Odisha Link
Bridging the Missing Links in Odisha

ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର, ୪୫.୯ ଡିଗ୍ରୀ ଛୁଇଁଲା ତାପମାତ୍ରା

ଓଏଲ୍‌ ବ୍ୟୁରୋ: କିଛି ଦିନର ବିରତି ପରେ ରାଜ୍ୟକୁ ପୁଣି ଫେରିଲା ତାତି। ୪୫ ଡିଗ୍ରୀ ଟପିଲା ଦିନର ତାପମାତ୍ରା। ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ। ବିଶେଷ ଭାବେ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି ପରିଲିକ୍ଷିତ ହୋଇଛି। ସେହିପରି ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇଛି। ୪୫.୯ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ସେହିପରି ସୋନପୁରରେ ତାପମାତ୍ରା ୪୫.୩ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡରେ ୪୫ ଡିଗ୍ରୀ ଛୁଇଁଛି ତାପମାତ୍ରା।

ଅନ୍ୟପଟେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି। ଅଂଶୁଘାତରେ ଢେଙ୍କାନାଳ ଓ ବାଲେଶ୍ୱରରୁ ଜଣେ ଲେଖାଏଁ ଏବଂ ମୟୂରଭଞ୍ଜରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେହିପରି ଆଉ ୧୪ଟି ଅଂଶୁଘାତ ମୃତ୍ୟୁ ଅଭିଯୋଗର ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

ତାଙ୍କ ସୂଚନା ଅନୁଯାୟୀ, ଗତକାଲି ସୁଦ୍ଧା ରାଜ୍ୟରେ ୧,୨୧୯ ଜଣ ଅଂଶୁଘାତ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଢେଙ୍କାନାଳରେ ସର୍ବାଧିକ ୧୯୮ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ମୟୂରଭଞ୍ଜରେ ୧୪୬, ସୁନ୍ଦରଗଡ଼ରେ ୧୩୧ ଓ ସମ୍ବଲପୁରରେ ୧୨୧ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

Leave A Reply

Your email address will not be published.