୪ ବର୍ଷର ଝିଅର ଆଖି ଚୋରି!

ଅନୁଗୁଳ: ଅନୁଗୁଳ ମେଡିକାଲରେ ଉତ୍ତେଜନା ଦେଖାଦେଇଛି। ଜଣେ ୪ବର୍ଷ ଶିଶୁର ଆଖି ତାଡି ନେଇଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାରଲୋକ।
ସୂଚନାଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲା ବନରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମର ଅଞ୍ଜନ ଗୋଛାୟତଙ୍କ ଚାରି ବର୍ଷର ଝିଅ ପ୍ରୀତି ଗତ ଗୁରୁବାର ରାତିରେ ହଠାତ୍ ଅସୁସ୍ଥ ହୋଇପଡିଥିଲା। ତାଙ୍କୁ ନିକଟସ୍ଥ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପରିବାର ଲୋକେ ସେଠାରୁ ଜିଲା ମୁଖ୍ୟ ଚିକିତ୍ସାଳକୁ ନେଇଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ତା ଶବ ଅନୁଗୁଳ ଶବ ଗୃହରେ ରହିଥିଲା। ଆଜି ମଧ୍ୟାହ୍ନରେ ଶବ ବ୍ୟବଚ୍ଛେଦ ପାଇଁ ନେଲା ବେଳେ ଶିଶୁଟିର ଆଖି ନଥିବା ପରିବାରଲୋକ ଦେଖିବାକୁ ପାଇଥିଲେ। ତେଣୁ ଏହାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା। ଘଟଣାର ତଦନ୍ତ ଦାବି କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାରଲୋକ। ଘଟଣାରେ ଏ ପର୍ଯ୍ୟନ୍ତ ଅନୁଗୁଳ ସିଡିଏମଓଙ୍କର ପ୍ରତିକ୍ରିୟା ମିଳିପାରିନାହିଁ। ଅନୁଗୁଳ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।