ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା: ଅନୁଭବଙ୍କ ଗିରଫ ଦାବିରେ ବିକ୍ଷୋଭ କଲା ବିଜେପି

କଟକ : ମହିଳା ସାମ୍ବାଦିକଙ୍କୁ ଖରାପ ବ୍ୟବହାର କରି ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ସାଂସଦ ଅନୁଭବ ମହାନ୍ତିଙ୍କ ଗିରଫ ଦାବିରେ ରାଜ୍ୟ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି। କଟକ ନଗର ବିଜେପି ପକ୍ଷରୁ ଗୌରୀଶଙ୍କର ପାର୍କ ପାଖରେ ପ୍ଲାକାର୍ଡ ଧରି ସାଂସଦ ଅନୁଭବଙ୍କ ବିରୋଧରେ ନାରା ଦେବା ସହ ଗିରଫ ଦାବି କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଓ ଅନୁଭବଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ସୂଚନାଯୋଗ୍ୟ, ଗତକାଲି ଜଣେ ମହିଳା ସାମ୍ବାଦିକ ଅନୁଭବ ଓ ତାଙ୍କ ଭାଇ ଅନୁପ୍ରାସଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏନେଇ ପୁରୀଘାଟ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି। ହେଲେ ସାଂସଦଙ୍କୁ ଗିରଫ କରାଯାଉନଥିବାରୁ, ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି। ତେବେ ଗତକାଲି ଅନୁଭବ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।