Odisha Link
Bridging the Missing Links in Odisha

ସଚିବାଳୟକୁ ୬୦ ପୂରିବ

ଭୁବନେଶ୍ବର: ୧୯୫୯ରୁ ୨୦୧୯। ଆସନ୍ତା ନଭେମ୍ବର ୧୨ ତାରିଖକୁ ରାଜ୍ୟ ସଚିବାଳୟ (ଲୋକସେବା ଭବନ)କୁ ପୂରିବ ୬୦। ପାଦ ଥାପିବ ୬୧ ବର୍ଷରେ। ଏଭଳି ସ୍ମରଣୀୟ ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରିବା ପାଇଁ ବିରାଟ ଆୟୋଜନରେ ଲାଗିଛନ୍ତି ରାଜ୍ୟ ସରକାର। ମହା ଆଡ଼ମ୍ବରେ ପାଳନ ହେବ ଏହି ୬୦ ବର୍ଷର ପୂର୍ତ୍ତି। ପ୍ରକାଶ ପାଇବ ସ୍ବତନ୍ତ୍ର ଲେଖା ଥିବା ପୁସ୍ତକ। ଏହି ପୁସ୍ତକରେ ଏମିତି ତଥ୍ୟ ରଖାଯାଉଛି, ଯାହାକୁ ଥରୁଟିଏ ପଢ଼ିଲେ ସଚିବାଳୟରୁ ଲୋକସେବା ଭବନ ପର୍ଯ୍ୟନ୍ତ ସବୁ କିଛି ଜାଣିହେବ।
୧୯୫୯ ମସିହା ନଭେମ୍ବର ୧୨ ତାରିଖ। ସେଦିନ ଉଦ୍‌ଘାଟନ ହୋଇଥିଲା ଓଡ଼ିଶା ରାଜ୍ୟ ସଚିବାଳୟ। ଉଦ୍‌ଘାଟନ କରିଥିଲେ ତତ୍କାଳୀନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଗୋବିନ୍ଦ ମଲ୍ଲଭ ପନ୍ତ। ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ହରେକୃଷ୍ଣ ମହତାବ। ଇତିମଧ‌୍ୟରେ ଅନେକ ସରକାର ଦଦଳିଛି। ଏହି ସଚିବାଳୟ ସୌଧ ଏଯାବତ୍‌ ୧୪ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ସାରିଲାଣି। ନବୀନ ପଟ୍ଟନାୟକ ଚତୁର୍ଥ ପାଳି ସାରି ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେଣି। କେତେ ପ୍ରଶାସକ ଆସି ଗଲେଣି। ୟା ଭିତରେ ଅନେକ କିଛି ବଦଳିଯାଇଛି ସଚିବାଳୟର। ନାଁ ବି। ଏବେ ଏହା ଲୋକ ସେବା ଭବନ ନାଁରେ ପରିଚିତ। ତେବେ ଆସନ୍ତା ନଭେମ୍ବର ୧୨ ତାରିଖ ଲୋକସେବା ଭବନ (ସଚିବାଳୟ)କୁ ୬୦ ବର୍ଷ ପୁରିବାକୁ ଯାଉଛି। ଏଥିପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ରାଜ୍ୟ ସରକାର। ଯଦିଓ ଏଯାଏଁ ସରକାର ଅନୁଷ୍ଠାନିକ ଭାବେ କିଛି ଘୋଷଣା କରିନାହାନ୍ତି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସେଦିନ ଏକ ବଡ଼ ଉତ୍ସବ ଆୟୋଜନ ହେବ ରାଜ୍ୟ ସଚିବାଳୟ ପରିସରରେ। ପୂରା ସଚିବାଳୟ ସମେତ ସଚିବାଳୟ ମାର୍ଗକୁ ଆଲୋକମାଳାରେ ସଜାଯିବ। ରଙ୍ଗବେରଙ୍ଗର ଫୁଲ ବି ଅସିବ ଆକର୍ଷଣ ବଢ଼ାଇବା ପାଇଁ। ଏହା ପୂର୍ବରୁ ସଚିବାଳୟ କୋଠାକୁ ନୂଆ ରଙ୍ଗରେ ସଜାଯିବ।
ସଚିବାଳୟ ପରିସରରେ ଏକ ବିରାଟ ସଭା ଆୟୋଜନ ପାଇଁ ଯୋଜନା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଉଦ୍‌ବୋଧନ ଦେବାର ସମ୍ଭାବନା ରହିଛି। ଏହି ଉଦ୍‌ବୋଧନରେ ସେ ସଚିବାଳୟ କର୍ମଚାରୀମାନଙ୍କୁ ଆଦର୍ଶ କାର୍ଯ୍ୟ ଶୈଳୀ ନେଇ ପରାର୍ମଶ ଦେବେ। ୫-ଟି ମନ୍ତ୍ରକୁ କାର୍ଯ୍ୟକାରୀ କରି ରାଜ୍ୟବାସୀଙ୍କୁ ସେବା ଦେବା ପାଇଁ ଆହ୍ବାନ ଦେବା। ଓଡ଼ିଶା ସଚିବାଳୟ କିଭଳି ସାରା ଦେଶ ପାଇଁ ଆଦର୍ଶର ଆଲୋକ ବର୍ତ୍ତିକା ହୋଇପାରିବ, ସେ ବାବଦରେ ଅନେକ କିଛି ବୁଝାଇବେ।
ସବୁଠାରୁ ବଡ଼ କଥା ହେଲା ଏଭଳି ଏକ ସୁଭ ଅବସରରେ ସଚିବାଳୟ ଉପରେ ଆଧାରିତ ଏକ ସ୍ବତନ୍ତ୍ର ପୁସ୍ତକ ସେଦିନ ଉନ୍ମୋଚନ କରାଯିବ। ଏହି ପୁସ୍ତକରେ ସଚିବାଳୟର ସବୁ ତଥ୍ୟ ଉପଲବ୍ଧ ହେବ। ସଚିବାଳୟର ଆରମ୍ଭ କେମିତି ହୋଇଥିଲା? କିଏ ଶୁଭ ଦେଇଥିଲେ? କେମିତି ଏହାର ନିର୍ମାଣ ହେଲା? ସବୁ ତଥ୍ୟ ମିଳିବ ଏହି ପୁସ୍ତକରେ। ଖାଲି ସେତିକି ନୁହେଁ, ସଚିବାଳୟର ବିଶେଷ ମୁହୂର୍ତ୍ତଗୁଡ଼ିକର ବିରଳ ଫଟୋଗୁଡ଼ିକ ମଧ୍ୟ ଏଥିରେ ସ୍ଥାନ ପାଇବ। ସଚିବାଳୟରେ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କ ଉପସ୍ଥିତି ଓ ବୈଠକର ଫଟୋ ରହିପାରେ। ପୁରୁଣା ସ୍ମୃତିକୁ ତାଜା କରିବା ପାଇଁ ଏମିତି ଅନେକ କିଛି ଯୋଜନା ହୋଇଛି। ଅପେକ୍ଷା ନଭେମ୍ବର ୧୨କୁ।

Comments are closed.