ରାଜ୍ୟସଭା ଉପନିର୍ବାଚନ: ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ଜଗନ୍ନାଥ ପ୍ରଧାନ

ଓଏଲ୍ ବ୍ୟୁରୋ: ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପ୍ରତ୍ୟାହାର ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ଗତ ୨୨ ତାରିଖରେ ଓଡ଼ିଶାରେ ଖାଲି ପଡ଼ିଥିବା ଏକମାତ୍ର ଆସନ ପାଇଁ ୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେପି ଟିକଟରୁ ପୂର୍ବତନ ସାଂସଦ ମମତା ମହାନ୍ତ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପି ବିଧାୟକଙ୍କର ପ୍ରସ୍ତାବରେ ସ୍ୱାଧୀନ ଭାବେ ଜଗନ୍ନାଥ ପ୍ରଧାନ ମଧ୍ୟ ନାମାଙ୍କନ ଭରିଛନ୍ତି। ଉଭୟଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବା ବେଳେ ଆଜି ନାମାଙ୍କନ ପ୍ରତ୍ୟାହାର କରାଯିବ।
ଜଗନ୍ନାଥ ପ୍ରଧାନ ନିଜର ନାମାଙ୍କନ ପ୍ରତ୍ୟାହାର କରିବେ ବୋଲି ଘୋଷଣା କରିଛନ୍ତି। ତେବେ ଜଗନ୍ନାଥ ପ୍ରଧାନ ନିଜର ନାମାଙ୍କନ ପ୍ରତ୍ୟାହାର କଲେ ଆସନ୍ତା ୩ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଯିବ। ସାଂସଦ ମମତା ମହାନ୍ତ ନିର୍ଦ୍ୱଦ୍ୱରେ ନିର୍ବାଚିତ ହେବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯିବ।
ସୂଚନାଥାଉକି, ନିକଟରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜୁ ଜନତା ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ମମତା। ଗତ ମଙ୍ଗଳବାର ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି। ମମତା ମହାନ୍ତ କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ। ଏହି ସମ୍ପ୍ରଦାୟରେ ମୟୂରଭଞ୍ଜ ଓ ପଡ଼ୋଶୀ କେନ୍ଦୁଝର ଜିଲ୍ଲାରେ ବହୁ ଲୋକ ରହିଛନ୍ତି। ମମତା ମହାନ୍ତଙ୍କୁ ୨୦୨୦ ମସିହାରେ ବିଜେଡି ରାଜ୍ୟସଭା ପଠାଇଥିଲା। ଗତ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ।।