Odisha Link
Bridging the Missing Links in Odisha

ଓଡ଼ିଶା ଫେରିଲେ ବିରଜୁ

ସୁନ୍ଦରଗଡ: ୨୫ ବର୍ଷ ପରେ ଓଡିଶାକୁ ଫେରିଲେ ବିରଜୁ କୁଲୁ। ୨୦ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟିବାପରେ ନିର୍ଦ୍ଦୋଷରେ ଖଲାସ ହୋଇ ଆଜି ନିଜ ଗାଁ କୁ ଫେରିଛନ୍ତି ବିରଜୁ। ଜିଲ୍ଲା ପ୍ରଶାସନର ସ୍ଵତନ୍ତ୍ର ଟିମ୍‌ ବିରଜୁଙ୍କୁ ନେଇ ସୁନ୍ଦରଗଡ କୁତ୍ରାରେ ପହଞ୍ଚିଛି। ଗତକାଲି ରାତିରେ ସେ କୁତ୍ରା ଠାରୁ ୧୩୨ କିଲୋମିଟର ଦୂର ଝାରଖଣ୍ଡ ରାଜ୍ୟ ଗୁମଲାରେ ପହଞ୍ଚି ରାତି କାଟିବା ପରେ ଆଜି ସକାଳୁ କୁତ୍ରା ଅଭିମୁଖେ ଵାହାରିଥିଲେ।

ଓଡିଶା ଫେରିବା ପରେ ବିରଜୁ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ‘ଅନ୍ୟମନସ୍କ ଭାବେ ପାକ୍ ସୀମା ପାର୍ କରିଥିଲି। ଜେଲରେ ରୁଟି ଓ ଡାଲି ଖାଇବାକୁ ମିଳୁଥିଲା।’

ସୂଚନାଯୋଗ୍ୟ, କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗ ଜଙ୍ଗର ପଡାର ମାରକୁସ କୁଲୁ ଓରଫ୍ ବିରଜୁ ମାନସିକ ଅନଗ୍ରସ ଥିଲେ। ପ୍ରାୟ ୨୫ ବର୍ଷ ତଳେ ସେ ଘରଛାଡି ଝାଡଖଣ୍ଡକୁ ଚାଲି ଯାଇଥିଲେ। ସେଠାରୁ ପୁଣି କୁଆଡ଼େ ନିରୁଦ୍ଦିଷ୍ଟ ହୋଇ ଯାଇଥିଲେ। ପରିବାରବର୍ଗ ତାଙ୍କୁ ଢେର ଖୋଜାଖୋଜି କରି ନିରାଶ ହୋଇଥିଲେ। କିଛି ଦିନ ତଳେ ତାଙ୍କ ପରିଚୟ ଓ ଠିକଣା ଯାଞ୍ଚ ପାଇଁ ପୁଲିସ୍ ବିରଜୁଙ୍କ ଘରେ ପହଞ୍ଚି ଥିଲା। ଏହାପରେ ନିରୁଦ୍ଦିଷ୍ଟ ବିରଜୁ ପାକିସ୍ତାନ ଜେଲରେ ସଜା କାଟୁଥିବା ଜଣା ପଡିଥିଲା।

ସେ ଭୁଲବଶତଃ ପାକିସ୍ତାନ ସୀମା ଭିତରକୁ ପଶିଯାଇଥିବାରୁ ତାଙ୍କୁ ପାକିସ୍ତାନୀ ସୈନ୍ୟମାନେ ଭାରତର ଗୁପ୍ତଚର ଭାବି ଧରି ନେଇ ଲାହୋର ଜେଲରେ ୨୦ ବର୍ଷ ରଖିଥିଲେ। ସେଠାରେ ସେ ୨୦ ବର୍ଷ ବନ୍ଦୀ ଭାବେ ଜୀବନ କାଟିବା ପରେ ଗତ ୨୬ ତାରିଖରେ ତାଙ୍କୁ ମୁକ୍ତ କରା ଯାଇଥିଲା। ପାକିସ୍ତାନୀ ସୈନ୍ୟ ତାଙ୍କୁ ୱାଘା ବୋର୍ଡରରେ ଭାରତକୁ ହସ୍ତାନ୍ତର କରିଥିଲେ।

Comments are closed.