Odisha Link
Bridging the Missing Links in Odisha

ରତ୍ନବେଦୀରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି, ଆଜିଠାରୁ ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା

ପୁରୀ : ଜନ୍ମବେଦୀରେ ଲୀଳାଖେଳା ସାରି ପୁଣି ରତ୍ନସିଂହାସନକୁ ବାହୁଡିଛନ୍ତି ଚତୁର୍ଦ୍ଧାମୂରତି । ୧୩ ଦିନ ହେଲା ଶ୍ରୀମନ୍ଦିର ଆନନ୍ଦବଜାର ଖାଁ ଖାଁ ପଡିବା ପରେ ଆଜିଠାରୁ ଶ୍ରୀମନ୍ଦିରରେ ଅବଢ଼ା ମିଳିବ । ଶ୍ରୀଗୁଣ୍ଡିଚା ସମୟରେ ଭକ୍ତମାନେ ଆଡପ ଅବଢ଼ା ପାଇଥିଲେ । କିନ୍ତୁ ବାହୁଡା ପରଠାରୁ ମହାପ୍ରଭୁ ରଥାରୂଢ଼ ଥିବାରୁ ଭକ୍ତମାନେ ଅବଢ଼ା ପାଇବାରୁ ବଞ୍ଚିତ ଥିଲେ ।
ଗତକାଲି ଶ୍ରୀଜିଉମାନଙ୍କୁ ରୀତିନୀତି ଅନୁସାରେ ପହଣ୍ଡି କରାଯାଇ ନୀଳାଦ୍ରି ବିଜେ ନିଆଯାଇଥିଲା । ଅପରାହ୍ଣ ୩ଟା ବେଳକୁ ଆରମ୍ଭ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ବିଜେ କାହାଳି ବାଜିବା ପରେ ଚକ୍ରରାଜ ମହାପ୍ରଭୁ ସୁଦର୍ଶନଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ନିଆଯାଇଥିଲା । ପରେ ପରେ ବଡ଼ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି କରାଯାଇ ରତ୍ନସିଂହାସନରେ ବିଜେ କରାଯାଇଥିଲା । ଶେଷରେ ଆରମ୍ଭ ହୋଇଥିଲା କାଳିଆ ଠାକୁରଙ୍କ ପହଣ୍ଡି । ପରମ୍ପରା ମୁତାବକ ଜୟବିଜୟ ଦ୍ବାର ନିକଟରେ ବଚନିକା ପରେ ମାଆ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ।
ମହାପ୍ରଭୁଙ୍କ ଏ ଅପୂର୍ବ ଲୀଳା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ଗହଳିରେ ଉଚ୍ଛୁଳିଥିଲା ଶ୍ରୀକ୍ଷେତ୍ର । ରତ୍ନବେଦୀରେ ଦାରୁବ୍ରହ୍ମଙ୍କ ନୀତିକାନ୍ତି ଆରମ୍ଭ ହୋଇଛି। ଆଜି ଚନ୍ଦ୍ରଗ୍ରହଣ ଯୋଗୁଁ ମଧ୍ୟାହ୍ନ ଧୂପ ପରେ ଦ୍ବିତୀୟ ଭୋଗମଣ୍ଡପ ନୀତି ସଂପନ୍ନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।

Comments are closed.