Odisha Link
Bridging the Missing Links in Odisha

ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ, ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ

ଓଏଲ୍‌ ବ୍ୟୁରୋ: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଏଏସ୍‌ଆଇ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଂଚ ଅନୁଷ୍ଠିତ ପ୍ରକ୍ରିୟା ଆରମ୍ଭ ହୋଇଛି। ରତ୍ନଭଣ୍ଡାରରେ ଆଉ କିଛି ରହିଛି କି ନାହିଁ ତଦାରଖ କରିବେ ଏଏସ୍‌ଆଇ ଦଳ। ଏଏସ୍‌ଆଇ ଏଡିଜି ଜାନ୍‌ଭିଜ୍‌ ଶର୍ମାଙ୍କ ନେତୃତ୍ବରେ ହେବ ତଦାରଖ। ଏଥିପାଇଁ ୧୭ ଜଣିଆ ଦଳ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହି ନିରୀକ୍ଷଣ ଅନୁଷ୍ଠିତ ହେବ।

ଏଥିପାଇଁ ଆଜି ଦିନ ୧ଟାରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ।

ପ୍ରଥମତଃ ଏହି ସର୍ବେକ୍ଷଣ ସମ୍ପର୍କିତ ଉତ୍ତୋଳନ ହେଉଥିବା ଚିତ୍ର କିମ୍ବା ଭିଡିଓ କେବଳ ବୈଜ୍ଞାନିକ ଅନୁସନ୍ଧାନ ସକାଶେ ବ୍ୟବହାର କରାଯିବ, ଏହା କୌଣସି ମିଡିଆ କିମ୍ବା ସୋସିଆଲ୍ ମିଡିଆରେ ପ୍ରସାରିତ ହେବ ନାହିଁ। ଦ୍ବିତୀୟତଃ ବୈଜ୍ଞାନିକ ଯନ୍ତ୍ରପାତି ନେବା ବା ବ୍ଯବହାର ସମୟରେ ଶ୍ରୀମନ୍ଦିର ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ସମ୍ମାନ ପ୍ରଦାନ କରାଯିବାକୁ ସର୍ତ୍ତ ରଖାଯାଇଛି।