ଯୁବଗୋଷ୍ଠୀଙ୍କୁ ମିଳିବ ନିଯୁକ୍ତି ସୁଯୋଗ, ୩୧ଟି ଶିଳ୍ପ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଓଏଲ୍ ବ୍ୟୁରୋ: ଗତକାଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ କମିଟି ବୈଠକରେ ୪୯୫୪ କୋଟି ୨୬ ଲକ୍ଷ ଟଙ୍କାର ୩୧ଟି ଶିଳ୍ପ ପ୍ରସ୍ତାବକୁ ସରକାରୀ ମଞ୍ଜୁରୀ ମିଳିଛି। ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨୪,୧୬୨ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଆକଳନ କରାଯାଇଛି।
ମେକାନିକାଲ ଓ ଇଲେକ୍ଟ୍ରିକାଲ, ଖାଦ୍ୟ ପ୍ରକ୍ରିୟାକରଣ, ପ୍ୟାକେଜିଂ, ପ୍ରସାଧନ ଓ ପୋଷାକ, ଜୈବିକ ଇନ୍ଧନ, ସବୁଜ ଶକ୍ତି ଉପକରଣ, ଇଏସ୍ଡିଏମ୍, ଇସ୍ପାତ, ପ୍ଲାଷ୍ଟିକ, ପର୍ଯ୍ୟଟନ, ଔଷଧ ଭଳି କ୍ଷେତ୍ର ସହିତ ଏହି ନିବେଶ ଜଡିତ। ସୂଚନା ଅନୁସାରେ ଜଗତସିଂହପୁର, ବାଲେଶ୍ୱର, ରାୟଗଡ଼ା, ଢ଼େଙ୍କାନାଳ, ପୁରୀ, ପାରାଦ୍ୱୀପ, କୋରାପୁଟ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ଏସବୁ ଶିଳ୍ପ ସ୍ଥାପନ ହେବ।
ଶାଲିମାର ଗ୍ଲାସ୍ ୱାର୍କ୍ସ ପ୍ରାଇଭେଟ ଲିମିଟେଡ୍ ୪୭୫ କୋଟି ଟଙ୍କାରେ ୧୦୯୫୦୦ ମେଟ୍ରିକ୍ ଟନ୍ କ୍ଷମତାର ପ୍ୟାକେଜିଂ କଣ୍ଟେନର ଗ୍ଲାସ୍ ଉତ୍ପାଦନ କରିବ। ସେହିପରି ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ୨୦୦ କୋଟି ଟଙ୍କା ନିବେଶ କରି କମ୍ପ୍ରେସ୍ଡ୍ ବାୟୋଗ୍ୟାସ୍ ଏବଂ ରିଲାଏସନ୍ସ ବାୟୋ ଏନର୍ଜୀ ୨୪୨ କୋଟି ଟଙ୍କା ବ୍ୟୟରେ ଲିମିଟେଡ୍ ସୋନପୁର ଓ ସମ୍ବଲପୁରରେ ଗୋଟିଏ ଲେଖାଏଁ କାରଖାନା ସ୍ଥାପନ କରିବ।
ସୁରୟା ଇଣ୍ଟରନ୍ୟାସନାଲ ଏଣ୍ଟରପ୍ରାଇଜ୍ ଲିମିଟେଡ୍ ୮୦ କୋଟି ବିନିଯୋଗ କରିବା ସହ ସବୁଜ ଶକ୍ତି ଉପକରଣ ଉତ୍ପାଦନ କରିବ। ମେ’ ଫେୟାର ହୋଟେଲ ପାରାଦ୍ୱୀପ ସ୍ଥିତ ପାନ୍ଥନିବାସରେ ୧୦୫ କୋଟି ଟଙ୍କା ବିନିଯୋଗ କରି ୩୦୦ ଲୋକଙ୍କୁ ନିଯୁକ୍ତି ଦେବ। ସେହିପରି ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ୬୦ ମେଗାୱାଟ୍ କ୍ଷମତାର ସୌର ଶକ୍ତି ପ୍ଲାଣ୍ଟ ସ୍ଥାପନ ପାଇଁ ୨୯୪ କୋଟି ଟଙ୍କା ନିବେଶ କରିବ ବୋଲି ଜଣାପଡିଛି।