ପତଞ୍ଜଳିର ୧୪ଟି ଉତ୍ପାଦ ଉପରେ ବ୍ୟାନ୍ ଲଗାଇଲେ ସରକାର

ଓଏଲ୍ ବ୍ୟୁରୋ: ଦିନ ଗୁଡ଼ୁଛି ହେଲେ ଯୋଗ ଗୁରୁ ବାବା ରାମଦେବଙ୍କ ଅଡ଼ୁଆ ଥମୁନାହିଁ। ସୁପ୍ରିମକୋର୍ଟଙ୍କ ଛାଟ ପରେ ବାବା ରାମଦେବଙ୍କୁ ଲାଗୁଛି ଗୋଟିଏ ପରେ ଗୋଟିଏ ଝଟକା। ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଉତ୍ତରାଖଣ୍ଡ ସରକାର ମଧ୍ୟ ଆକ୍ସନ ମୁଡରେ। ପତଞ୍ଜଳିର ଦିବ୍ୟା ଫାର୍ମାସିର ୧୪ଟି ଉତ୍ପାଦକୁ ବ୍ୟାନ୍ କରିଛନ୍ତି ଉତ୍ତରାଖଣ୍ଡ ସରକାର।ବିଭ୍ରାନ୍ତିକର ତଥା ମିଥ୍ୟା ବିଜ୍ଞାପନ ମାମଲାରେ ଦିବ୍ୟା ଫାର୍ମାସିର ଉତ୍ପାଦଗୁଡିକ ଉପରେ କଟକଣା ଲଗାଇଛନ୍ତି ଉତ୍ତରାଖଣ୍ଡ ସରକାର।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପତଞ୍ଜଳୀ ବିଭ୍ରାନ୍ତିକର ବିଜ୍ଞାପନ ଦେଇ ଚାଲିଥିବାରୁ ସର୍ବୋଚ୍ଚ ଅଦାଲତ କିଛି ଦିନ ତଳେ ବାବା ରାମଦେବଙ୍କୁ କଡ଼ା ସମାଲୋଚନା କରିଥିଲେ। ଉତ୍ତରାଖଣ୍ଡ ଔଷଧ ନିୟନ୍ତ୍ରଣ ବିଭାଗ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଦିବ୍ୟା ଫାର୍ମାସି ବାରମ୍ବାର ନିଜ ଉତ୍ପାଦ ସମ୍ପର୍କରେ ଭ୍ରମ ସୃଷ୍ଟି କରୁଥିବା ବିଜ୍ଞାପନ ପ୍ରକାଶ କରୁଥିବାରୁ ଏହାର ୧୪ଟି ଉତ୍ପାଦକୁ ବ୍ୟାନ୍ କରି ଦିଆଯାଇଛି।
ଦିବ୍ୟା ଫାର୍ମାସିର ଶ୍ବାସାରି ଗ୍ଲୋଡ, ଶ୍ବାସାରି ବଟି, ଦିବ୍ୟ ବ୍ରୋକୋମ, ଶ୍ବାସାରି ପ୍ରବାହୀ, ଶ୍ବାସାରି ଅବଲେହ, ମୁକ୍ତା ବଟି ଏକ୍ସଟ୍ରା ପାଓ୍ବର, ଲିପିଡୋମ, ବିପି ଗ୍ରିଟ, ମଧୁଗ୍ରିଟ, ମଧୁନାଶିନୀ ବଟି ଏକ୍ସଟ୍ରା ପାଓ୍ବାର, ଲିବାମୃତ ଏଡବାସ, ଲିବୋଗ୍ରିଟ, ଆଇଗ୍ରିଟ ଗ୍ଲୋଡ ଓ ପତଞ୍ଜଳି ଦୃଷ୍ଟି ଆଇ ଡ୍ରପ୍ ଉପରେ ବ୍ୟାନ୍ ଲଗାଇଛନ୍ତି ସରକାର।
ଏ ପ୍ରସଙ୍ଗରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ)ର ବୟାନ ଆସିଛି। ଆଇଏମ୍ଏର ସଭାପତି ଡାକ୍ତର ଆର୍ ଭି ଅଶୋକନ୍ କହିଛନ୍ତି ଯେ, ବାବା ରାମଦେବ କୋଭିଡ୍-୧୯ର ଉପଚାର ଅଛି ବୋଲି ଦାବି କରିବା ସହ ଆଧୁନିକ ଔଷଧକୁ ଏକ ମୂର୍ଖାମୀ ଓ ଦେବାଳିଆ ବିଜ୍ଞାନ ବୋଲି ବଦନାମ କରିଥିଲେ।ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ।