Odisha Link
Bridging the Missing Links in Odisha

ମଧ୍ୟ ରାତ୍ରିରେ ଓଡ଼ିଶାର ରେଳ ପ୍ରକଳ୍ପର ସମୀକ୍ଷା କଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ରେଳବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିବା ପରେ ଆକ୍ଟିଭ୍ ମୋଡରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଦାୟିତ୍ୱ ସମ୍ଭାଳିବା ଦିନରୁ ନିଜର ବିଭିନ୍ନ ପଦକ୍ଷେପ ନେଇ ଚର୍ଚ୍ଚାରେ ଥିବା ବେଳେ ଗତକାଲି ମଧ୍ୟ ରାତ୍ରୀରେ ଓଡ଼ିଶାର ରେଳ ପ୍ରକଳ୍ପର ସମୀକ୍ଷା କରିଥିଲେ। ବିଭିନ୍ନ ରେଳ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିବା ସହ ଓଡ଼ିଶାର କେଉଁ ପ୍ରକଳ୍ପ କାର୍ଯ୍ୟ କେତେ ବାଟ ଆଗେଇଛି ସେ ନେଇ ବରିଷ୍ଠ ପଦାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।

ମନ୍ଥର ଗତିରେ ଚାଲିଥିବା ରେଳ ପ୍ରକଳ୍ପ ଗୁଡ଼ିକ ସମ୍ପର୍କରେ ଗୋଟି ଗୋଟି କରି ବୁଝିଛନ୍ତି। ୩୦୭ କିମିର ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳପଥର ଅଗ୍ରଗତିକୁ ମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ଏହି ପ୍ରକଳ୍ପ କାର୍ଯ୍ୟ କେତେ ବାଟ ପର୍ଯ୍ୟନ୍ତ ଯାଇଛି କେଉଁଠି ଅଟକି ରହିଛି, କ’ଣ ପାଇଁ ବିଳମ୍ୱ ହେଉଛି ଆଦି ବିଷୟରେ ପଚାରି ବୁଝିଛନ୍ତି। ଅନୁଗୁଳ-ସୁକିନ୍ଦା, ହରିଦାସପୁର-ପାରାଦୀପ, ତାଳଚେର-ବିମଳାଗଡ଼, ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ନୂଆ ରେଳ ଲାଇନ୍ ନିର୍ମାଣର ସମୀକ୍ଷା କରିଛନ୍ତି।

ସେହିପରି ବଂଶପାଣି-ଦୈତାରୀ-ଟୋମକା-ଜଖପୁରା, ସମ୍ୱଲପୁର-ଟିଟିଲାଗଡ଼, ଖୋର୍ଦ୍ଧାରୋଡ-ବାରଙ୍ଗ, ବିଜୟନଗରମ-ସମ୍ୱଲପୁର, ତାଳଚେର-ସମ୍ୱଲପୁର ରେଳଲାଇନ୍ ଡବଲିଂ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଶେଷକରି କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼, ଅନୁଗୁଳ ପରି ଶିଳ୍ପ ସହରରୁ ପାରାଦୀପକୁ କିଭଳି ଅଧିକ ସଂଯୋଗ ହୋଇପାରିବ ସେ ନେଇ ରୂପରେଖ ପ୍ରସ୍ତୁତ ହୋଇଛି। ରାଜ୍ୟ ସରକାର ବିଭିନ୍ନ ସମୟରେ ଦେଇଥିବା ପ୍ରସ୍ତାବଗୁଡ଼ିକ ଉପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସମୀକ୍ଷା କରିଥିବା ଜଣାପଡ଼ିଛି।

ପର୍ଯ୍ୟଟନ କ୍ଷେତ୍ର ସହ କିଭଳି ରେଳବାଇକୁ ସଂଯୋଗ କରାଯିବ ସେ ନେଇ ମଧ୍ୟ ବିଚାର ଆଲୋଚନା ହୋଇଛି। ସମୀକ୍ଷା ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ନିଜ କାର୍ଯ୍ୟାଳୟ ଟେବୁଲ ଉପରେ ଓଡ଼ିଶା ମ୍ୟାପ୍ ରଖି ରେଳବାଇ ପ୍ରକଳ୍ପ ସମୀକ୍ଷା କରୁଥିବା ଭିଡିଓ ପୋଷ୍ଟ କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି।

Leave A Reply

Your email address will not be published.