ବିଧାନସଭା: ଗୃହରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ

ପୁରୀ: କରୋନା କଟକଣା ଭିତରେ ଆଜି ଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଏହା ସହିତ ଗୃହରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ। ବିରୋଧୀଙ୍କ ହଙ୍ଗାମା ଭିତରେ ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି। ଅତିରିକ୍ତ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।
୨୦୨୦-୨୧ ବର୍ଷ ପାଇଁ ୧୧ ହଜାର ୨ ଶହ କୋଟିର ଅତିରକ୍ତ ବଜେଟ ଉପସ୍ଥାପିତ ହୋଇଛି। ଏହାସହ ଆସନ୍ତା କାଲି ଯାଏଁ ଗୁୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।
ଅତିରିକ୍ତ ବଜେଟରେ ପ୍ରଶାସନିକ ବ୍ୟୟ ବାବଦକୁ ୨ ହଜାର ୨ଶହ ୭୩ କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭ ହଜାର ୪ ଶହ ୩୮ କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦକୁ ୧ ହଜାର ୪ ଶହ ୮୪ କୋଟି ଟଙ୍କା ଓ ରାଜ୍ୟ ବଜେଟରୁ ସ୍ଥାନୀୟ ସଂସ୍ଥାକୁ ହସ୍ତାନ୍ତର ବାବଦକୁ ୫ କୋଟି ବ୍ୟୟ ବରାଦ କରାଯାଇଛି।
ସ୍ୱାସ୍ଥ୍ୟ କ୍ଷେତ୍ର ଗ୍ରାମୀଣ ରୋଜଗାର ଜୀବିକା ଖାଦ୍ୟ ନିରାପତ୍ତା, ଶିକ୍ଷା କ୍ଷେତ୍ର, ମତ୍ସ୍ୟ ପଶୁସମ୍ପଦ ବିକାଶ କ୍ଷେତ୍ର, ଏମ ଏସ ଏମ ଇ , ହସ୍ତତନ୍ତ ବୟନଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। କୋଭିଡ ମହାମାରୀ ପାଇଁ ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପଡିଛି। ଚଳିତ ଆର୍ଥିକ ବର୍ଷର ୬ ମାସ ଶେଷ ସୁଦ୍ଧା କେନ୍ଦ୍ରୀୟ ହସ୍ତାନ୍ତର ବା ସେଣ୍ଟ୍ରାଲ ଟ୍ରାନ୍ସସଫର କମିଯାଇଥିବାରୁ ରାଜସ୍ଵ ପ୍ରାପ୍ତି ୬.୫ ପ୍ରତିଶତ କମିଛି।
ଏହା ସତ୍ତ୍ୱେ ରାଜ୍ୟର ନିଜସ୍ୱ ରାଜସ୍ଵ ୧.୭ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୦ ମସିହା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜସ୍ଵ ବଳକା ୬୭୯୦ କୋଟି ଟଙ୍କା ରହିଛି। ସମୁଦାୟ ଋଣ ଭାର ୯୭ ହଜାର ୮୨୩ କୋଟି ଟଙ୍କା ରହିଛି। ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୧୬.୪ ପ୍ରତିଶତ ରହିଛି।