Odisha Link
Bridging the Missing Links in Odisha

ଶୌଚାଳୟ ସହ ସେଲଫି, ମିଳିବ ୫୧ ହଜାର ଟଙ୍କା

ଭୋପାଲ: ସ୍ବଚ୍ଛ ଭାରତ ଅଭିଯାନ। ଏକ ଜନ ଆନ୍ଦୋଳନ ଭାବରେ ଉଭା ହୋଇଛି। ହେଲେ ଏବେବି ବହୁତ ଲୋକ ନିଜ ଘରେ ପାଇଖାନା ନିର୍ମାଣ କରି ନାହାନ୍ତି। ଅପରପକ୍ଷେ ଲୋକେ ନିଜ ଘରେ ପାଇଖାନା ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ପ୍ରକାରର ଯୋଜନା ଆରମ୍ଭ କରାଯାଉଛି। ଏଭଳି ପରିସ୍ଥିତିରେ ମଧ୍ୟ ପ୍ରଦେଶ ସରକାର ମଧ୍ୟ ଲୋକଙ୍କୁ ନିଜ ଘରେ ଶୌଚାଳୟ ନିର୍ମାଣ କରିବା ପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଯେଉଁ ଭାବି ଦମ୍ପତ୍ତି ଶୌଚାଳୟ ଉପରେ ଛିଡ଼ା ହୋଇ ସେଲଫି ଉଠାଇବେ ସେମାନଙ୍କୁ ୫୧ ହଜାର ଟଙ୍କା ଉପହାର ମିଳିବ ବୋଲି ଘୋଷଣା କରାଯାଇଛି। ଏହି ଟଙ୍କା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନୁଯାୟୀ ମିଳିବ ବୋଲି ଭୋପାଳ ମହାନଗର ପାଳିକା କହିଛି। ପ୍ରତି ଘରେ ଶୌଚାଳୟ ରହିଛି କି ନାହିଁ ବିଏମସି ଅଧିକାରୀ ଯାଇ ଦେଖିବା ପରିବର୍ତ୍ତେ ଏପରି ନୂଆ ସର୍ତ୍ତ ରଖିଛନ୍ତି। ଏହି ନିୟମ କେବଳ ଭୋପାଲ ନଗରପାଳିକା ପାଇଁ ନୁହେଁ ବରଂ ଗାଁ ଗୁଡ଼ିକ ପାଇଁ ମଧ୍ୟ ଏହି ସର୍ତ୍ତ ଲାଗୁ ବୋଲି ମହାନଗର ନିଗମ କହିଛି।

ବିଏମସିର ପ୍ରଭାରୀ ସିବି ମିଶ୍ରା କହିଛନ୍ତି ପୂର୍ବରୁ ବିବାହର ୩୦ ଦିନ ପରେ ଶୌଚାଳୟ ନିର୍ମାଣ କଲେ ଏହି ଟଙ୍କା ଦିଆଯାଉଥିଲା। ଏବେ କିନ୍ତୁ ବିବାହ ପୂର୍ବରୁ ଶୌଚାଳୟ ଉପରେ ଭାବି ଦମ୍ପତ୍ତି ଫଟୋ ଉଠାଇ ବିଏମସିକୁ ଦେବା ପାଇଁ ପଡ଼ିବ ବୋଲି ସେ କହିଛନ୍ତି। ଏପରି କରିବା କିଛି ଖରାପ ନୁହେଁ ବୋଲି ବିଏମସି ଅଧିକାରୀ କହିଛନ୍ତି। ସ୍ଥାନୀୟ କଂଗ୍ରେସ ନେତା ରଫିକ କୁରେସୀ କହିଛନ୍ତି କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ଶୌଚାଳୟ ଆସୁଛି। ଏପରି କଲେ ଏହି ଅଭିଯାନକୁ ଆହୁରି ଆଗକୁ ନେଇ ହେବ।

Comments are closed.