‘ସାର୍କ’ ଦେଶ ଗୁଡିକୁ ମୋଦୀଙ୍କ ପତ୍ର

ନୂଆଦିଲ୍ଲୀ: ଆତଙ୍କବାଦର ଅବସାନ ନିମନ୍ତେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାର୍କ ଦେଶଗୁଡ଼ିକ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସାର୍କର ପ୍ରତିଷ୍ଠା ଦିବସ ଅବସରରେ ସାର୍କ ସଚିବାଳୟକୁ ଏକ ପତ୍ର ଲେଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ଜୋରଦାର ହୋଇପାରିଲେ ଏଥିସହ ଜଡିତ ମେଣ୍ଟଭୁକ୍ତ ରାଷ୍ଟ୍ରଙ୍କ ମଧ୍ୟରେ ଅଧିକ ବିଶ୍ୱାସ ସୃଷ୍ଟି ହୋଇପାରିବ। ପାକିସ୍ତାନ ସଂପର୍କରେ ପରୋକ୍ଷ ଭାବରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାର୍କର ସଭ୍ୟରାଷ୍ଟ୍ରଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ଓ ସହଯୋଗ ପ୍ରତିଷ୍ଠା ପାଇଁ ଭାରତ ଉଦ୍ୟମ କରିଥିଲେ ହେଁ କେତେକ ରାଷ୍ଟ୍ର ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ୱାରା ଏହାକୁ ବାରମ୍ବାର ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି। ଏହା ଫଳରେ ସାର୍କ ତା’ର ଲକ୍ଷ୍ୟ ସାଧନ ଦିଗରେ ସଫଳ ହୋଇପାରୁ ନାହିଁ। ଏହା ସତ୍ତ୍ବେ ସାର୍କ ମେଣ୍ଟ କେତେକ କ୍ଷେତ୍ରରେ ପ୍ରଗତି କରିଛି। ତେବେ ଆହୁରି ଅନେକ କିଛି କରିବାକୁ ରହିଛି ବୋଲି ସେ କହିଛନ୍ତି।
୨୦୧୪ ମସିହାରେ କାଠମାଣ୍ଡୁ ଠାରେ ସାର୍କର ଶେଷ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇଥିଲେ। ୨୦୧୬ରେ ଇସଲାମାବାଦଠାରେ ଅନୁଷ୍ଠିତ ହେବାକୁ ଥିବା ଶିଖର ସମ୍ମିଳନୀରେ ଭାରତ ଉରୀ ଆତଙ୍କବାଦୀ ଆକ୍ରମଣ ଘଟଣା ଯୋଗୁଁ ଯୋଗ ଦେବାକୁ ମନା କରିଦେଇଥିଲା। ବାଂଲାଦେଶ, ଭୁଟାନ ଏବଂ ଆଫଗାନିସ୍ଥାନ ଏଥିରେ ମଧ୍ୟ ଯୋଗ ଦେବାକୁ ମନା କରିଦେବାରୁ ଏହି ସମ୍ମିଳନୀ ବାତିଲ ହୋଇଥିଲା। ପ୍ରତିବର୍ଷ ଡିସେମ୍ବର ୮ ତାରିଖ ସାର୍କ ସନନ୍ଦ ଚୁକ୍ତି ଦିବସ ଭାବେ ପାଳିତ ହୋଇଥାଏ।