Odisha Link
Bridging the Missing Links in Odisha

ସଂସଦର ଉଭୟ ଗୃହରେ ସମ୍ବୋଧନ କଲେ ରାଷ୍ଟ୍ରପତି, କଣ କହିଲେ ପଢ଼ନ୍ତୁ…

ନୂଆଦିଲ୍ଲୀ: ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି। ଏହାସହ ସେ କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନରେ ଜନତା ସ୍ପଷ୍ଟ ବହୁମତ ଦେଇଛନ୍ତି। ଗତ ପାଞ୍ଚ ବର୍ଷରେ ନାଗରିକମାନେ ବୁଝି ସାରିଛନ୍ତି ଯେ ସରକାର ସେମାନଙ୍କ ପାଇଁ। ଏଥର ସାଧାରଣ ନିର୍ବାଚନରେ ୬୧ କୋଟିରୁ ଅଧିକ ଲୋକ ଭୋଟ୍‌ ଦେଇ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ‘ସବ୍‌କେ ସାଥ୍‌, ସବ୍‌କା ବିକାଶ’ ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଗୁରୁବାର ପୂର୍ବାହ୍ନରେ ପାର୍ଲାମେଣ୍ଟ୍‌ର ସେଣ୍ଟ୍ରାଲ୍‌ ହଲ୍‌ରେ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ଲୋକସଭାର ନୂତନ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବା ଓମ୍‌ ବିର୍ଲାଙ୍କୁ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିନନ୍ଦନ ଜଣାଇଛନ୍ତି।

ଏତଦବ୍ୟତୀତ ରାଷ୍ଟ୍ରପତି ତାଙ୍କ ଉଦ୍‌ବୋଧନରେ କଣ କହିଲେ ଜାଣନ୍ତୁ:
୧- ଏକବିଂଶ ଶତାବ୍ଦୀର ଅନ୍ୟତମ ବଡ଼ ଚାଲେଞ୍ଜ୍‌ ହେଉଛି ଜଳ ସଙ୍କଟ। ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱତାପାୟନ ଏହି ସମସ୍ୟାକୁ ଆହୁରି ଉତ୍କଟ କରୁଛି। ନୂତନ ମନ୍ତ୍ରାଳୟ ‘ଜଳ ଶକ୍ତି’ର ଏ ଦିଗରେ ଏକ ପଦକ୍ଷେପ ବୋଲି ସେ କହିଛନ୍ତି।
୨- ପ୍ରଧାନମନ୍ତ୍ରୀ କିଷାନ୍‌ ସମ୍ମାନ ନିଧି ଦେଶର ପ୍ରତ୍ୟେକ କୃଷକଙ୍କ ନିକଟରେ ପହଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ଚାଷୀ, କ୍ଷୁଦ୍ର ବ୍ୟବସାୟୀଙ୍କୁ ସସମ୍ମାନ ଜୀବନ ଧାରଣ କରାଇବା ପାଇଁ ସରକାର ସେମାନଙ୍କ ପାଇଁ ପେନ୍‌ସନ୍‌ ଯୋଜନା କାର୍ଯ୍ୟକାରୀ କରିଛନ୍ତି।
୩- ଗଙ୍ଗା ସହ ଅନ୍ୟ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ନମାମି ଗଙ୍ଗେ ଭଳି ଏଥିପାଇଁ ମଧ୍ୟ ସ୍ୱତନ୍ତ୍ର ଯୋଜନା ଆରମ୍ଭ ହେବ। ପେରିୟାର ଓ ମହାନଦୀ ଭଳି ନଦୀକୁ ପ୍ରଦୂଷଣ ମୁକ୍ତ କରାଯିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି।
୪- ଜାତୀୟ ପ୍ରତିରକ୍ଷା ପାଣ୍ଠିରୁ ସହିଦ ସୈନିକମାନଙ୍କ ପିଲାମାନଙ୍କୁ ମିଳୁଥିବା ବୃତ୍ତିରାଶି ବଢ଼ାଇ ଦିଆଯାଇଛି। ପ୍ରଥମ ଥର ଲାଗି ସହିଦ ରାଜ୍ୟ ପୁଲିସ କର୍ମଚାରୀଙ୍କୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ସେ କହିଛନ୍ତି।
୫- ଗାଁମାନଙ୍କରେ ଏବଂ ଉତ୍ତରପୂର୍ବରେ ବ୍ୟାଙ୍କ୍‌ ସେବା ଉପଲବ୍ଧ କରାଇବା ପାଇଁ ସରକାର ଦ୍ରୁତ ପଦକ୍ଷେପ ନେଉଛି।
୬- ଶକ୍ତିଶାଳୀ, ସୁରକ୍ଷିତ ଏବଂ ସମ୍ମିଳିତ ଭାରତ ଗଠନ କରିବାକୁ ସରକାର ଆଗେଇ ଚାଲିଛି। ଦେଶର ୧୧୨ଟି ଅନୁନ୍ନତ ଜିଲ୍ଲାର ଉନ୍ନତି ପାଇଁ ବଡ଼ଧରଣର କାମ ଆରମ୍ଭ ହେଇଛି।
୭- ଗରିବମାନଙ୍କ ପାଇଁ ସରକାର ଆବାସିକ ଓ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେଉଛନ୍ତି। ସେମାନଙ୍କୁ ସଶକ୍ତ କରିପାରିଲେ ଦାରିଦ୍ର୍ୟ ହଟିବ।
୮- ଆୟୁଷ୍ମାନ ଭାରତ ଯୋଜନାରେ ୨୬ ଲକ୍ଷ ଗରିବ ରୋଗୀ ଉପକୃତ ହୋଇଛନ୍ତି। ୨୦୨୨ ସୁଦ୍ଧା ୧. ୫ ଲକ୍ଷ ନିରାମୟ କେନ୍ଦ୍ର କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି।
୯- ଦେଶରେ ମହିଳାମାନଙ୍କୁ ସମାନ ଅଧିକାର ଦେବା ପାଇଁ ତିନ୍‌ ତଲାକ୍‌ ଏବଂ ନିକା ହଲାଲା ଭଳି ପ୍ରଥା ଉଠାଯିବା ଜରୁରୀ। ଆମ ଭଉଣୀ ଓ ଝିଅମାନଙ୍କ ଜୀବନକୁ ସରସ ସୁନ୍ଦର ପାଇଁ ସହଯୋଗ କରିବାକୁ ମୁଁ ସମସ୍ତ ସଦସ୍ୟଙ୍କୁ ନିବେଦନ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି।
୧୦- ଜିଏସ୍‌ଟି ଲାଗୁ ହେବା ପରେ ‘ଏକ ଦେଶ, ଏକ ଟିକସ, ଏକ ବଜାର’ ନୀତି ବାସ୍ତବ ରୂପ ନେଇଛି। ଖୁବ୍‌ ଶୀଘ୍ର ଶିଳ୍ପନୀତି ଘୋଷଣା କରାଯିବ ଏବଂ ଜିଏସ୍‌ଟି ସରଳୀକରଣ ପାଇଁ ଉଦ୍ୟମ ଚାଲୁ ରହିବ। ୨୦୨୪ ସୁଦ୍ଧା ଭାରତୀୟ ଅର୍ଥନୀତିକୁ ୫ ଟ୍ରିଲିୟନ୍‌ ଡଲାର୍‌ କରିବା ନିମନ୍ତେ ସରକାର ଲକ୍ଷ୍ୟ ରଖିଛନ୍ତି।
୧୧- ଭାରତୀୟ ବୈଜ୍ଞାନିକମାନେ ଚନ୍ଦ୍ରାୟନ-୨ ପାଇଁ ପ୍ରସ୍ତୁତି କରୁଛନ୍ତି। ମହାକାଶକୁ ପ୍ରଥମ ଭାରତୀୟ ପ୍ରେରଣ କରିବା ଲାଗି ଯୋର୍‌ଦାର୍‌ କାର୍ଯ୍ୟ ଚାଲିଛି।
୧୨- ଜିଲ୍ଲାସ୍ତରରୁ ଯୁବ ଖେଳାଳିମାନଙ୍କୁ ଚିହ୍ନଟ କରିବା ପାଇଁ ସରକାର ‘ଖେଲୋ ଇଣ୍ଡିଆ ପ୍ରୋଗ୍ରାମ୍‌’ ଯୋଜନା କରୁଛନ୍ତି।
୧୩- ନୂତନ ସରକାରଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ସୁରକ୍ଷିତ ଦେଶ ଗଠନ। ଆତଙ୍କବାଦ ମାମଲାରେ ସମଗ୍ର ବିଶ୍ୱ ଭାରତ ସମପକ୍ଷରେ ଠିଆ ହୋଇଛି। ଏହାର ପ୍ରମାଣ ହେଉଛି ମାସୁଦ ଆଝରକୁ ଜାତିସଂଘ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା।

Comments are closed.