ସିଂହଦ୍ୱାର ସାମ୍ନାରେ ଜଳିବନି କାଉଁରିଆ

ପୁରୀ: ଚଳିତ ବର୍ଷ ସିଂହଦ୍ୱାର ସାମ୍ନାରେ ଜାଳି ହେବନି କାଉଁରିଆ। ଲୋକେ ପୟା ଶ୍ରାଦ୍ଧ ପାଳନ କରିପାରିବେ, ମାତ୍ର କାଉଁରିଆ ଜାଳିବା ଉପରେ ରୋକ୍ ଲାଗାଇଛି ଜିଲ୍ଲା ପ୍ରଶାସନ। କାଉଁରିଆ ଜାଳିବା ଦ୍ବାରା ଧୂଆଁ ଯୋଗୁଁ ପ୍ରଦୂଷଣ ଓ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏପରି କଟକଣା ଜାରି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ।
ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରଦ୍ଧାଳୁ କେବଳ ପୟାଶ୍ରାଦ୍ଧ କର୍ମ କରି ଫେରିଯିବାକୁ ପ୍ରଶାସନ ଅନୁରୋଧ କରିଛି। ପ୍ରତିବର୍ଷ ଦୀପାବଳି ସନ୍ଧ୍ୟାରେ ଶ୍ରୀମନ୍ଦିର ଚାରିପଟେ ଶହ ଶହ ଶ୍ରଦ୍ଧାଳୁ ପୟାଶ୍ରାଦ୍ଧ କରି କାଉଁରିଆ କାଠି ଜାଳିଥାନ୍ତି। କିନ୍ତୁ ଏବର୍ଷ କରୋନା ସଂକ୍ରମଣ ବଢିବା ଆଶଙ୍କାରେ ପ୍ରଦୂଷଣ ରୋକିବାକୁ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି।