Odisha Link
Bridging the Missing Links in Odisha

୧୨୦ ବାଟାଲିୟାନରେ ଶହୀଦଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର

ଭୁବନେଶ୍ବର: ବିଳମ୍ବିତ ରାତିରେ ଓଡ଼ିଶାରେ ପହଞ୍ଚିଲା ଶହୀଦ ଯବାନ ଅଜିତ ସାହୁଙ୍କ ମରଶରୀର। ଶହୀଦ ଯବାନଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ୧୨୦ ବାଟାଲିୟାନକୁ ନିଆଯାଇଥିଲା। ସେଠାରେ ଶହୀଦଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ସିଆରପିଏଫ୍‌ ଡିଜି ତଥା ବରିଷ୍ଠ ବିଜେପି ନେତା ପ୍ରକାଶ ମିଶ୍ର ପ୍ରମୁଖ ଶହୀଦଙ୍କୁ ଗାର୍ଡ ଅଫ୍‌ ଅନର ଦେଇଥିଲେ। ଏହା ପରେ ମରଶରୀର ଜନ୍ମମାଟି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବଡ଼ସୁଆଁଳ ଗାଁକୁ ନିଆଯାଇଛି। ସେଠାରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ। ସୂଚନାଥାଉକି, ୨୦୧୫ ମସିହାରେ ସେନାରେ ଯୋଗ ଦେଇଥିଲେ ଅଜିତ। ମାତ୍ର ୪ ବର୍ଷର ଚାକିରି ଭିତରେ ଦେଶ ପାଇଁ ଶହୀଦ ହୋଇଛନ୍ତି ସେ। ସୋମବାର ଜାମ୍ମୁ କାଶ୍ମୀର ପୁଲଓ୍ଵାମାରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ଆହତ ହୋଇଥିଲେ ଅଜିତ୍‌ । ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ମର ଶରୀରକୁ ନେଇ ଆସିବାକୁ ଥିବା ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବାରୁ ଆସି ପାରିନଥିଲା। ମୃତକଙ୍କ ପରିବାରକୁ ୨୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Comments are closed.