Odisha Link
Bridging the Missing Links in Odisha

୬ ଜୁଲାଇ ରୁ ଆରମ୍ଭ ହେବ ବିଜେପିର ସାଂଗଠନିକ ପର୍ବ

ଭୁବନେଶ୍ୱର : ବିଜେପିର ସାଂଗଠନିକ ପର୍ବ ଜୁଲାଇ ୬ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି । ସେହି ଦିନ ଠାରୁ ଦଳର ସଦସ୍ୟତା ଅଭିଯାନ ଆରମ୍ଭ ହେବ । ଏହା ପରେ ସଦସ୍ୟତା ଆଧାରରେ ଦଳର ପୁନର୍ବିନ୍ୟାସ ହେବା ସହ ନୂଆ ଦାୟିତ୍ୱ ବଣ୍ଟନ କରାଯିବ । ପ୍ରତି ବୁଥ ସ୍ତର ଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସବୁଠାରେ ସଭ୍ୟ ସଂଗ୍ରହ ଅଭିଯାନକୁ ବ୍ୟାପକ କରାଯିବ । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ରାଜ୍ୟ ପଦାଧିକାରୀ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି । ଏହା ସହ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅପାରଗତାକୁ ବୈଠକରେ ନିନ୍ଦା କରାଯାଇଥିଲା ।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଥିଲେ ବାତ୍ୟା ଫନି ପରେ ରାଜ୍ୟ ସରକାର ବାତ୍ୟା ପ୍ରଭାବିତଙ୍କୁ ଥଇଥାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଅନ୍ୟ ପଟେ ରାଜ୍ୟରେ ଧାନ କିଣାବିକାରେ ବ୍ୟାପକ ଅନିୟମିତତା ହୋଇଛି । ମିଲର୍ସମାନେ ମନମୁଖୀ କାମ କରୁଥିଲା ବେଳେ ମନ୍ତ୍ରୀ, ଅଫିସରମାନେ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି । ଆଜି ବି ଅନେକ ମଣ୍ଡିରେ ଧାନ ଉଠି ନାହିଁ । ଆଉ ଦିନ କେଇଟା ପରେ ବର୍ଷା ଆରମ୍ଭ ହୋଇଯିବ । ଏହା ଉପରେ ସରକାର ତୁରନ୍ତ ଧ୍ୟାନ ଦେବା ପାଇଁ ବୈଠକରେ ଦାବି କରାଯାଇଥିଲା । ସେହିପରି ଦିନକୁ ଦିନ ରାଜ୍ୟରେ ନିର୍ବାଚନୀ ପରବର୍ତ୍ତୀ ହିଂସା ବଢ଼ିବାରେ ଲାଗିଛି । ଶାସକ ଦଳ ରକ୍ତ ମୁଖା ସାଜିଛି । ପୁଲିସର ବର୍ବରତା ମଧ୍ୟ ସୀମା ଲଘିଂଛି । ନବରଙ୍ଗପୁର ପୁଲିସ ମାଡରେ ମୃତୁ୍ୟବରଣ କରିଥିବା ଗୋବର୍ଦ୍ଧନଙ୍କ ପରିବାରକୁ କ୍ଷତିପୂରଣ ଭାବରେ ୨୦ ଲକ୍ଷ ଟଙ୍କା ଦେବାକୁ ଦାବି କରାଯାଇଛି । ସେହିପରି ଶାସକ ଦଳର ବିଧାୟକ ସରୋଜ ମେହେର ଓ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିଯୋଗ ଆସିଲା ପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ତାହାକୁ ବୈଠକରେ ନିନ୍ଦା କରାଯାଇଥିଲା ।
ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ହୋଇଥିବା ପଦାଧିକାରୀ ବୈଠକରେ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ଗିରିଧର ଗମାଙ୍ଗୋ, ପୃଥିରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ମାନସ ମହାନ୍ତି, ଅମିତାଭ ଚକ୍ରବର୍ତ୍ତୀ, ଅନନ୍ତ ନାୟକ ଓ ସାରଦା ପ୍ରସାଦ ଶତପଥୀଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।

Comments are closed.