ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: ୪ ସପ୍ତାହ ଭିତରେ ନିଯୁକ୍ତ ହେବେ କମିଟି ଅଧ୍ୟକ୍ଷ

ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ତଦନ୍ତ କମିସନ ରିପୋର୍ଟକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି। ରିପୋର୍ଟ ସାର୍ବଜନୀନ ପାଇଁ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇଛନ୍ତି। ଆସନ୍ତା ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ୪ ସପ୍ତାହ ମଧ୍ୟରେ କମିଟି ଅଧ୍ୟକ୍ଷ ନିଯୁକ୍ତି କରିବେ ସରକାର। ୪ ସପ୍ତାହରେ ନିଯୁକ୍ତି ନେଇ ହାଇକୋର୍ଟଙ୍କୁ ସରକାର ଜଣାଇଛନ୍ତି। ସୁପ୍ରିମକୋର୍ଟ/ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବେ।
ସୂଚନାଥାଉକି, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟବ୍ୟାପି ହଇଚଇ ସୃଷ୍ଟି ହୋଇଥିଲା। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଂଗଠନ ହୋହଲ୍ଲା କରିଥିଲେ। ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଗୁରୁତ୍ବ ଦେଇ ଜଷ୍ଟିସ ରଘୁବୀର ଦାସଙ୍କୁ ନେଇ ଏକ ତଦନ୍ତ କମିସନ ଗଠନ କରିଥିଲେ। କମିସନ ନିଜର ତଦନ୍ତ ଶେଷ କରି ୨୦୧୮ ନଭେମ୍ବର ୨୯ରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। କିନ୍ତୁ ତାହା ଏବେ ଯାଏ ବି ସାର୍ବଜନୀନ କରାଯାଇନାହିଁ।
ଅନ୍ୟପଟେ, ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ଏଏସ୍ଆଇ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ଏଏସ୍ଆଇ ଅଧୀକ୍ଷକ ନିଜର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ଭିତର ଭଣ୍ଡାର କେବେ ମଧ୍ୟ ଅନୁଧ୍ୟାନ ହୋଇନାହିଁ। ୨୦୧୮ରେ ଶେଷ ଥର ପାଇଁ ବାହାର ଭଣ୍ଡାର ଅନୁଧ୍ୟାନ ହୋଇଥିଲା। ସେତେବେଳେ ଛାତରୁ ପାଣି ଗଳୁଥିବା କହିଥିଲେ।
ଚଟାଣରେ ପଥର ପଡ଼ିଥିଲା। କାନ୍ଥ ଭିତରୁ ଏକ ଫମ୍ଫସା ଶବ୍ଦ ମଧ୍ୟ ଶୁଭୁଥିଲା ମଧ୍ୟ ଅଧୀକ୍ଷକ କହିଥିଲେ। ଏହା ସହ ଏଏସ୍ଆଇ ଅଧୀକ୍ଷକ କହିଥିଲେ ଯେ, ରତ୍ନଭଣ୍ଡାରର ମରାମତି ଆବଶ୍ୟକ ରହିଛି। ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି। ହାଇକୋର୍ଟ ନିର୍ଦ୍ଦେଶ ଦେଲେ ଯଥାଶୀଘ୍ର ମରାମତି କରିବୁ ବୋଲି ଏଏସ୍ଆଇ ଅଧୀକ୍ଷକ କହିଥିଲେ।