ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତି: ଆଜି ପ୍ରାକ୍ ପରାମର୍ଶ ବୈଠକ

ଓଏଲ୍ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ୍ଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ଏସବୁ ଭିତରେ ଆସୁଛି ରାଜ୍ୟ ବଜେଟ୍। ଆଗାମୀ ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ଆଜି ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହିବେ। ଅର୍ଥ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବାରୁ ସେ ଏଥର ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ। କିଛି ଦିନ ତଳେ ବଜେଟ୍ ପାଇଁ ଜନସାଧାରଣଙ୍କ ମତ ଲୋଡ଼ିଥିଲେ। ଏଥିପାଇଁ ହ୍ବାଟ୍ସଆପ୍, ଇ-ମେଲ ଓ ଏସ୍ଏମ୍ଏସ୍ ସୁବିଧା କରାଯାଇଥିଲା। ରାଜ୍ୟର ନୂଆ ସରକାର ନିଜକୁ ଲୋକଙ୍କ ସରକାର ବୋଲି କହୁଛନ୍ତି । ସେଥିପାଇଁ ବଜେଟ୍ରେ ସାଧାରଣ ଲୋକଙ୍କ କଲ୍ୟାଣ ନେଇ କିଛି ଘୋଷଣା କରିପାରନ୍ତି।
ଏହା ବାଦ୍ ଯେଉଁ ପ୍ରତିଶ୍ରୁତି ଦେଇ ବିଜେପି ନିର୍ବାଚନରେ ବିଜୟୀ ହୋଇଛି ତାହାର ପ୍ରତିଫଳନ ମଧ୍ୟ ବଜେଟ୍ରେ ଦେଖିବାକୁ ମିଳିପାରେ । ଧାନ କ୍ବିଣ୍ଟାଲ ପିଛା ୩୧ ଶହ ଟଙ୍କାର ସହାୟକ ମୂଲ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି। ଏହି ପ୍ରତିଶ୍ରୁତି ପୂରଣ କରିବା ପାଇଁ କ୍ବିଣ୍ଟାଲ ପିଛା ୮ ଶହ ଟଙ୍କା ବୋନସ୍ ଦେବାକୁ ପଡ଼ିବ। ସେହିପରି ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବାକୁ ମଧ୍ୟ ବିଜେପି ପ୍ରତିଶୃତି ଦେଇଛି।