Odisha Link
Bridging the Missing Links in Odisha

ବାଲେଶ୍ୱରରେ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, କହିଲେ…

ଓଏଲ୍‌ ବ୍ୟୁରୋ: ଲଗାଣ ବର୍ଷା ପରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଆଜି ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସାମିଲ ହୋଇଛନ୍ତି। ବନ୍ୟା ସ୍ଥିତି ସମୀକ୍ଷା ପାରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବାଲେଶ୍ୱରର ୩ ବ୍ଲକରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ଦିନ ପରେ ଜଳସ୍ତର କମିଯିବ। ପୂର୍ଣ୍ଣିମା ଥିବାରୁ ବନ୍ୟା ଜଳ ନିଷ୍କାସନ ହୋଇପାରୁନାହିଁ। ବନ୍ୟା ବିପନ୍ନଙ୍କୁ ସାହାଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ରିଲିଫ କାର୍ଯ୍ୟ ଜାରି ରହିଛି।

ସୂଚନା ଅନୁସାରେ, ଜଳେଶ୍ୱର ରାଜଘାଟରେ ବିପଦ ସଂକେତ ଉପରେ ରହିଛି ସୁବର୍ଣ୍ଣରେଖା ନଦୀ। ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାବେଳେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବାଲେଶ୍ବର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ବର ଓ ବସ୍ତା ବ୍ଲକ ପ୍ରଭାବିତ ହୋଇଛି। ବନ୍ୟା ବିପନ୍ନଙ୍କୁ ଜଳବନ୍ଦୀରୁ ମୁକ୍ତି ଦେବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରଚେଷ୍ଟା ଜାରି ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୁବର୍ଣ୍ଣରେଖାର ବନ୍ୟା ଜଳରେ ବହୁ ଅଞ୍ଚଳ ଜଳବନ୍ଦୀ ହୋଇଛି। ନଦୀ ବନ୍ଧ ଉପରେ ଆଶ୍ରୟ ନେଉଛନ୍ତି ବନ୍ୟା ବିପନ୍ନ। ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଂକେତ ୧୦.୩୬ ମିଟର ହୋଇଥିବାବେଳେ ୧୧.୫୮ ମି ଜଳ ପ୍ରବାହିତ ହେଉଛି। ନଦୀର ଜଳସ୍ତର ବିପଦ ସଂକେତ ପାର ହୋଇଥିବାରୁ ଏକାଧିକ ଗାଁ ପାଣି ଘେରରେ ରହିଛି। ଭୋଗରାଇର ୩୦ ଗାଁ, ବାଲିଆପାଳର ୨୫ ଗାଁ, ବସ୍ତାର ୨୫ ପଞ୍ଚାୟତ ଜଳାବର୍ଣ୍ଣ ହୋଇପଡିଛି। ସରକାରଙ୍କ ପକ୍ଷରୁ ରିଲିଫ କାର୍ଯ୍ୟ ଜାରି ରହିଛି।