ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମେଜର ଓ ତାଙ୍କ ବାନ୍ଧବୀ

ଓଏଲ୍ ବ୍ୟୁରୋ: ଭରତପୁର ଥାନାରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ନିର୍ଯାତନା ଦେବା ଘଟଣା ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। ଭରତପୁର ଥାନା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଉକ୍ତ ତଦନ୍ତ ହେବ। ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କମିଶନଙ୍କୁ ଅନୁରୋଧ କରାଯାଇଥିବା ଜଣାପଡିଛି। ଏହା ପରେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମେଜର ଓ ତାଙ୍କ ବାନ୍ଧବୀ ଭେଟିଛନ୍ତି। କିଛି ଅବସରପ୍ରାପ୍ତ ସେନା ଅଧିକାରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।
ଅନ୍ୟପଟେ, ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗୃହ ବିଭାଗ ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁବତୀ, ମେଜର, ପୋଲିସଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।ଭରତପୁର ଥାନା, କ୍ରାଇମବ୍ରାଞ୍ଚ ଓ ଚନ୍ଦକା ଥାନା ମାମଲାର ତଦନ୍ତ ନିର୍ଦ୍ଦେଶ ଜାରି ହୋଇଛି। ସମସ୍ତ ଅଭିଯୋଗକୁ ବିଚାରକୁ ନେଇ ତଦନ୍ତ କରିବାକୁ ସୁପାରିସ୍ ଦିଆଯାଇଛି। ଏହାସହିତ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି।