ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ: ମତ ବଦଳାଇଲେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ରାଜ୍ୟ ରାଜନୀତିକୁ ପୁଣି ଫେରିଲା ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ। ରାଜ୍ୟରେ ପ୍ରଥମଥର ପାଇଁ ବିଜେପିସରକାର ଗଠନ ହେବାର ୮୦ ଦିନ ପରେ ବିଧାନସଭାରେ ଉଠିଛି ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ। ଏଥିସହିତ ଉଷ୍ମ ହୋଇଛି ରାଜ୍ୟ ରାଜନୀତି। ଓଡ଼ିଶାରେ ହାଇକୋର୍ଟ ସ୍ଥାୟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିବା ପରେ ବିଜେଡି-ବିଜେପି ବିଧାୟକ କହିଛନ୍ତି ଦାବି ଜାରି ରଖିବୁ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ହୋଇଥିଲା। ଆଜି ପୁଣି ଗୃହରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଆଜି ଗୃହରେ ମୋହନ ମାଝୀ କହିଛନ୍ତି, ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରଧୀନ ଅଛି। ଲୋକଙ୍କୁ ତ୍ବରିତ ନ୍ୟାୟ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ଗତକାଲି ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ଆଧାରରେ ଉତ୍ତର ରଖିଥିଲି ବୋଲି ମୋହନ ମାଝୀ କହିଛନ୍ତି।
ସୂଚନାଥାଉକି, ଗତକାଲି ପ୍ରଶ୍ନକାଳରେ ବିଧାୟକ କଳିକେଶ ନାରାୟଣ ସିଂହ ଦେଓ ପ୍ରଶ୍ନ କରିଥିଲେ ଯେ ବଲାଙ୍ଗୀରଠାରେ ଓଡ଼ିଶା ହାଇକୋର୍ଟର ସର୍କିଟ୍ ବେଞ୍ଚ ପ୍ରତିଷ୍ଠା ପାଇଁ ସରକାରଙ୍କ ପ୍ରସ୍ତାବ ଅଛିକି, ଉତ୍ତର ‘ହଁ’ ହେଲେ ସେ ଦିଗରେ କି ପଦକ୍ଷେପ ନିଆଯାଉଅଛି ? ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ମାନ୍ୟବର ସୁପ୍ରିକୋର୍ଟଙ୍କ ଦ୍ବାରା ଏ ସଂକ୍ରାନ୍ତରେ ଆସିଥିବା ରାୟ ଅନୁଯାୟୀ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର କୌଣସି ଯଥାର୍ଥତା ନାହିଁ।
ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ସେ କହିଥିଲେ, ଯେତେବେଳେ ବିରୋଧୀ ଦଳରେ ଥିଲି ସେତେବଳେ ବି ହାଇକୋର୍ଟ ବେଞ୍ଚ ଦାବି କରୁଥିଲୁ। ଆଉ ଏବେ ବି ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପାଇଁ ଦାବି କରୁଛୁ। ଉତ୍ତରପ୍ରଦେଶରେ ୩ଟି, ମହାରାଷ୍ଟ୍ରରେ ୨ଟି ହାଇକୋର୍ଟ ବେଞ୍ଚ ଥିବାବେଳେ ଆଉ କିଛି ରାଜ୍ୟରେ ବି ରହିଛି। ଆମ ଓଡ଼ିଶାରେ କାହିଁକି ହେବନି ବୋଲି କହିଚନ୍ତି ଜୟନାରାୟଣ ମିଶ୍ର।
ଅନ୍ୟପଟେ ବିଜେଡି ନେତା ତଥା ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓ କହିଥିଲେ, ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯଦି କହୁଛନ୍ତି ତାଙ୍କ ଆଗରେ ବିଜେପି ନେତାଙ୍କ ଦାବିର ମୂଲ୍ୟ କ’ଣ ରହିଛି। ସେ ଆହୁରି କହିଛନ୍ତି, ଦୀର୍ଘଦିନରୁ ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ହୋଇ ଆସୁଛି। ହାଇକୋର୍ଟ ବେଞ୍ଚ ପାଇଁ ସଠିକ୍ ପଦକ୍ଷେପ ମୁଖ୍ୟମନ୍ତ୍ରୀ ନିଅନ୍ତୁ ବୋଲି କହିଛନ୍ତି କଳିକେଶ। ଏଥିସହିତ ସେ କହିଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବେ ତେବେ ମୁଁ ବ୍ୟକ୍ତିଗତ ଭାବେ ତାଙ୍କ ସହିତ ମିଶି କାମ କରିବି ବୋଲି କହିଥିଲେ।
ସୂଚନାଥାଉକି, ୨୦୨୩ ଫେବ୍ରୁଆରୀ ୭ ତାରିଖରେ ଟେକ୍ନୋଲୋଜି ଉପଯୋଗରେ କୋର୍ଟ କାର୍ଯ୍ୟ ସମ୍ଭବପର ହୋଇପାରୁଥିବାବେଳେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନର ଯଥାର୍ଥତା ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ।