Odisha Link
Bridging the Missing Links in Odisha

ରାଜକୀୟ ସମ୍ମାନ ସହ ପଞ୍ଚଭୂତରେ ଲୀନ ହେଲେ ଅରୁଣ

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀ। ଆଜି ଅପରାହ୍ନ ୩ଟା ୧୭ରେ ଅରୁଣଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ସମ୍ମାନ ସହ ଜେଟଲୀଙ୍କ ପାର୍ଥିବ ଶରୀରର ଶେଷ କୃତ୍ୟ ସଂପନ୍ନ ହୋଇଛି। ଜଣେ ଭଲ ବକ୍ତା, ଆଇନଜୀବୀ, ରଣନୀତିକାର ଜେଟଲୀଙ୍କୁ ନିଗମବୋଧ ଘାଟରେ ଉପସ୍ଥିତ ନେତା-ଜନତା ଅଶ୍ରୁଳ ବିଦାୟ ଦେଇଛନ୍ତି। ଜେଟଲୀଙ୍କ ପାର୍ଥିବ ଶରୀରରେ ତାଙ୍କ ପୁଅ ରୋହନ ମୁଖାଗ୍ନି ଦେଇଛନ୍ତି। ନିଗମବୋଧ ଘାଟରେ ଅନ୍ତିମ ସଂସ୍କାର ହେବା ପୂର୍ବରୁ ପାର୍ଥିବ ଶରୀରକୁ କୈଳାଶ କଲୋନିସ୍ଥିତ ତାଙ୍କ ନିବାସରୁ ପୂର୍ବାହ୍ଣ ୧୦ଟା ୩୦ରେ ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟ କାର୍ଯ୍ୟଳୟକୁ ଅନ୍ତିମ ଦର୍ଶନ ପାଇଁ ନିଆଯାଇଥିଲା।

ଏକ ସୁସଜ୍ଜିତ ଗାଡ଼ିରେ ଜେଟଲୀଙ୍କ ପାର୍ଥିବ ଶରୀର ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଦଳର ବରିଷ୍ଠ ନେତା, କର୍ମକର୍ତ୍ତା, ପ୍ରଶଂସକ ତଥା ସାଧାରଣ ଜନତା ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଅନ୍ତିମ ସଂସ୍କାର ସମୟରେ ଅନେକ ଗୁଡ଼ିଏ ନେତା, ମନ୍ତ୍ରୀ, କର୍ମକର୍ତ୍ତା, ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଲାଲକୃଷ୍ଣ ଆଡଭାନୀ, ରାମ ବିଲାସ ପାସଓ୍ଵାନ, ଜେପି ନଡ୍ଡା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଓ ବାବା ରାମଦେବ ମଧ୍ୟ ଉପସ୍ଥିତ ଥିଲେ।

Comments are closed.