କତାରରୁ ମୁକୁଳିଲେ ୮ ଭାରତୀୟ ନ୍ୟାଭି ଭେଟେରାନ୍

ଓଏଲ୍ ବ୍ୟୁରୋ: ଭାରତୀୟ କୂଟନୀତିର ବଡ ବିଜୟ। ଗୁପ୍ତଚର ମାମଲାରେ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଯବାନଙ୍କୁ ମୁକ୍ତ କରିଛି କତାର। ଗୁପ୍ତଚର କାର୍ଯ୍ୟ ମାମଲାରେ ନୌସେନାର ଏହି ୮ ଭେଟେରାନଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲା। ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ସମସ୍ତଙ୍କୁ ମୁକ୍ତ କରିଛି। ମୁକ୍ତ ୮ ଜଣଙ୍କ ମଧ୍ୟରୁ ୭ ଜଣ ଭାରତରେ ପହଞ୍ଚି ସାରିଛନ୍ତି। ସୋମବାର ସକାଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି ଏହି ଘଟଣାକୁ ସ୍ୱାଗତ କରିଛି।
ଏହାସହ ଅଲ୍ ଦହରା ଗ୍ଲୋବାଲ କମ୍ପାନୀରେ କାମ କରୁଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ କର୍ମଚାରୀଙ୍କ ମଧ୍ୟରୁ ୭ ଜଣ କତାରରୁ ଭାରତ ଫେରିଛନ୍ତି। ଗୁପ୍ତଚର କାର୍ଯ୍ୟ ମାମଲାରେ ସେମାନଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା। କତାରରେ ଅଟକ ରଖାଯାଇଥିବା ଦହରା ଗ୍ଲୋବାଲ କମ୍ପାନୀରେ କାମ କରୁଥିବା ୮ ଜଣ ଭାରତୀୟ ନାଗରିକଙ୍କୁ ମୁକ୍ତ କରିବା ପାଇଁ ଭାରତ ସରକାର ଅପିଲ କରିଥିଲେ। ନାଗରିକଙ୍କୁ ମୁକ୍ତ କରିବା ଏବଂ ସ୍ୱଦେଶ ଫେରାଇ ଆଣିବା ପାଇଁ କତାର ସରକାରର ନିଷ୍ପତିକୁ ବୈଦେଶିକ ମନ୍ତ୍ରଣାଳୟ ବିବୃତି ଜାରି କରି ସ୍ୱାଗତ କରିଛି।
ଗତ ବର୍ଷ ଡିସେମ୍ବରରେ କତାରର ଏକ ଅଦାଲତ ଅଲ୍ ଦହରା ଗ୍ଲୋବାଲ ମାମଲାରେ ଗିରଫ ହୋଇଥିବା ଭାରତୀୟ ନୌସେନାର ୮ ଜଣ ଯବାନଙ୍କ ମୃତ୍ୟୁଦଣ୍ଡକୁ ପ୍ରତ୍ୟାହାର କରିଥିଲା। ଅପିଲ୍ ପରେ ସେମାନଙ୍କର ଦଣ୍ଡ କୋହଳ କରାଯାଇଥିଲା। ଦ୍ୱିପାକ୍ଷିକ ଆଲୋଚନା ଜରିଆରେ ମୁକ୍ତିର ବାଟ ଫିଟିଥିଲା। କାତାର ସରକାରଙ୍କୁ ଭାରତ ସରକାର କୃତଜ୍ଞତା ଜଣାଇଛନ୍ତି।