ରାଜ୍ୟ ବିଦ୍ୟୁତ୍ କଣ୍ଟ୍ରାକ୍ଟରଙ୍କ କ୍ଷୋଭ : ଲୋକଙ୍କ ବିପଦ ବେଳେ ଆମେ….

ଭୁବନେଶ୍ୱର : ବାତ୍ୟା ‘ଫନୀ’କୁ ଦେଢମାସ ପୂରିଗଲାଣି ବସିଲାଣି । ଏବେ ବି ପୁରୀ ଜିଲ୍ଲାର ଅନେକ ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ। ସହରାଞ୍ଚଳକୁ ବାଦ୍ ଦେଲେ ଗାଁ ଗଣ୍ଡା ଅବସ୍ଥା କହିଲେ ନ ସରେ । ପୁରୀ ଜିଲ୍ଲାକୁ ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ କରିବାକୁ ଆହୁରି ୬ ମାସ ଲାଗିଯିବ ବୋଲି କାର୍ଯ୍ୟରେ ଥିବା କଣ୍ଟ୍ରାକ୍ଟରମାନେ କହୁଛନ୍ତି। ଏମିତି କଣ୍ଟ୍ରାକ୍ଟରମାନଙ୍କୁ ଡରାଇ ଧମକାଇ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ କରାଯାଉଛି। ଲାଇସେନ୍ସ ଚାଲିଯିବା ଭୟରେ ସେମାନେ ଅଣକୁଶଳୀ ଶ୍ରମିକମାନଙ୍କୁ ନେଇ କାମରେ ଲଗାଉଛନ୍ତି। ଫଳରେ ଉତ୍ତମ ବିଦ୍ୟୁତ୍ କାର୍ଯ୍ୟ ହୋଇପାରୁନାହିଁ। ଏଥିସହିତ ଅନେକ ଦୁର୍ଘଟଣା ଘଟି ପ୍ରାଣହାନି ହେଉଛି।
ସୂଚନା ଅନୁସାରେ, ରାଜ୍ୟରେ ପ୍ରାୟ ୩୩୦୦ ଲାଇସେନ୍ସପ୍ରାପ୍ତ ବିଦ୍ୟୁତ୍ କଣ୍ଟ୍ରାକ୍ଟର ଅଛନ୍ତି। ସେଥିରୁ ୮୮୦ ହାଇ ଟେନସନ ଲାଇସେନ୍ସପ୍ରାପ୍ତ କଣ୍ଟ୍ରାକ୍ଟର ଥିବା ବେଳେ ୫୦୦ ମିଡିୟମ ଭୋଲଟେଜ, ୧୦୦ରୁ ଊର୍ଦ୍ଧ୍ୱ ଏକ୍ସଟ୍ରା ହାଇ ଟେନସନ ଏବଂ ଅନ୍ୟାନ୍ୟ କଣ୍ଟ୍ରାକ୍ଟର ଅଛନ୍ତି। ଏହି କଣ୍ଟ୍ରାକ୍ଟରମାନଙ୍କୁ ସରକାରୀ ସହଯୋଗ ମିଳୁ ନ ଥିବାରୁ ସେମାନଙ୍କ ମଧ୍ୟରୁ ଅଧିକାଂଶ କଣ୍ଟ୍ରାକ୍ଟରଙ୍କ ଲାଇସେନ୍ସ ରଦ୍ଦ ହୋଇ ସାରିଲାଣି । ରାଜ୍ୟରେ କାମଧନ୍ଦା ମିଳୁ ନ ଥିବାରୁ ଆର୍ଥିକ ଦୁରବସ୍ଥା ଯୋଗୁ ଅନେକ କଣ୍ଟ୍ରାକ୍ଟର ସେମାନଙ୍କର ବେଉସା ହରାଇ ବସିଲେଣି। ଆଉ ଯେଉଁ କେତେକ ଅଛନ୍ତି ସେମାନେ ଭୟଙ୍କର ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଛନ୍ତି। ନିୟମିତ କାମ ନ ମିଳିବା ଯୋଗୁ କଣ୍ଟ୍ରାକ୍ଟରମାନେ ନିଜ ଅଧୀନରେ କୁଶଳୀ ଶ୍ରମିକ ରଖିପାରୁ ନାହାନ୍ତି। ସରକାର ସେମାନଙ୍କ ଦାବି ଶୁଣୁ ନ ଥିବାରୁ ରାଜ୍ୟର କଣ୍ଟ୍ରାକ୍ଟରମାନେ ଆଉ ଅଣ୍ଟା ସଳଖି ଛିଡା ହେବା ଭଳି ଅବସ୍ଥାରେ ନାହାନ୍ତି। ତେବେ ବାତ୍ୟା ଫନୀ ପାଇଁ ପ୍ରସ୍ତୁତ ନ ଥିବା ଶକ୍ତି ବିଭାଗ ରାଜ୍ୟର କଣ୍ଟ୍ରାକ୍ଟରମାନଙ୍କୁ ଡରାଇ ଧମକାଇ କାର୍ଯ୍ୟରେ ହାସଲ କରୁଛି । ଯେଉଁମାନେ କାର୍ଯ୍ୟରେ ଯୋଗ ଦେବେ ନାହିଁ ସେମାନଙ୍କ ଲାଇସେନ୍ସ ରଦ୍ଦ କରି ଦିଆଯିବ ବୋଲି ଶକ୍ତି ବିଭାଗ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି। ଫଳରେ ବାତ୍ୟା ପରଦିନ ଅର୍ଥାତ୍ ମେ ୪ ତାରିଖରୁ ରାଜ୍ୟର ଲାଇସେନ୍ସ ପ୍ରାପ୍ତ କଣ୍ଟ୍ରାକ୍ଟରମାନେ ବାଧ୍ୟହୋଇ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଗାଁ ଗଣ୍ଡାରୁ ଅଣ କୁଶଳୀ ଲୋକଙ୍କୁ ଆଣି କାର୍ଯ୍ୟରେ ଲଗାଇଛନ୍ତି। ଏଥିଯୋଗୁ ୩ ଜଣ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଶକ୍ତି ବିଭାଗ ପକ୍ଷରୁ ଆବଶ୍ୟକ ସରଞ୍ଜାମ ଠିକ୍ ସମୟରେ ଯୋଗାଇ ଦିଆଯାଉ ନାହିଁ। ଫଳରେ ପୁନରୁଦ୍ଧାର କାର୍ଯ୍ୟରେ ସେତେଟା ଅଗ୍ରଗତି ହୋଇ ପାରୁ ନାହିଁ। ଏହାଛଡା ଅନେକ ସ୍ଥାନରେ ଲୋକମାନେ ଠିକା କର୍ମଚାରୀମାନଙ୍କୁ ମାଡ ମାରିବା ସହ ବିଭିନ୍ନ ସ୍ଥାନରେ ଅଟକ ରଖୁଛନ୍ତି। ଶ୍ରମିକମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ ନ ଥିବା କେତେକ କଣ୍ଟ୍ରାକ୍ଟର ଅଭିଯୋଗ କରିଛନ୍ତି। ବିଦ୍ୟୁତ୍ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୬୪୦ ଜଣ ଏଚଟି ବିଦ୍ୟୁତ କଣ୍ଟ୍ରାକ୍ଟରଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିବା ବେଳେ ୫୦୦ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଅନ୍ୟମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଆସନ୍ତା ୨୫ ତାରିଖ ମଧ୍ୟରେ ଯଥେଷ୍ଟ କାରଣ ଦର୍ଶାଇ ନ ପାରିଲେ ଲାଇସେନ୍ସ ରଦ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି।
Comments are closed.