ବିଶ୍ବ ଯୋଗ ଦିବସ: ସରିଲା ଯୋଗ, ଆସନ ନେବାକୁ ମାଡ଼ଗୋଳ

ନୂଆଦିଲ୍ଲୀ: ଆଜି ହେଉଛି ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ। ଭାରତ ସହିତ ସାରା ବିଶ୍ୱ ପାଳନ କରୁଛି ଯୋଗ ଦିବସ। ଏହି ଅବସରରେ ହରିଆଣାର ରୋହତକରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ସମସ୍ତେ ଯୋଗ କରିଥିଲେ। ତେବେ କାର୍ଯ୍ୟକ୍ରମ ଶେଷ ହେବା ପରେ ସେଠାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ସେଠାରେ ଯୋଗ କରିବାକୁ ବିଛା ଯାଇଥିବା ଆସନଗୁଡ଼ିକୁ ନେବା ପାଇଁ ଲୋକଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗାଭ୍ୟାସ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏକ ହଜାର ଲୋକଙ୍କ ପାଇଁ ଏଠାରେ ଆସନ ମଧ୍ୟ ବିଛା ଯାଇଥିଲା। ତେବେ କାର୍ଯ୍ୟକ୍ରମ ଶେଷ ହେବା ମାତ୍ରେ ଲୋକେ ଆସନ ଧରି ଦୌଡ଼ିବାରେ ଲାଗିଲେ। ଆସନ ନ ନେବାକୁ ଆୟୋଜକମାନେ କହିଥିଲେ ସୁଦ୍ଧା, କେହି ସେମାନଙ୍କ କଥା ଶୁଣି ନଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ସେହିପରି ଆସନ ନେବାକୁ ନେଇ ଲୋକଙ୍କ ମଧ୍ୟରେ ଟଣାଓଟରା ଓ ମାଡ଼ଗୋଳ ସ୍ଥିତି ବି ସୃଷ୍ଟି ହୋଇଥିଲା।