Odisha Link
Bridging the Missing Links in Odisha

ଆଜି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ

ପୁରୀ : ମହଣ ମହଣ ସୁନାରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିର ସମ୍ମୁଖରେ ତିନିରଥ ରହିଥିବା ବେଳେ ରଥାରୁଢ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ ।
ଆଷାଢ଼ ଶୁକ୍ଳ ଦ୍ବାଦଶୀ ତିଥିରେ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ସକାଳୁ ମଇଲମ, ତଡ଼ପଲାଗି, ଅବକାଶ ନୀତି ସରିଛି । ସାଢେ ୧୦ଟାରେ ଗୋପାଳ ବଲ୍ଲଭ, ଦିନ ଗୋଟାଏରେ ସର୍ବାଙ୍ଗ, ଦିନ ୨ଟାରେ ମଧ୍ୟାନ୍ନ ଧୂପ ପରେ ଅପରାହହ୍ନ ୪ଟାରେ ସୁନାବେଶ ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ ହେବ । ମଧ୍ୟାହ୍ନ ଧୂପ ନୀତି ପରେ ମହାପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସୁନାବେଶ କରାଯିବ ।
ଶ୍ରୀଜିଉ ହସ୍ତପଦ ସହ ଶ୍ରୀଭୁଜ, ଶ୍ରୀପୟର, ପଦପଲ୍ଲବ, ରତ୍ନ ପଦକ, ରତ୍ନକିରଟି, ହଳଭୂଷଳ, ଚକ୍ର, ତିଳକ, ଚନ୍ଦ୍ରିକା, ମୁକୁଟ ଆଦି ୧୩୮ ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ଶୋଭା ପାଇବେ ଶ୍ରୀଜିଉ । ସିହାଂରୀ, ପାଳିଆ, ଖୁଣ୍ଟିଆ, ଭଣ୍ଡାର ମେକାପ, ଚାଙ୍ଗଡା ମେକାପ ସେବକମାନେ ମହାପ୍ରଭୁଙ୍କୁ ସୁନାବେଶ କରାଇବେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଶ୍ରୀମନ୍ଦିର ଭଣ୍ଡାର ଘରୁ ସୁନା, ରୂପା ଓ ରତ୍ନ ଅଳଙ୍କାର ରଥ ଉପରକୁ ଅଣାଯିବ । ସନ୍ଧ୍ୟା ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ ଭକ୍ତ । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ୧୫୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସିଂହଦ୍ବାରଠାରୁ ମାର୍କେଟ୍ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯାଇଛି । ଭକ୍ତମାନେ ବାମପାର୍ଶ୍ବ ରାସ୍ତାରେ ପ୍ରବେଶ କରି ନନ୍ଦିଘୋଷ ରଥ ନିକଟ ଦେଇ ସୁନାବେଶ ଦର୍ଶନ କରି ଡାହାଣ ପାଖଦେଇ ବାହାରିବାର ବ୍ୟବସ୍ଥା କରାଯାଇଛି । ରଥ ଉପରେ ସୁନାବେଶ ସରିବା ପରେ ରାତି ସାଢେ ୧୨ଟାରେ ଚନ୍ଦନ ଲାଗି ଏବଂ ରାତି ଗୋଟାଏରେ ବଡସିଂହାର ବେଶ ଅନୁଷ୍ଠିତ ହେବ । ରବିବାର ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ ।

Comments are closed.