Odisha Link
Bridging the Missing Links in Odisha

ହୃଦୟଫୃଦୟ

ଅଜୟ ସ୍ବାଇଁଙ୍କ ଗଳ୍ପ

ହୃଦୟଫୃଦୟ

ଗଳ୍ପଟି ପେନ୍ ଇନ୍ ବୁକ୍ସ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ଅଜୟ ସ୍ବାଇଁଙ୍କ ହୃଦୟଫୃଦୟ ଗଳ୍ପ ସଙ୍କଳନରୁ ଆସିଛି। ବହିଟି ସମ୍ପୂର୍ଣ୍ଣ ପଢ଼ିବା ପାଇଁ ଆମାଜନରେ ଅର୍ଡର କରନ୍ତୁ।

କିଣିବା ପାଇଁ ଏଇଠି କ୍ଲିକ୍‌ କରନ୍ତୁ 〉


ହରଟା ବେଳେବେଳେ ମଉଳିଲା ପରି ଦିଶେ।

ଅସ୍ତସୂର୍ଯ୍ୟର କମଳା ରଙ୍ଗର କିରଣରେ ଆଉଟିକେ ଗେରୁଆ ରଙ୍ଗ ଆଉଟିକେ କନିଅରଫୁଲ ରଙ୍ଗ ମିଶେଇଲେ, ଯେମିତି… ସେମିତି ଲାଗେ। ସମୁଦ୍ର ପାଣି ଉଚ୍ଛୁଳି ଉଠି ଧୋଇ ଦେଇଚି ସହର। କେହି କୁଆଡ଼େ ନାହାନ୍ତି। ଯାହା ଜଣେ ଅଧେ ଲୋକ ସେ ଧୋଇରୁ ବର୍ତ୍ତିଯାଇଛନ୍ତି ଓ ରାସ୍ତାର ମହଳଣ କିରଣରେ କେମିତି ଝାପ୍ସା ଲାଗୁଛନ୍ତି। ଏମାନେ ବି ଆଉଟିକେ ପରେ ମାଟି ହୋଇ ମିଶିଯିବେ।

ତାକୁ ଏମିତି ବେଳେବେଳେ ଲାଗେ।

ତାକୁ ଲାଗେ, ସେ ଏକା ବଞ୍ଚିଯାଇଛି। ଏକା ନୁହେଁ ଦୁଇଜଣ। ଜଣେ ଈଶ୍ବର ଆଉ ଜଣେ ସେ ନିଜେ। ଆଉ ବି ଜଣେ ଅଛି। ତା’ କଥା ପରେ।

ତାକୁ ଏଇ ନିସଙ୍ଗତା ଭଲ ଲାଗେ।

ଏତେ ଲୋକ, ଏତେ ଗହଳ ମହଳ ତାକୁ ଭଲଲାଗେନି। ତା’ର ଇଚ୍ଛାହୁଏ, ସାରା ସହରରେ ସମୁଦ୍ର ମାଡ଼ିଯା’ନ୍ତା। ତା’ ଉପରେ ଏକ ହୁଲିଡଙ୍ଗାରେ ଭାସୁଥାନ୍ତେ। ସେ ଓ ଲିଲି। ଈଶ୍ବର ତ ଆଗରୁ ବରପତ୍ର ଉପରେ ଭାସିଭାସି ଏ ମଜା ନେଇ ସାରିଛନ୍ତି।

ଏବେ ଆଦିକନ୍ଦ ଓ ଲିଲି ନିଅନ୍ତୁ ଏ ମଜା?

ହେଲେ ଈଶ୍ବର, ସେ ଦୁହିଁଙ୍କୁ କେଜାଣି କାହିଁକି ସହିପାରନ୍ତିନି। ତାଙ୍କର ଅସୁବିଧା କ’ଣ, ଆଦିକନ୍ଦ ବୁଝିପାରେ ନାହିଁ।

ଲିଲି ବି ବୁଝିପାରେ ନାହିଁ।

ଲିଲି ବହୁତ ବହି ପଢ଼ାପଢ଼ି କରେ ବୋଲି ତା’ର ଗର୍ବ। କମ୍ପ୍ୟୁଟର ପରଦାରେ ସେ ଭର୍ଚୁଆଲ ପ୍ରେମିକଟିଏ ଥରେ ବନେଇଥିଲା। ତାର ଫିଜିକ୍ସ ଭଲ ହୁଏ। ମାଟ୍ରିକ୍ରେ ବେଷ୍ଟ୍ ଟେନ୍ଥ୍ରେ ପଞ୍ଚମ ସ୍ଥାନ ଥିଲା ତାର। ଏଥିପାଇଁ ସେ ଗର୍ବକରେ। ହେଲେ ବେଶୀ ଗର୍ବ କରେ ଆଉ ଗୋଟେ କାରଣ ପାଇଁ, ତା’ହେଲା ସେ ଈଶ୍ବରଫିଶ୍ବରରେ ବିଶ୍ବାସ କରେନାହିଁ।

(ଅବଶ୍ୟ ସେ ସୁନ୍ଦରୀ ବୋଲି ତା’ ଆଗରେ ଥରେ ମାତ୍ର ଗର୍ବ କରିଥିଲା।)

– ତାହେଲେ ତୁମକୁ ସୁନ୍ଦରୀ କରି ଗଢ଼ିଲା କିଏ?

– ମୋ। ବାପା, ମା ଓ ମୋ ଜିନ୍…। ଲିଲିର ଏ ଉତ୍ତରରେ ଆଦିକନ୍ଦ ସନ୍ତୁଷ୍ଟ ହେବା ପିଲା ନୁହେଁ, ତେବେ ଥାଉ। ଯୁକ୍ତିତିର୍କ କଲେ କଥା ବଢ଼ିବ, ମାତ୍ର ସିଦ୍ଧାନ୍ତ କିଛି ବାହାରିବ ନାହିଁ। ହଉ, ତା ବାପା, ମା, ଜିନ୍ ତାକୁ ସୁନ୍ଦରୀ କରନ୍ତୁ। ଈଶ୍ବର ତ ଯାହାଯାହା ସବୁ ଗଢ଼ନ୍ତି, ସେସବୁ ତାଙ୍କର ମନେ ରହେନା।(ପୁଣି ସ୍ତୁତି ଛଳରେ ସେ ସବୁକୁ ମନେ ପକେଇଲେ ଯାଇ ତାଙ୍କର ମନେ ପଡ଼ିବ।)

ତାଙ୍କର କ’ଣ ମନେଥିବ; ସେ ଲିଲି ନାମକ ଝିଅଟିକୁ କେବେ ଗଢ଼ିଥିଲେ? ନା। କିନ୍ତୁ ଭଗବାନ ଅଛନ୍ତି। ସମସ୍ତଙ୍କ କଥା ଶୁଣନ୍ତି। ନହେଲେ, ଲିଲି ତାକୁ ମିଳିଥାନ୍ତା କେମିତି? ଏମିତି ଦେଖିଲେ, ଲିଲିର ପ୍ରେମିକ ପାଇଁ ଆଦିକନ୍ଦ ନିଜକୁ ସଦାବେଳେ ଅଯୋଗ୍ୟ ମଣେ। ବେଳେବେଳେ ତା’ର ମନେହୁଏ, ଲିଲି ବୋଧେ ତାକୁ ଭଲ ପାଉନି। ଭଗବାନ କ’ଣ ଲଭ୍ ଓ ଇନ୍ଫାଚୁଏସନ୍ ଭିତରେ ଥିବା ଫରକ ଜାଣିଛନ୍ତି?

ହଉ ଛାଡ଼! ସେ କଥା ଭାବିଲେ, ସରିବନି। ହଜାରେ ଏକ ରାତି ପାହିଯିବ।

ଦିନେ ଲିଲି କହିଲା: ତୁମର ଭବିଷ୍ୟତ କ’ଣ? ମାନେ ଭବିଷ୍ୟତର ଯୋଜନା କ’ଣ?

ଆଦିକନ୍ଦ ହସିକି କହିଲା: ଆମ ଯୋଜନାକୁ କ’ଣ ଭବିଷ୍ୟତ ଆକ୍ସେପ୍ଟ କରିବ? ନୋ ଗ୍ୟାରେଣ୍ଟି। ଆମେ ଆମର କାମ କରୁଥିବା, ଭବିଷ୍ୟତ ତା’ କାମ କରିବ। ଭବିଷ୍ୟତ ପାଇଁ ଭଗବାନ ଅଛନ୍ତି। କାରଣ, ସବୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ସେ ନିର୍ଦ୍ଧ।ରଣ କରନ୍ତି। ଏଇ ଦେଖୁନ! ତୁମେ, ମତେ ଓ ମୁଁ ତୁମକୁ ଚିହ୍ନିଲି କେମିତି? ସବୁ ସେ ଉପରବାଲାର ଖେଳ। ନହେଲେ ତୁମେ କିଏ, ମୁଁ କିଏ?

ଲିଲି କିଛି କହିବାକୁ ଉଚିତ୍ ମଣିଲାନାହିଁ।

କାରଣ ଉପରବାଲା କେହିଯେ ଏସବୁ କରୁଛି, ଏଥିରେ ତା’ର ବିଶ୍ବାସ ନାହିଁ। ଆଦିକନ୍ଦ ଗୋଟେ ଈଶ୍ବର ଆଡିକ୍ଟ; ସେ ଜାଣେ। ଆଦିକନ୍ଦ ସହ ଯୁକ୍ତିକରି କିଛି ଫାଇଦା ନାହିଁ। ତେବେ ଏଇ ଆଦିକନ୍ଦ ଲୋକଟିକୁ କ’ଣ ସେ ସାରା ଜୀବନ ସହିପାରିବ? ଯେହେତୁ, ଦୁହେଁ ଗୋଟେ ଜାଗାରେ ଥାଇ ବି ଦୁଇଟା ତତ୍ତ୍ବରେ ବିଶ୍ବାସ କରନ୍ତି।

ଦିନେ ଆଦିକନ୍ଦ, ଲିଲିକୁ ପଚାରିଲା: ଯଦି ମତେ କେବେ କୁଷ୍ଠରୋଗ ହେଇଯାଏ? ମୋ ହାତ, ପାଦର ଆଙ୍ଗୁଠି ଛିଡ଼ିପଡ଼େ? ମୋ ଆଖି ତଳ ଫୁଲିଯାଏ ଓ ମୋ ଆଖି ଲାଲ ହୋଇଯାଏ…? ତା’ହେଲେ ବି କ’ଣ ତୁମେ ମତେ ଭଲ ପାଇବ ଓ ମୋ ସହ ଜୀବନ କାଟିବାକୁ ଚାହିଁବ? ଲିଲି କିଛି କହେ ନାହିଁ। ଏ ସବୁ ଅଜବ ପ୍ରଶ୍ନକୁ ଆଡ଼େଇବାକୁ ଯାଇ ସେ କହେ: ବିଜ୍ଞାନ ଢେର୍ ଅଗ୍ରଗତି କଲାଣି। କୁଷ୍ଠରୋଗ ପାଇଁ ଓଷଦ ବାହାରିଲାଣି। କୁଷ୍ଠ ଆଉ ବଡ଼ରୋଗ ହେଇ ନାହିଁକି କୋଉ ଦେବତାର ଅଭିଶାପରେ ସେ ରୋଗ ହୁଏନି, ହେଲା? ଆଦିକନ୍ଦ ଆଖି ମିଟିମିଟି କରି କହେ: ତଥାପି ଯଦି ଭଲ ନହୁଏ?

ଲିଲି ହାତଘଣ୍ଟା ଦେଖେ, ରାତି ଆଠ।

ପାର୍କରେ ବେଞ୍ଚ୍ ଖାଲି ହେଉଥାଏ ଆସ୍ତେଆସ୍ତେ।

କାଲି ସକାଳୁ ସକାଳୁ ଅଫିସ୍ ଯିବାକୁ ପଡ଼ିବ। ମେସ୍ମେଟ୍ ନାହିଁ। ନିଜକୁ ରୋଷେଇ କରିବାକୁ ପଡ଼ିବ। ଆଲାର୍ମ ନଦେଲେ ନିଦ ଭାଙ୍ଗିବ ନାହିଁ। ଛ’ଟାରୁ ଆଠଟା, ଏଇ ଦୁଇଘଣ୍ଟା ଆଦିକନ୍ଦ ମାଟି କରିଦେଲା। ପୁଣି ଟାଉନ୍ବସ୍ରେ ଫେରିବାକୁ ପଡ଼ିବ। ବସ୍ଷ୍ଟପ୍ଠୁ ପୁଣି ପାଞ୍ଚଶହ ମିଟର ଚାଲିବାକୁ ହେବ। ଏତେ ସବୁ ବୋରିଂରୁ ମୁକ୍ତିର କିଛି ଉପାୟ ନାହିଁ। ସମସ୍ତେ କହନ୍ତି: ପ୍ରେମ କାଳେ ଏ ସବୁ ବୋରିଂରୁ ମୁକ୍ତିଦିଏ। କାହିଁ? ସେ ତ ପ୍ରେମରେ ପଡ଼ିଛି ଆଦିକନ୍ଦର? ହେଲେ କାହିଁ ମୁକ୍ତି?

ହେଇପାରେ ଏ ବୋରିଂ ଗୋଟେ ରୋଗ।

ହେଇପାରେ ସାଇକୋଲୋଜିକାଲ୍ ଡିପ୍ରେସନ୍।
ନା ଆଦିକନ୍ଦଠୁ ତାକୁ ଡେଉଚି ଏ ଡିପ୍ରେସନ୍?

ହେଲେ ଆଦିକନ୍ଦ କହୁଛି, ତା’ର କିଛି ଦୁଖ ନାହିଁ। ତା’ର କିଛି ଡିପ୍ରେସନ୍ ନାହିଁ। କାରଣ ଭଗବାନଙ୍କ ଉପରେ ତା’ର ଆସ୍ଥା ଅଛି।

କିଏ ସେ ଭଗବାନ୍?

ଯାହା ଉପରେ ଏ ବୁଡ଼ବକ୍ ଆସ୍ଥା ରଖିଛି?

ଯିଏ ତାକୁ ବତେଇଛନ୍ତି ଖୁସିରେ ରହିବାର ଉପାୟ?

ହଁ! ଅବଶ୍ୟ ଆଦିକନ୍ଦ ସବୁକଥାରେ ପଜିଟିଭ୍। ଯଦି ପଜିଟିଭ୍, ତେବେ ଏ କୁଷ୍ଠରୋଗ କଥାଟା ତା’ ମୁଣ୍ଡରେ ପଶିଲା କେମିତି?

ଲିଲି ଉଠିଲା। କହିଲା: କାକର ପଡ଼ିଲାଣି ବହୁତ। ଉଠ ଯିବା।

କାଲି ପୁଣି ସକାଳୁ ଅଫିସ୍।

ଆଦିକନ୍ଦ, ଗୋଟେ ତାରାକୁ ଚାହିଁଥିଲା। ତାରା ବି ତାକୁ ଚାହିଁଥିଲା। ଏ କଥା ଲିଲିକୁ ଅବିଶ୍ବାସ ଲାଗିଲେ ବି ସେ ବିଶ୍ବାସ କଲା ଓ କହିଲା: ତୁମେ ନିଶ୍ଚିତ ରୁହ। ମୁଁ ତୁମକୁ ହିଁ ଚାହଁେ ତୁମ ସହ ରହିବାକୁ ଚାହେଁ, ସାରା ଜୀବନ। ଜୀବନଟିଏ ଅଧିକଦିନ ଜିଇଁବା କ’ଣ କମ୍ ବୋରିଂ? ତୁମେ ବୋର୍ ହେବନି ତ? କାଣ, ପ୍ରେମଟା ବଡ଼ ମାରାତ୍ମକ ଜିନିଷ। ଦେଖୁନ! କେତେ ଅପେକ୍ଷା, କେତେ ଅବିଶ୍ବାସ, କେତେ ସନ୍ଦେହ! କେତେ ଗ୍ଳାନି… କେତେ ଯନ୍ତ୍ରଣା…।
ଏ ଯାହା ସବୁ ପଢ଼ିଲେ ଏ ସବୁ ଗୋଟେ ସଞ୍ଜର କାହାଣୀ। ଯଦି ଆଦିକନ୍ଦ ଓ ଲିଲି ତିନିବର୍ଷ ହେଲା ପ୍ରେମରେ ପଡ଼ିଛନ୍ତି ଓ ୩୬୫ ଗୁଣନ ୩ = ଯେତିକି ହେଲା, ସେଥିରୁ ବର୍ଷ।, ଅତି ଶୀତ ପଚାଶଟି ସଞ୍ଜକୁ ବାଦ୍ ଦେଲେ ବାକି ସଞ୍ଜରେ ସେମାନଙ୍କର କଥାବାର୍ତ୍ତ। ପ୍ରାୟ ଏମିତି।

ପ୍ରତି ପ୍ରେମ କାହାଣୀରେ ଏମିତି ହୁଏ ବୋଲି ପ୍ରେମ ବିଶେଷଜ୍ଞମାନଙ୍କ ମତ।

ମାତ୍ର ପ୍ରେମକୁ, କାହାଣୀଟିଏ ଭାବିବାକୁ ଆଦିକନ୍ଦ କେବେ ଚାହିଁନି। ପ୍ରେମ ଏକ ସ୍ବର୍ଗୀୟ ପ୍ରାପ୍ତି ଓ ଈଶ୍ବର ଏହାକୁ ତିଆରି କରି, ସେଥିପାଇଁ ମଣିଷମାନଙ୍କୁ ମାଧ୍ୟମ କରନ୍ତି ବୋଲି ଆଦିକନ୍ଦ ସିନା ଭାବେ, ହେଲେ ଏକଥା କେବେ ଲିଲିକୁ କହିନାହିଁ। କାରଣ ଲିଲି ପ୍ରେମରେ ବିଶ୍ବାସ କରେ ଓ ତାକୁ ଗୋଟେ ବାଇଓଲୋଜିକାଲ ନିଡ୍ ବୋଲି ସେ ଭାବେ।

ଭାବୁ, ତା’ ଭାବିବାର ବି ସତ୍ୟତା ଅଛି। ଏ ବାଇଓଲୋଜିକାଲ୍ ନିଡ୍କୁ ବି ତାଙ୍କ ଭିତରେ ସେଇ ଈଶ୍ବର ତିଆରି କରି ନାହାନ୍ତି କି?

ଲିଲି ବୁଝୁନି।

ନବୁଝୁ।

ତେବେ ପ୍ରେମ ବ୍ୟାପାରରେ ଲିଲି ସିରିୟସ୍।

ଅନେକଦିନ ଯାଏ ସବୁ ଠିକ୍ ଥିଲା।

ଯେ ଯାହାର ବିଶ୍ବାସ, ଅବିଶ୍ବାସ ଭିତରେ ବି ପରସ୍ପରକୁ ଭଲପାଉଥିଲେ।

ମଝିରେ ଆଦିକନ୍ଦର ଦେହ ଖରାପ ହୋଇଗଲା।

ଲିଲି ଗୋଟେ ସପ୍ତାହ ସେଇ ନିର୍ଦ୍ଦିଷ୍ଟ ସଞ୍ଜ ସମୟରେ ଅପେକ୍ଷା କଲା ଆଦିକନ୍ଦକୁ। ଆଦିକନ୍ଦ ଆସିଲା ନାହିଁ। ତା’ ଫୋନ୍ ବି ନଟ୍ରିଚେବ୍ଲ ହେଲା। ତା’ହେଲେ?

ଆଦିକନ୍ଦର ଦେହ ଖରାପ, ଏକଥା ଲିଲି ତା’ ଅଫିସ୍ରୁ ଶୁଣିଲା। ଦିନେ ଆଦିକନ୍ଦର ଫୋନ୍ ବି ଲାଗିଲା। ଫୋନ୍ରେ କେବଳ ଆଦିକନ୍ଦର ଦୀର୍ଘଶ୍ବାସ। ଓ ସେ କ’ଣ କହିଲା ଲିଲି ବୁଝିପାରିଲା ନାହିଁ।

ତା’ ଆରଦିନ ସକାଳେ ଆଦିକନ୍ଦର ଭଡ଼ାଘରେ ପହଞ୍ଚିଲା ଲିଲି। ଆଗରୁ ଯଦିଓ ଜାଣେ, ଆଦିକନ୍ଦ ଏଇଠି ରହେ, ସେଠିକୁ କିନ୍ତୁ କେବେ ସେ ଆସିନଥିଲା। ଆଦିକନ୍ଦ ବି କେବେ ତାକୁ ଡାକିନାହିଁ ତା’ଭଡ଼ାଘରକୁ। ସେତେବେଳେ ଆଦିକନ୍ଦ ଖଟ ଉପରେ ଗୋଟେ ତକିଆ ପିଠିରେ ଦେଇ ବସିଥିଲା। ତା’ ଆଖି ଦିଶୁଥିଲା ଲାଲ, ସତେ ଯେମିତି ସପ୍ତାହେ ହେଲା ସେ ଶୋଇନି।

ଲିଲିକୁ ଦେଖି ଆଦିକନ୍ଦ ଚମକି ପଡ଼ିଲା ନାହିଁ।

ଲିଲି ଖଟ ଧାରରେ ବସିଲା। ଆଦିକନ୍ଦ ପାଖରେ।

ଅନେକ ସମୟ କଟିଗଲା ନିରବତାରେ।

– ଦେହ ଭଲ ନାହିଁ?

– କ’ଣ ହେଇଚି?(ଆଦିକନ୍ଦ କିଛି କହିଲା ନାହିଁ।)

– ଡାକ୍ତର ଦେଖେଇଚ?

– ମତେ ଅନ୍ତତଃ ଥରେ ଫୋନ୍ କରିବାକୁ ମନେ ପଡ଼ିଲାନି? ମୁଁ ଅଛି ବୋଲି ତୁମର ବୋଧେ ମନେ ନାହିଁ। ତୁମକୁ ଭଲପାଏ ମୁଁ। ଅଥଚ ତୁମ ଦୁଖ ସମୟରେ ବି ମୋର ତୁମ ପାଖେ ରହିବା ଉଚିତ୍, ପାଖରେ ନରହିଲେ ବି ତୁମର କେୟାର ନେବା ଉଚିତ୍କି ନୁହେଁ?(ଆଦିକନ୍ଦର ଆଖିକୋଣରେ ଲୁହ, ତା’ ଆଖି ବେଶୀ ଲାଲ ଦିଶିଲା।)

– ମୋ ଉପରେ ରାଗିଚ କି? ତୁମକୁ ବାଧିଲା ଭଳି କଥା କ’ଣ କହିଚି କି? ଯଦି କହିଥାଏ, ସରି…ସ… ରି…

ଆଦିକନ୍ଦ ଚାହିଁଲା ଲିଲିର ମୁହଁକୁ (ଏ ଆଖି ତ ଆଦିକନ୍ଦର ନୁହେଁ) (ଏତେ ଶୂନ୍ୟତା କାହୁଁ ଆସିଲା ଆଦିକନ୍ଦର ଆଖିରେ?)

ସେ ଖୁବ୍ ଧୀରେ କହିଲା: (ଯେମିତି କହୁଚି କେଉ ଅଶରିରୀ) ଡାକ୍ତର ଦେଖେଇଥିଲି। ପ୍ରଥମେ ଭାବିଲି ବୋଧେ ଏମିତି ଟିକେ ଜ୍ବର ହେଇଚି ବୋଧେ। ଆପେ ଆପେ ଛାଡ଼ିଯିବ। ଯେତେବେଳେ ହାତ, ପାଦର ଆଙ୍ଗୁଠି ପଥର ପରି ଲାଗିଲା, ଜୀବନ ନଥିବା ପରି ଲାଗିଲା, ଡାକ୍ତରଙ୍କୁ ଦେଖେଇଲି। ସେ ଯାହା ସନ୍ଦେହ କଲେ, ପରୀକ୍ଷା ପରେ ଜଣା ପଡ଼ିବ। ସତରେ ଈଶ୍ବର ବୋଲି କେହି ନାହାନ୍ତି। ଈଶ୍ବର ଗୋଟେ ବଡ଼ ଭ୍ରମ। ହାଲୁସିନେସନ୍। ଲିଲି କିଛି କହିଲା ନାହିଁ।

– ଡାକ୍ତର ଓଷଦ ଲେଖିଚନ୍ତି। ମୁଁ ଖାଉନି। କାହିଁକି ଖାଇବି? ପରୀକ୍ଷା ପରେ ରୋଗ କନଫର୍ମ ପରେ ଇଚ୍ଛା ହେଲେ ଖାଇବି। ଯଦି ଡାକ୍ତର କହେ, ଏ ଓଷଦରେ ରୋଗ ଭଲ ହେଇଯିବ, ତାହେଲେ…

– ଡୋଣ୍ଟ୍ ନେଗେଲେକ୍ଟ ୟୋର୍ସେଲ୍ଫ। ଭାବ ଯେ, ତୁମ ଦେହ କେବଳ ତୁମର ନୁହଁେ ମୋର ବି ପଚାଶଭାଗର ଅଧିକାର ସେଥିରେ ଅଛି। ତେଣୁ ତୁମ ଇଚ୍ଛାରେ ଆମ ଦେହକୁ ତୁମେ ନେଗ୍ଲେକ୍ଟ କରି ପାରିବ ନାହିଁ।
ଆଦିକନ୍ଦ କିଛି କହିଲା ନାହିଁ। ତା’ ଓଠରେ ଶୁଖିଲା ହସଟିଏ ଉକୁଟିଲା, ମାତ୍ର ତାହା ଲିଲିକୁ ଦିଶିଲା ନାହିଁ। ଲିଲିର ମନେହେଲା, ଆଦିକନ୍ଦ ବୋଧେ କାନ୍ଦୁଚି।

ହେଲେ, କ’ଣ ହେଇଚି ଆଦିକନ୍ଦର? କି ରୋଗ? ଯାହା ତାକୁ ଏତେ ଭୟଭୀତ କରିଦେଇଛି, ଏତେ ନାସ୍ତିକ କରିଦେଇଛି? ଏତେ ଚୁପ୍ଚାପ୍ କରି ଦେଇଛି? ଯଦିଓ ସେ ରୋଗ କ’ଣ, ତା’ର ରିପୋର୍ଟ ଏଯାଏ ଆସିନି।

ବାକି ଦୁଇଘଣ୍ଟା ସେ ଦୁଇଜଣ ଆଉ କିଛି ବି କଥା ହେଇନାହାନ୍ତି। କୌଣସି ଘଟଣା, ବିଷୟ ବା ଉପକ୍ରମ ସେ ଦୁଇଜଣଙ୍କ ମନକୁ ଆସିନାହିଁ।

– ଯାଉଛି। ମତେ ଫୋନ୍ ନିଶ୍ଚେ କରିବ। ଏମିତି ଚୁପ୍ଚାପ୍ ରହିବନି। ଯଦି ତୁମର ସୁଖର ପଚାଶଭାଗ ମୋର, ଦୁଖର ବି ସମାନଭାଗ। ଲିଲି ଚାଲିଗଲା। ଏଇ କେଇଦିନ ଦେଖା ହେଇନି ବୋଲି ଲିଲି ବି ବୋଧେ ଶୋଇପାରିନି ରାତିରେ, ଆଶଙ୍କାରେ।

ଝରକା ଖୋଲିଲା ଆଦିକନ୍ଦ। ଛ’ଦିନ ହେବ ସେ ଝରକା ଖୋଲି ନାହିଁ। ଝରକା ଖୋଲିଲେ ଦିଶେ ଦୂରର ଗୋଟେ ନୀଳ ପାହାଡ଼ ଓ ତା’ ଉପରେ ଇଂରାଜୀ ‘ଟି’ ପରି ଦିଶୁଥିବା ଗୋଟେ ନାଅଜଣା ଗଛ। ବେଳେବେଳେ ଆଦିକନ୍ଦକୁ ଏଇ ପାହାଡ଼ଟା ଦେଖିବାକୁ ବଡ଼ ବିରକ୍ତ ଲାଗେ।

ଆଜି କିନ୍ତୁ ଭଲ ଲାଗିଲା। ଭଲ ଲାଗିଲା ପାହାଡ଼ର ନିଃସଙ୍ଗତା। ‘ଟି’ ପରି ଦିଶୁଥିବା ଗଛ ଉପରେ ଦା’ପରି ଜହ୍ନ। ଏବଂ ପାହାଡ଼ର ଚାରିକଡ଼ରେ ଧୂଆଁର କୁହୁଡ଼ି।

କିଏ ଜଣେ କବି କହିଥିଲେ: ପାହାଡ଼ ଓ ଗୀତ କେବେ ବୁଢ଼ା ହୁଅନ୍ତି ନାହିଁ। ମଣିଷ ବୁଢ଼ା ହୁଏ, ମରିଯାଏ। ପାହାଡ଼ ସେମିତି ଥାଏ। ଅଚଳ। ସ୍ଥିର। ଦିନେ ଆଦିକନ୍ଦ ମରିଯିବ। ହେଲେ ଏ ପାହାଡ଼, ‘ଟି’ ପରି ଗଛ ସେମିତି ଥିବ ନିରବଧି।

ଥିବ?

କେଜାଣି?

ଆଦିକନ୍ଦ ଏବେ ନିଷ୍ପତ୍ତି ନେଲା ଯେ, ସେ ମରିବାକୁ ଡରିବନି କି କେୟାର୍ କରିବନି, ଏ ରୋଗଫୋଗକୁ। ଯେତିକି ଦିନ ସେ ଦୁଖରେ, ଭାବିବାରେ କଟେଇଛି, ସେସବୁ ତା’ର ଭୁଲ୍ ଥିଲା। ଏବେ ଘରର ସବୁ ଆଲୁଅ ଜଳିବା ଉଚିତ୍। ଫୁଲ୍ ଭଲ୍ୟୁମ୍ରେ ଗୀତ ଶୁଣିବା ଉଚିତ୍।

ରାତିସାରା ଆଦିକନ୍ଦ ତାହାହିଁ କଲା।

ସକାଳୁ ଫ୍ରେସ୍ ହେଲା। ଅଫିସ୍ ଗଲା। ଲିଲିକୁ ଅତି ଉତ୍ସାହରେ ଗୁଡ୍ମର୍ଣ୍ଣିଂ କହିଲା ଫୋନରେ।

ଲିଲି ପଚାରିଲା: ଦେହ ଠିକ୍ ଅଛି? ରିପୋର୍ଟ?

ମାର ଗୋଲି ସେ ରିପୋର୍ଟକୁ। ମୁଁ ଠିକ୍ ଅଛି। ପର୍ଫେକ୍ଟ୍।

– ତା’ହେଲେ ଆଜି ସନ୍ଧ୍ୟାରେ ପାର୍କ?

ଆଦିକନ୍ଦ କହିଲା: ସିଓର।ରିପୋର୍ଟ ଆସିଲା ତିନଦିନ ପରେ।

ରିପୋର୍ଟ ଦେଖିଲା ପରେ, ନିଜ ରୋଗ ବିଷୟରେ ଜାଣିବା ପରେ ଯେତିକି ଭାଙ୍ଗପଡ଼ିବା କଥା, ଯେତିକି ମନସ୍ତାପ କରିବା କଥା, ସେତିକି କଲା ନାହିଁ ଆଦିକନ୍ଦ। ଏତେବେଶୀ ନର୍ଭସ୍ ବି ହେଲାନାହିଁ। ରିପୋର୍ଟ ନେଇ, ଡାକ୍ତରଙ୍କ ପ୍ରେସ୍କ୍ରିପ୍ସନ ନେଇ ଫେରିବା ବେଳେ ମ୍ୟାଟିନ୍ ସୋ ସିନେମା ଦେଖିଲା। ଚା’ ପିଇଲା। ସିଗ୍ରେଟ୍ ଟାଣିଲା। ଅଫିସ୍ ନଯାଇ ରୁମ୍କୁ ଫେରିଲା ଓ ଫୁଲ୍ ସ୍ପିଡ୍ରେ ପଙ୍ଖା ଚଲେଇ ଶୋଇପଡ଼ିଲା ସନ୍ଧ୍ୟାଯାଏ। ୟା’ଭିତରେ ଚାରିଥର କଲ୍ କରିଥିଲା ଲିଲି। ସେ ଉଠିକି ମିସ୍କଲ୍ଡ ଦେଖିଲା। କିନ୍ତୁ ଲିଲିକୁ କଲ୍ବ୍ୟାକ୍ ନକରି ପୁଣି ଶୋଇପଡ଼ିଲା। ରାତି ନ’ବେଳକୁ ଉଠିଲା, ମୋବାଇଲ୍ ରିଂ ରେ। ଲିଲି କରିଥିଲା।

– ହେଲୋ।

– ଦିନସାରା ତୁମକୁ ଫୋନ୍ କରୁଛି। ଫୋନ୍ ଉଠଉନ ବି?

– ସରି। ଶୋଇ ପଡ଼ିଥିଲି। ବହୁତ ନିଦରେ।

– ରିପୋର୍ଟ ଆସିଲା?

– ହଁ।

– କ’ଣ? କିଛି ସିରିୟସ୍ ନୁହଁ ତ?

– ଆରେ ନା! କିଛି ସେମିତି ସିରିୟସ୍ ନୁହେଁ…

– ତଥାପି? କ’ଣ ଆସିଛି ରିପୋର୍ଟ?

– ମାଇକ୍ରୋବ୍ୟାକ୍ଟେରିଅମ୍ ଲେପ୍ରା

– ମାନେ?

– କୁଷ୍ଠର ଜୀବାଣୁ ପଜିଟିଭ୍ ଅଛନ୍ତି…। ଡାକ୍ତର ସେଥିପାଇଁ ଓଷଦ ବି ଲେଖିଛନ୍ତି…

(ସେପଟୁ ଲିଲିର ସ୍ବର ଶୁଭୁନାହିଁ। ସେ ହୁଏତ କାନ୍ଦୁଥାଇ ପାରେ ଲୁହ ବହିବାର ଶବ୍ଦ ଥିଲେ ଶୁଭନ୍ତା ଆଦିକନ୍ଦକୁ।)
– ଆଜିକାଲି ଏ ରୋଗ ଭଲ ହେଇଯାଉଛି। ନାନା ଓଷଦ ବାହାରିଲାଣି ବୋଲି ଡାକ୍ତର ମତେ ବୁଝେଇଲେ। ଆମର ସାମାଜିକ ବ୍ୟବସ୍ଥା ଏ ରୋଗକୁ କାହିଁକି ‘ବଡ଼ରୋଗ’ ବୋଲି ଭାବେ, ସେକଥା ମଧ୍ୟ କହିଲେ। ଶେଷରେ କହିଲେ, ତୁମେ ଓଷଦ ଖାଅ, ଭଗବାନଙ୍କୁ ବି ଡାକ। ଏତେ କମ୍ ବୟସର ପିଲା ତୁମେ…

ମୁଁ ହସିଲି, କାହିଁକି ହସିଲି କହିଲ? ଏ ଭଗବାନଙ୍କ ଉପରେ ମୋର ଗୋଟେ ପର୍ସଣ୍ଟେ୍ ବି ବିଶ୍ବାସ ନାହିଁ।

ଲିଲିର କିଛି ଉତ୍ତର ନାହିଁ। କେତେବେଳୁ ଫୋନ୍ ଡିସ୍କନେକ୍ଟ ହେଇଗଲାଣି। ଯା’ହଉ ରକ୍ଷା। ଲିଲି ତା’ହେଲେ ସବୁତକ କଥା ଶୁଣିନି।

ହୁଏତ ଲିଲି ପୁଣି କଲ୍ ବ୍ୟାକ୍ କରିପାରେ।

ଫୋନରେ ବହୁତ କାନ୍ଦିପାରେ।

ସକାଳୁ ସକାଳୁ ଅଧୁଆ ମୁହଁରେ ତା’ ରୁମ୍ରେ ପହଞ୍ଚି ଯାଇପାରେ। ତା’ଖଟ ଦାଢ଼ରେ ବସି ଆଦିକନ୍ଦର ମୁଣ୍ଡକୁ ତା’ କୋଳରେ ରଖି ତାକୁ ବୁଝେଇପାରେ: ତମେ ଭଲ ହେଇଯିବ ଆଦିକନ୍ଦ। ତୁମର କିଛି ହେବନାହିଁ। ତୁମପାଖେ ମୁଁ ଅଛି, ସବୁବେଳେ। ସୁଖରେ… ଦୁଖରେ। ଏ ରୋଗ ଆଜିକାଲି କ୍ୟୁରେବଲ୍। ମନଦୁଖ କରନାହିଁ। ତୁମର ସବୁ ଅବସ୍ଥାରେ ମୁଁ ଅଛି।

ରାତି। ସକାଳ। ରାତି। ସକାଳ।

ଦୁଖ ସମୟଗୁଡ଼ା ଖୁବ୍ ମନ୍ଥର ନୁହେଁ କି?

ଏଣୁ ରା… ତି… ସ… କା… ଳ…

ରା…………. ତି…………. ସ…………. କା…………. ଳ………….

ଲିଲି ଆଡୁ ଫୋନ୍ ନାହିଁ।

ଲିଲି କ’ଣ ଭାଙ୍ଗିପଡ଼ିଛି। ଆଦିକନ୍ଦର ଦୁଖରେ?

ଆଦିକନ୍ଦ କ’ଣ ଭାଙ୍ଗିଦେଇଛି, ଲିଲିର ସବୁ ସ୍ବପ୍ନର ଇମାରତ, ଯାହା ସେ ଗଢ଼ିଥିଲା କେତେ ବିଶ୍ବାସରେ?

ଏଥିରେ ଆଦିକନ୍ଦର ଭୁଲ୍ କ’ଣ?

ଲିଲି ଯଦି ଆଦିକନ୍ଦଠୁ ଦୂରେଇଯାଏ ବା ଦୂରେଇ ଯିବାକୁ ଚାହେଁ, ଯାଉ। କ’ଣ ସାନ୍ତ୍ବନା ଦେଇ ଆଦିକନ୍ଦ ପ୍ରତିଷ୍ଠା କରିପାରିବ, ନିଜ ପ୍ରେମକୁ ଲିଲି ଆଗରେ? ଏମିତିରେ ବି ତା’ର ସମସ୍ତଙ୍କ ଉପରୁ ତୁଟିଯାଉଛି ବିଶ୍ବାସ ଓ ଭଲପାଇବା।

ବାପା ଖବର ପାଇଲେ। ବ୍ୟସ୍ତ ହେଲେ। କାନ୍ଦି କାନ୍ଦି କହିଲେ: ତୋ’ର ଏ ରୋଗ କଥା ଜାଣିଲେ, ତୋ ଭାଇଭଉଣୀମାନେ ଆଉ ବାହା ହେଇ ପାରିବେନି। ତୁ ଏଘରକୁ ଆସିଲେ, ଆମକୁ ଗାଁବାଲାଏ ଏକ ଘରିକିଆ କରିଦେବେ।

ଖାଲି ତୋ ବାପା ନୁହେଁ ଆଉ ତିନିଜଣଙ୍କର ବାପା, କ’ଣ କରିବି? ତତେ ମୁଁ ଆଶ୍ରା କରିଥିଲି… ମୋ ଭେଳା ଭଗବାନ ବୁଡ଼େଇଦେଲେରେ… ସବୁ ତାଙ୍କ ଇଚ୍ଛା।

– କିଏ ସେ ଭଗବାନ? ଯିଏ ଭେଳା ଭସାନ୍ତି, ପୁଣି ବୁଡ଼େଇ ଦିଅନ୍ତି। ସବୁ ବକ୍ବାସ୍ ବାପା। କେବେ ସେ ଭଗବାନ ଫଗବାନ ନାଁ ତୁଣ୍ଡରେ ଧରନି ବାପା। ତାଙ୍କ ଇଚ୍ଛାରେ ମୁଁ କେବେ ଚାଲିବିନି। ମୋ ଇଚ୍ଛାରେ ମୁଁ ଯିବି।

ବୋଉ କାନ୍ଦିଲା। ତା ସେଁ ସେଁ ସ୍ବରରେ ସେ ବାହୁନିଲା। ତୋ ସେବା ମୁଁ କରିବିରେ ଧନ। ଏଡୁଟିରୁ ଏଡୁଟିଏ କରିଥିଲି ତୋର ଏ ବେଳରେ ମୁଁ ତୋ’ ପାଖକୁ ଯିବି। ମତେ ନେଇଯା ତୋ’ ପାଖକୁ।

ଆଦିକନ୍ଦ ହସିଲା। ପିଲାଦିନେ କାଳେ ସେ ବହୁତ କାନ୍ଦୁଥିଲା। ବାପା ବିଗିଡ଼ିଲେ ବୋଉ କହୁଥିଲା: କାନ୍ଦୁ। ଯିଏ ପିଲାଦିନେ ଯେତେ କାନ୍ଦେ, ବଡ଼ହେଲେ ସେତିକି ହସେ।

– ସତକଥା ଲୋ ବୋଉ। ତୁ ଠିକ୍ କହିଥିଲୁ। ଏବେ ମତେ ସବୁ କଥାରେ ହସ ଲାଗୁଛି। ହସିହସି ସବୁ ଦୁଖକୁ ଫୁଟ୍ବଲ୍ ପରି ଉଡ଼େଇ ଦେବାକୁ ଇଚ୍ଛା ହେଉଛି…।

ଭାଇଭଉଣୀମାନେ ଥରେଥରେ ଫୋନ୍ କରିଥିଲେ। ମନଦୁଖ କରିଥିଲେ। କାନ୍ଦିଥିଲେ। ଭଗବାନଙ୍କୁ ଗାଳି ଦେଇଥିଲେ। ସମବେଦନା ଜଣେଇ ଥିଲେ। ସାନଭାଇ ତାକୁ କାଫ୍କାଙ୍କ ‘ମେଟାମର୍ଫସିସ୍’ ଗପର ଉଦାହରଣ ଦେଇଥିଲା। କହିଥିଲା: ଏ ସବୁ ଦୁସ୍ବପ୍ନ। ତାକୁ ଭୁଲିଯାଅ। ଭାବ, ତୁମର କିଛି ହେଇନି।

ଆଦିକନ୍ଦ ହସିଲା। ଏଥର ସବୁ କଥାରେ ତା’ର ହସିବାକୁ ଇଚ୍ଛା ହେଉଛି।

ଦଶଦିନ ପରେ ଲିଲିର ଫୋନ୍: (ବେଶୀ ସେଁ ସେଁ, କମ୍ ସ୍ବର) କେମିତି ଅଛ?

ଆଦିକନ୍ଦର ଉତ୍ତର: ଏ ରୋଗରେ କେହି ମରେନି ଏତେ ଜଲ୍ଦି। ବରଂ ବେଳକୁବେଳ ସରେ। ଶେଷରେ ସରିଯାଏ।

– ପ୍ଲିଜ୍! ସେମିତି କୁହନି। ତୁମକୁ ଏବେ ଦେଖିବାକୁ ବହୁତ ଇଚ୍ଛା ହେଉଛି। ବହୁତ ଗପିବାକୁ ଇଚ୍ଛା ହେଉଛି।

– ଡର ଲାଗୁଛି?

– ଡର! ଡର କାହିଁକି?

– ତୁମେ ହସୁଚ?

– କାନ୍ଦିଲେ କ’ଣ ଭଲ ହେଇଯିବି?

– ଓଷଦ ଠିକ୍ରେ ଖାଉଚ ତ?

– ହଁ। ହେଲେ ମତେ ଲାଗୁଚି, ଏତେ ବେଶି କିଛି ଭଲ ହେଉନି ବୋଧେ।

– ଏତେ ଜଲ୍ଦି, ଭଲହେବା ଆଶା କରୁଛ କାହିଁକି?

– ନା! ମୁଁ ଏବେ ଆଉ କିଛି ଆଶା କରୁନି। ଆଶା କରିବା ଏବେ ଛାଡ଼ି ଦେଇଛି, ଏକ ପ୍ରକାର।

– ଭଗବାନଙ୍କୁ ଡାକ। ଏ ବେଳରେ ସେ ହିଁ ତୁମକୁ ରକ୍ଷା କରିପାରିବେ।

– ଭଗବାନ? ହାଃ ହାଃ ହାଃ…

– ହସୁଚ?

– ମତେ ହସ ଲାଗୁଛି, ମୁଁ କ’ଣ କରିବି? ଏବେ ଏବେ ଏଇ ହସ ଛଡ଼ା ମତେ ଆଉ କିଛି ଭଲ ଲାଗୁନି।

– ନିଜ ଦୁଖକୁ ଏମିତି ଉଡ଼େଇ ଦେବାକୁ ଚାହୁଁଚ? ମୁଁ ଜାଣେ। ସବୁ ଜାଣେ। ସବୁ ଜାଣେ ବୋଲି, ଦୁଖ ପାଉଛି। ନା ବଞ୍ଚି ପାରୁଚି ନା ମରି ପାରୁଚି…

– ହାଃ ହାଃ ହାଃ…

– ବିଶ୍ବାସ କରୁନ ନା?

– ମତେ ବିଶ୍ବାସ କରି ଆସୁନି… ଖାଲି ହସି ଆସୁଛି। ମୁଁ କ’ଣ କରିବି?

ଫୋନ୍ କଟିଗଲା ବା ଲିଲି ଫୋନ୍ କାଟିଦେଲା।

ଲିଲିକୁ ଏମିତି କହିବା ତା’ର ବୋଧେ ଉଚିତ୍ ନଥିଲା।

ଏମିତିରେ ଆଦିକନ୍ଦ ଏବେ ବହୁତ ପେନ୍ସିଭ୍ ହେଇଯାଇଛି। ତା’ର ଗୋଟେ ଧାରଣା ଆସିଯାଇଛି। ସରିସରି ଯିବାର ମଜା ସେ ଏକା ନେବ। କାହା ସାଥିରେ ନୁହେଁ କେବେ ନୁହେଁ ମଣିଷ ମରେ, ମାତ୍ର ବଞ୍ଚି ଥାଉଥାଉ କେମିତି ସରେ, ଏ ଅନୁଭୂତି ସେ ଏକା ନେବ।

ଥରେ ଗୋଟେ ଜହ୍ନରାତିରେ, ଆଦିକନ୍ଦ ଝରକା ଖୋଲି ଦେଖୁଥିଲା ଦୂର ପାହାଡ଼। ଏଇବେଳେ ଲିଲିସହ ବିତେଇଥିବା ପ୍ରେମିଳ ସମୟ ସବୁ ତା’ର ମନେ ପଡ଼ିଲା। ମନେ ପଡ଼ିଲା ସେଇସବୁ ଚମତ୍କାର, ବାସ୍ନାମୟ ସୁନ୍ଦର ଦିନ, ରାତି, ଯେତେବେଳେ ଏମିତି ରୋଗ ତାକୁ ହେଇପାରେ, ଏକଥା ସେ କଳ୍ପନା ବି କରିନଥିଲା।

ଲିଲି ତାକୁ ବହିପଢ଼ା ଗପସବୁ କହୁଥିଲା।

କାରଣ ଲିଲି ତାର ପାଠ ଓ ବହିର ଦୁନିଆଁରେ ରହୁଥିଲା। ସେ ବହିରୁ ବହୁ ପ୍ରେମ କାହାଣୀ ବି ପଢ଼ିଥିଲା। ଆଉ ତା’ର ବିଶ୍ବାସଥିଲା; ପ୍ରେମ ସବୁ ବିବାହରେ ସରେ। ସବୁ ପ୍ରେମିକ, ପ୍ରେମିକାମାନେ ସ୍ବାମୀସ୍ତ୍ରୀ ହେବା ଉଚିତ୍।(ନହେଲେ ତାକୁ ବିଫଳ ପ୍ରେମ ପର୍ଯ୍ୟ।ୟରେ ଗଣାଯିବ)

ସେଇ ଜହ୍ନରାତିରେ ଆଦିକନ୍ଦ, ଲିଲିକୁ ଫୋନ୍ କଲା। ପଚାରିଲା: ଆମ ପ୍ରେମ?

ଦୁଇ ମିନିଟ୍ କିଛି ଉତ୍ତର ଆସିଲାନି, ଲିଲି ପାଖରୁ।

ଆଦିକନ୍ଦକୁ ହସ ଲାଗିଲା। କହିଲା: ଆରେ, ମୋଟେ ଡରନି। ମୁଁ ଜୋକ୍ କରୁଛି। ଏବେ ମୁଁ ମୋ ବାଁଗୋଡ଼ର ବୁଢ଼ାଆଙ୍ଗୁଠି ଓ ତା’ ପାଖ ଆଙ୍ଗୁଠି ହରେଇ ସାରିଲିଣି। ମୁଁ ଦେଖୁଛି ଆଉ ସେନ୍ସେସନ୍ ନାହିଁ ସେଥିରେ। ଏଣୁ ମତେ ବିଶେଷ କିଛି କଷ୍ଟ ହେଉନି… ହେଲୋ…

(ସେପଟୁ ଗୋଟେ କାନ୍ଦକାନ୍ଦ ଦୀର୍ଘଶ୍ବାସ)

ଓଷଦ ବିଛି କାମ କରୁନି ବୋଧେ। ସବୁବେଳେ ମୋଜା ଓ ଜୋତା ପିନ୍ଧି ମୋ ସରିବା ଜାଗାକୁ ଲୁଚଉଛି। ଅଫିସ୍ ଯାଉନି। ଆଉ ଯାଇବି ପାରିବିନି।

କାରଣ, ୟା’ପରେ ହାତ ଆଙ୍ଗୁଠି ସବୁ ସରିଯିବ।

ତା’ପରେ ମୁହଁ, ନାକ, କାନ ଓ ଅନ୍ୟାନ୍ୟ…

ତା’ପରେ ମତେ ଘର ମାଲିକ ଘରୁ ବାହାରି ଯିବାକୁ କହିବ। ମୁଁ ଘରକୁ ଯାଇପାରିବିନି। କେଉଠି ବି ରହିପାରିବିନି। କହିଲ, ଏତେ ସରିସରି ଯାଉଥିବା ଦେହକୁ ନେଇ ମୁଁ ଯିବି କୁଆଡ଼େ? ହେଲୋ…

ସେପଟୁ କିଛି ଶୁଭିଲା ନାହିଁ।

– ଏକଥା ମୁଁ ତୁମଛଡ଼ା କାହାକୁ ବି କହିପାରିବି ନାହିଁ। କି ଏତେ ସରିବାକୁ ଲୁଚେଇ ପାରିବି ନାହିଁ… ହେଲୋ…

ସେପଟୁ କିଛି ଉତ୍ତର ନାହିଁ।

ଫୋନ୍ କଟିଯାଇଛି ବା କାଟି ଦେଇଛି ଲିଲି।

ଆଦିକନ୍ଦ ହସିଲା।

ଜହ୍ନରାତିରେ ଦେହର ଅସଂଖ୍ୟ କ୍ଷତକୁ ଲୁଚେଇ ସୁନ୍ଦର ଦିଶୁଚି ପାହାଡ଼।

ଜହ୍ନରାତିର ଜୟ ହେଉ।

ଆଦିକନ୍ଦ ଭିତରେ ଅଭିଯୋଗ, ଅଭିମାନ ଆଉ ତିଆରି ହେଉନଥିଲା। ସେ କବାଟ ଖୋଲିଲା। ଦଲ୍କାଏ ଥଣ୍ଡା ପବନ ପଶିଆସିଲା ଘର ଭିତରକୁ। ସେ ବାହାରକୁ ଆସିଲା। ଜହ୍ନ ଆଲୁଅରେ ସବୁ ଦିଶୁଚି ସୁନ୍ଦର। ତା’ ଘର ଆଗର ଥୁଣ୍ଟାଗଛ ବି ଦିଶୁଚି ସୁନ୍ଦର। ମାୟାଚ୍ଛନ୍ନ।

ଆଦିକନ୍ଦ ସେଇ ପାହାଡ଼ ଆଡ଼କୁ ଚାଲିଲା। ସହର ସରିଗଲା। ପାଦଚଲା ରାସ୍ତାରେ ଚାଲିଲା ଆଗକୁ… ଆଗକୁ…। ତଥାପି ପାହାଡ଼ ପାଖରେ ସେ ପହଞ୍ଚି ପାରୁନାହିଁ। ଦୂରକୁ ଦୂରକୁ ଘୂଞ୍ଚିଯାଉଛି ପାହାଡ଼। ସେ ଲିଲି ପରି ଏ ପାହାଡ଼କୁ ବୋଧେ ଛୁଇଁପାରିବ ନାହିଁ। କେବେ ବି।

Comments are closed.