Odisha Link
Bridging the Missing Links in Odisha

କାହା ପକେଟରେ ପାଟକୁରା?

ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ପୁଣି ଆସିଯାଇଛି ନିର୍ବାଚନୀ ଋତୁ।ଆଉ ଦିନ କେଇଟା ପରେ ଜୁଲାଇ ୨୦ରେ ପାଟକୁରାରେ ହେବ ବିଧାନସଭା ନିର୍ବାଚନ। ସେଥିପାଇଁ ବିଭିନ୍ନ ରାଜନୈତିକ ଦଳ ଅଙ୍କକଷା ଆରମ୍ଭ କରି ସାରିଲେଣି। ନିର୍ବାଚନକୁ ନେଇ ନେତା ମନ୍ତ୍ରୀ ଜାଗତିଆର ହେବା ସହିତ ଲୋକଙ୍କ ମନ ଜିଣିବା ପାଇଁ ପ୍ରୟାସ ଆରମ୍ଭ କରି ସାରିଲେଣି। ପାଟକୁରା ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ନିର୍ବାଚନୀ ଋତୁର ଉଷ୍ମତା ବଢିବାରେ ଲାଗୁଛି । ନେତାଠୁ ଆରମ୍ଭ କରି କର୍ମୀ ସମସ୍ତେ ଘରଘର ବୁଲି ନିଜନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । ଗାଁ ଗାଁରେ ସଭାସମିତି ଓ ନେତା-କର୍ମୀଙ୍କ ମେଳି ଜମିବାର ଦେଖିବାକୁ ମିଳୁଛି। ତେବେ ଗୋଟିଏ କଥା ସ୍ପଷ୍ଟ, ନେତା ଯେତିକି ଉତ୍ସାହ ଦେଖାଉଛନ୍ତି ସେତିକି ଉତ୍ସାହ ପାଟକୁରା ଭୋଟରଙ୍କ ନିକଟରେ ଦେଖିବାକୁ ମିଳୁନାହିଁ। କହିବାକୁ ଗଲେ ପାଟକୁରା ଭୋଟରଙ୍କ ମନରେ ସେତେଟା ଆଗ୍ରହ ଓ ଉଦ୍ଦୀପନା ନାହିଁ।

ଏଥର ପାଟକୁରାରେ ବିଜୁ ଜନତା ଦଳ ଓ ଏକଦା ବିଜୁଙ୍କର ରାଜନୈତିକ ଦାୟାଦ ଭାବେ ଖ୍ୟାତ ବିଜୟ ମହାପାତ୍ରଙ୍କ ମଧ୍ୟରେ ଲଢେଇ ହେବ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ଆକଳନ କରୁଛନ୍ତି। ବିଜୟ ମହାପାତ୍ର ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ହେଲେ ହେଁ ଦଳ ଅପେକ୍ଷା ତାଙ୍କ ବ୍ୟକ୍ତିତ୍ୱ ଏଥର ଅଧିକ ଉକୁଟି ଉଠୁଛି ବୋଲି ଚର୍ଚ୍ଚା ହେଉଛି। ଅନ୍ୟ ପଟେ ବିଜେଡିରେ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ବ୍ୟକ୍ତିତ୍ୱ ଅପେକ୍ଷା ଦଳର ଦବଦବା ଅଧିକ ରହିଛି।


ତେବେ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଦେଖିଲେ ଜଣା ପଡ଼ୁଛି ଯେ ବିଜେଡ଼ି-ବିଜେପି ଭାଇ ଭାଇ। ପାଟକୁରାକୁ ନେଇ ୨ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଏ ପର୍ଯ୍ୟନ୍ତ କୌଣସି କଥା କଟାକଟି ବା କାଦୁଅଫିଙ୍ଗା ଆରମ୍ଭ ହୋଇନାହିଁ। ବିଜେଡି ତା’ର ମନ୍ତ୍ରୀ ଏବଂ ବିଧାୟକଙ୍କୁ ନେଇ ନିର୍ବାଚନ ପ୍ରଚାର ଆଗକୁ ବଢ଼େଇଥିବା ବେଳେ ବିଜେପିର ବିଜୟ ମହାପାତ୍ର ତାଙ୍କ ସମର୍ଥକ ଏବଂ କିଛି ବରିଷ୍ଠ ନେତାଙ୍କୁ ନେଇ ନିର୍ବାଚନ ପ୍ରଚାରରେ ଲାଗିପଡ଼ିଛନ୍ତି। ତେବେ ବିଜେଡି-ବିଜେପି ଭାଇ ଭାଇର କଳିରୁ କଂଗ୍ରେସ ଫାଇଦା ନେବାକୁ ଚେଷ୍ଠା କଲାଭଳି କୌଣସି ଲକ୍ଷଣ ଏଯାଏଁ ଦିଶୁନାହିଁ।


ବିଜେଡି ପାଟକୁରା ନିର୍ବାଚନ ଜିତିବାକୁ ନିଜ ସମ୍ମାନର ପ୍ରଶ୍ନ ବୋଲି ବିବେଚନା କରି କଳ-ବଳ-କୌଶଳ ଲଗାଇଥିବା ବେଳେ ବିଜେପି ଏଠାରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଅଭିଜ୍ଞତା ଓ ସ୍ୱାଭିମାନକୁ ମୁଖ୍ୟ ଅସ୍ତ୍ର କରି ନିର୍ବାଚନୀ ବୈତରଣୀପାର ହେବାକୁ ଲକ୍ଷ୍ୟ ରଖିଛି। ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀଙ୍କୁ ପ୍ରାର୍ଥୀ କରି ସହାନୁଭୂତି ଭୋଟ୍ ହାତେଇବାକୁ ଚେଷ୍ଠା କରୁଛି । ହେଲେ ଏଥର ସହାନୁଭୂତି ଅପେକ୍ଷା ସ୍ୱାଭିମାନ, ପ୍ରଚାର ଶୈଳୀ ଓ ଅର୍ଥ ବଳ ଅଧିକ ବଳ ଦେଖାଇବା ଭଳି ମନେ ହେଉଛି। ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ଭାବମୂର୍ତ୍ତି ମୁଖ୍ୟ ସମ୍ବଳ ହୋଇଛି। ସେହିପରି କଂଗ୍ରେସର ଜୟନ୍ତ ମହାନ୍ତି ନିଜସ୍ୱ ସଂଗଠନ ଓ ଲୋକ ସମ୍ପର୍କକୁ ଆଧାର କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି।

Comments are closed.