Odisha Link
Bridging the Missing Links in Odisha

‘ରାସନ ଅପେକ୍ଷାରେ ୬ ଲକ୍ଷ ଲୋକ, କେୱାଇସି ସରିଲେ ମିଳିବ ନୂଆ ରାସନକାର୍ଡ’

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଛି। ଗୃହରେ ବିଭାଗୀୟ ମନ୍ତ୍ରୀ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି। ଏସବୁ ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି। ଚାଲୁ ରହିଥିବା ରାସନ କାର୍ଡ କେୱାଇସି ପ୍ରକ୍ରିୟାରୁ ୧,୭୭,୦୬୮ ମୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି।

ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୩ କୋଟି ୩୬ ଲକ୍ଷ ୩୫ ହଜାର ୯୧୮ ଙ୍କ ମଧ୍ୟରୁ ଆଜିଯାଏଁ ୨ କୋଟି ୬୯ ଲକ୍ଷ ୨୩ ହଜାର ୮୩୦ ହିତାଧିକାରୀଙ୍କ କେୱାଇସି ଯାଞ୍ଚ ସାରିଲାଣି। ଏବେ ବି ୬ ଲକ୍ଷ ୧୯ ହଜାର ୮୩୬ ନୂଆ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି। ତେବେ ଭୂତ ହିତାଧିକାରୀଙ୍କ ବାବଦରେ ଜଣାପଡିବା ପରେ ପୁରା ତାଲିକାରେ ସଂଶୋଧନ କରାଯିବ। ଭୂତ ହିତାଧିକାରୀଙ୍କ ନାଁକୁ ତାଲିକାରୁ ହଟାଯାଇ ଯେତିକି ସ୍ଥାନ ଖାଲି ହେବ ସେଠାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।