Odisha Link
Bridging the Missing Links in Odisha

ହାତୀ ମୃତ୍ୟୁ ମାମଲା: ଆକ୍ସନ ପ୍ଲାନ୍ ପ୍ରସ୍ତୁତ ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ଏକକାଳୀନ ୩ ହାତୀ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ସମ୍ବଲପୁର ନାକଟିଦେଉଳ ରେଞ୍ଜ ବୁରମାଳ ଜଙ୍ଗଲରୁ ୩ଟି ହାତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଦୁଇଟି ବଡ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହାତୀ ମୃତ୍ୟୁର ତଦନ୍ତ ଲାଗି JTFକୁ ନିର୍ଦ୍ଦେଶ ଦିଆଯାଇଥିଲା। ହାତୀ ମୃତ୍ୟୁ ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହା ସହ ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ। ନିଜ ଆଡୁ ଜନସ୍ଵାର୍ଥ ମାମଲା ଦାୟର କରିଛନ୍ତି ହାଇକୋର୍ଟ।

ନିଜ ଆଡ଼ୁ ଜନସ୍ୱାର୍ଥ ମାମଲା ଦାୟର କରି ୧୦ ଦିନରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ଲାଗି ହାଇକୋର୍ଟ PCCFଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ୍ ବିତରଣ କମ୍ପାନୀଙ୍କ ସହ ବୈଠକ କରି ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟୁତ୍ ଆଘାତଜନିତ ହାତୀ ମୃତ୍ୟୁ ନେଇ PCCF ସତ୍ୟପାଠ ଦେଇଛନ୍ତି। ୨୦୨୧ରୁ ୨୦୨୪ ନଭେମ୍ବର ମଧ୍ୟରେ ବିଦ୍ୟୁତ୍‌ ଲାଗି ୮୫ ହାତୀ ମୃତ୍ୟୁ ହୋଇଛି।ତେବେ ୨ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

ସୂଚନା ଅନୁସାରେ, ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ କଡା ଆକ୍ସନ ନିଆଯାଇଛି। ୩ ଜଣ କ୍ଷେତ୍ର ବନ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରିଛି ବନବିଭାଗ। ୨ ବରିଷ୍ଠ ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍ ହୋଇଛି। ଜଙ୍ଗଲ ଭିତରେ ବିଦ୍ୟୁତ୍ ଲଗେଇ ଥିବା ୪ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଗିରଫ ହୋଇଥିବାବେଳେ ଜଣେ ଫେରାର ରହିଛନ୍ତି। ଫେରାର ଅଭିଯୁକ୍ତଙ୍କୁ ପୁଲିସ ସହାୟତାରେ ବନ ବିଭାଗ ଖୋଜୁଛି।