Odisha Link
Bridging the Missing Links in Odisha

ଯାତ୍ରାରେ ବନ୍ଦ ହେବ ଅଶ୍ଲୀଳ ନୃତ୍ୟ, ଜାରି ହେବ ମାର୍ଗଦର୍ଶିକା

ଓଏଲ୍‌ ବ୍ୟୁରୋ: ଯାତ୍ରା ଓ ମେଲୋଡି ଓଡ଼ିଶାରେ ମନୋରଞ୍ଜନର ଏକ ଲୋକପ୍ରିୟ ମାଧ୍ୟମ ସାଜିଛି। ହେଲେ ଅଶ୍ଲୀଳ ନୃତ୍ୟକୁ ନେଇ ଅନେକ ବିବାଦ ଦେଖା ଦେଉଛି। ଅଶ୍ଲୀଳ ନୃତ୍ୟରେ କେବେ ପୂର୍ଣ୍ଣଚ୍ଛେଦ ପଡିବ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଆଜି ବିଧାନସଭାରେ ସଂସ୍କୃତି ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ଯାତ୍ରାରେ ଅଶ୍ଲୀଳ ନୃତ୍ୟ ବନ୍ଦ ହେବ। ରାଜ୍ୟ ସରକାର ଏଥିପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରୁଛନ୍ତି।

ସୂଚନା ଅନୁସାରେ, ପୂର୍ବରୁ ଯାତ୍ରାରେ ବଢୁଥିବା ଅଶ୍ଲୀଳତାକୁ ଦୃଷ୍ଟିରେ ରଖି ଯାତ୍ରା ଓ ମେଲୋଡି ମଞ୍ଚ ଉପରେ ଆଉ ଅଶ୍ଲୀଳ ନୃତ୍ୟ ପରିବେଷଣ ହେବ ନାହିଁ ବୋଲି କଟକଣା ଜାରି ହୋଇଥିଲା। ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖାଯାଇଥିଲା। ଚିଠି ଅନୁସାରେ, ଦ୍ୱିଅର୍ଥବୋଧକ ସଂଳାପ କହିପାରିବେନି କଳାକାର। ମେଲୋଡି କିମ୍ବା ନାଟକ ପରିବେଷଣ ସମୟରେ କଳାକାର ଓଡ଼ିଶାର ଗୌରବମୟ ସଂସ୍କୃତିକୁ ସମ୍ମାନ ଜଣାଇବେ। ଏହି ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଥିଲା, ଯାତ୍ରା ଓ ମେଲୋଡି ରାଜ୍ୟରେ ମନୋରଂଜନର ଏକ ଲୋକପ୍ରିୟ ମାଧ୍ୟମ। କିନ୍ତୁ ମଞ୍ଚରେ ଅଶ୍ଲୀଳ ନୃତ୍ୟ, ଅଙ୍ଗଭଙ୍ଗୀ, ଦ୍ୱିଅର୍ଥବୋଧକ ସଂପଳା ଓ ଅଭିନୟ ଦ୍ୱାରା ପରିବାର ସଦସ୍ୟ ଏକାଠି ବସି ନାଟକ ଦେଖିବା ସମ୍ଭବ ହେଉନି। ଯୁବକ ଯୁବତୀମାନେ ବିପଥଗାମୀ ହେଉଛନ୍ତି। ତା ସହିତ ଆମର ସଂସ୍କୃତି ମଧ୍ୟ କଦର୍ଥ ହେଉଛି। ତେଣୁ ଏହାକୁ ବନ୍ଦ କରିବାକୁ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଥିଲେ।

Leave A Reply

Your email address will not be published.