥିବା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ମିଳିବ ବିଏସ୍‌କେଓ୍ବାଇ ନବୀନ କାର୍ଡ। ସ୍ବାସ୍ଥ୍ୟ, ଶିକ୍ଷା, ଗୃହ ଓ ପରିବହନ କ୍ଷେତ୍ରରେ ମଧ୍ୟ ମିଳିବ ସୁବିଧା। ମଧ୍ୟବିତ୍ତ ପରିବାରଙ୍କ ପାଇଁ ବିଜେଡି ଇସ୍ତାହାରରେ ଦିଆଯାଇଥିବା ସମସ୍ତ ପ୍ରତିଶୃତି ପୂରଣ କରାଯିବ ବୋଲି କହିଛନ୍ତି ପାଣ୍ଡିଆନ।

ସେ ଆହୁରି କହିଛନ୍ତି, ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ଆଗକୁ ମଧ୍ୟ ଆହୁରି ନିଆଯିବ। ସହରାଞ୍ଚଳ ସହ ସମସ୍ତ ମଧ୍ୟବିତ୍ତଙ୍କୁ ବିଏସ୍‌କେଓ୍ବାଇ ନବୀନ କାର୍ଡ ପ୍ରଦାନ କରାଯିବ। ଘର କିଣିବାକୁ ୨୦ ଟଙ୍କା ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ରିହାତି ମିଳିବ। ମଧ୍ୟବିତ୍ତଙ୍କ ପିଲାଙ୍କ ପାଠପଢ଼ା ପାଇଁ ଶିକ୍ଷା ଋଣ ଉପରେ ବି ସୁଧ ରିହାତି ମିଳିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.