Odisha Link
Bridging the Missing Links in Odisha

ଅଲିମ୍ପିକ୍ସ: ହକି ଫାଇନାଲ ଟିକେଟ୍ ପାଇଁ ବଡ଼ ଲଢ଼େଇ, ସେମିରେ ଆଜି ମୁହାଁମୁହିଁ ହେବେ ଭାରତ-ଜର୍ମାନୀ

ଓଏଲ୍‌ ବ୍ୟୁରୋ: କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍‌ ଅଲିମ୍ପିକ୍ସର ଆଜି ହେଉଛି ୧୧ତମ ଦିନ। ଆଜିର ଦିନ ଭାରତୀୟ ଦଳ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ପ୍ୟାରିସ୍‌ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ କରୁଥିବା ଭାରତୀୟ ହକି ଦଳ ଆଜି ସେମି ଫାଇନାଲ ମୁକାବିଲା ଖେଳିବ। ବିଶ୍ବ ର‍୍ୟାଙ୍କିଙ୍ଗର ୪ର୍ଥ ସ୍ଥାନରେ ଥିବା ଜର୍ମାନୀକୁ ଭେଟିବ ଭାରତ। ଭାରତୀୟ ସମୟ ରାତି ୧୦.୩୦ରେ ଖେଳାଯିବ ଏହି ହାଇଭୋଲଟେଜ୍‌ ମୁକାବିଲା। ଭାରତୀୟ ହକି ଦଳ ଯଦି ଆଜି ଜର୍ମାନୀକୁ ମାତ୍‌ ଦେବାରେ ସଫଳ ହୁଏ ତେବେ ଚଳିତ ଅଲିମ୍ପିକ୍ସରେ ପଦକ ନିଶ୍ଚିତ ଜିତିବ। ଶେଷ ଥର ପାଇଁ ଭାରତୀୟ ଦଳ ୧୯୬୦ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲା। ୨୦୨୨ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳ ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଜିତିଥିଲା।

୩୬ ବର୍ଷିୟ ଗୋଲ୍‌ କିପର ଶ୍ରୀଜେଶ୍‌ଙ୍କ ଏହା ହେଉଛି ଶେଷ ଟୁର୍ଣ୍ଣାମେଣ୍ଟ। ଅଲିମିକ୍ପ ପରେ ସେ ହକିରୁ ବିଦାୟ ନେବାର ଘୋଷଣା କରି ସାରିଛନ୍ତି। ଭାରତୀୟ ହକି ଦଳର ଦ ଓ୍ବାଲ କୁହାଯାଉଥିବା ଶ୍ରୀଜେଶଙ୍କୁ ଭାରତୀୟ ଦଳ ସ୍ବର୍ଣ୍ଣ ପଦକ ଭେଟି ଦେବାକୁ ଚେଷ୍ଟା କରିବ ନିଶ୍ଚିତ। ଯଦି ଆଜି ଭାରତୀୟ ଦଳ ଜର୍ମାନୀକୁ ହରାଇ ଦିଏ ତେବେ ଚଳିତ ଅଲିମ୍ପିକ୍ସରେ ରୌପ୍ୟ ପଦକ ନିଶ୍ଚିତ କରିବ। ଯଦି ହାରି ଯାଏ ତେବେ ବ୍ରୋଞ୍ଜ ପଦକ ମ୍ୟାଚ୍‌ ଖେଳିବ ଭାରତ। ସୂଚନାଥାଉକି, ଶେଷ ଥର ପାଇଁ ଭାରତୀୟ ହକି ଦଳ ଅଲିମ୍ପିକ୍ସରେ ୧୯୮୦ ମସିହାରେ ସ୍ବର୍ଣ୍ଣ ପଦକ ଜିତିଥିଲା। ୪୪ ବର୍ଷ ପରେ ସେ ଇତିହାସକୁ ଦୋହାରାଇବାର ସୁଯୋଗ ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତୀୟ ଦଳ ପାଖରେ ରହିଛି।

ସୂଚନାଥାଉକି, ଟୋକିଓ ଅଲିମିକ୍ସ ପରେ ଉଭୟ ଦଳ ଏଫଆଇଏଚ୍ ପ୍ରୋ ଲିଗରେ ୬ଟି ମ୍ୟାଚ୍ ଖେଳିଛନ୍ତି। ଏଥିରୁ ଭାରତ ୫ଟି ଓ ଜର୍ମାନୀ ଜିତିଛି ଗୋଟିଏ। ସେହିପରି ଉଭୟ ଦଳ ଖେଳିଥିବା ମୋଟ୍ ୧୮ ମ୍ୟାଚରୁ ଟିମ୍ ଇଣ୍ଡିଆ ୮ଟି ଓ ଜର୍ମାନୀ ୪ଟିରେ ବିଜୟୀ ହୋଇଛି। ଡ୍ରରେ ଶେଷ ହୋଇଛି ୪ଟି ମ୍ୟାଚ୍। ସବୁଠୁ ବଡ଼କଥା ହେଲା ଜୁନ୍‌ ମାସରେ ଖେଳାଯାଇଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତୀୟ ଦଳ ଜର୍ମାନୀକୁ ୩-୦ ଗୋଲରେ ମାତ ଦେଇଥିଲା। ପରବର୍ତ୍ତୀ ମ୍ୟାଚରେ ଜର୍ମାନୀ କମ୍‌ ବ୍ୟାକ୍‌ କରି ଭାରତକୁ ୩-୨ରେ ହରାଇଥିଲା। ସବୁ ଦୃଷ୍ଟି କୋଣରୁ ଆଜିର ମ୍ୟାଚ୍‌ ବହୁତ ରୋମାଞ୍ଚପୂର୍ଣ୍ଣ ହେବାର ସମ୍ଭାବନା ରହିଥିବା ହକି ବିଶେଷଜ୍ଞ କହିଛନ୍ତି। ସେହିପରି ପ୍ରଥମ ସେମି ଫାଇନାଲ ମୁକାବିଲାରେ ସ୍ପେନ୍‌ ଓ ନେଦରଲାଣ୍ଡ ମୁହାଁମୁହିଁ ହେବେ।

ସୂଚନାଥାଉକି, ପ୍ୟାରିସ୍‌ ଅଲିମ୍ପିକ୍ସର ପୁରୁଷ ହକି ବିଭାଗର ସେମି ଫାଇନାଲ ମୁକାବିଲା ଖେଳି ପାରିବେ ନାହିଁ ଓଡ଼ିଆ ପୁଅ ତଥା ଭାରତୀୟ ଦଳର ଉପଅଧିନାୟକ ଅମିତ ରୋହିଦାସ। ଟିମ୍‌ ଇଣ୍ଡିଆର ଷ୍ଟାର ଡିଫେଣ୍ଡର ଅମିତ ରୋହିଦାସଙ୍କ ଉପରେ ଗୋଟିଏ ମ୍ୟାଚ୍‌ ବ୍ୟାନ୍‌ ଲଗାଇଛି ଅନ୍ତର୍ଜାତୀୟ ହକି ଫେଡରେସନ୍(ଏଫ୍‌ଏଚ୍‌ଆଇ)। ଯାହାଫଳରେ ମଙ୍ଗଳବାର ଖେଳା ଯିବାକୁ ଥିବା ସେମି ଫାଇନାଲ ମୁକାବିଲାରେ ଅମିତଙ୍କ ବିନା ମୈଦାନକୁ ଓହ୍ଲାଇବ ଭାରତୀୟ ଦଳ।

ଏଫ୍‌ଏଚ୍‌ଆଇ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଏଫ୍‌ଆଇଏଚ୍‌ର ଆଚାର ସଂହିତାର ନିୟମ ଉଲ୍ଲଂଘନ କରିବା କାରଣରୁ ଅମିତ ରୋହିଦାସଙ୍କ ଉପରେ ଗୋଟିଏ ମ୍ୟାଚର ବ୍ୟାନ ଲଗାଯାଇଛି। ସେ ମ୍ୟାଚ୍ ନମ୍ବର ୩୫ ଅର୍ଥାତ ୬ ଅଗଷ୍ଟରେ ଖେଳାଯିବାକୁ ଥିବା ସେମିଫାଇନାଲ ମ୍ୟାଚ୍ ଖେଳି ପାରିବେ ନାହିଁ। ଭାରତୀୟ ଦଳକୁ ତାଙ୍କ ବିନା ବାକି ୧୫ ଖେଳାଳିଙ୍କ ମଧ୍ୟରୁ ଖେଳାଳି ଚୟନ କରି ସେମିଫାଇନାଲ ଟିମ୍ ତିଆରି କରିବାକୁ ପଡ଼ିବ।