ନିଆରା ଢଙ୍ଗରେ ନିର୍ବନ୍ଧ

ପୁରୀ: ନିଆରା ଢଙ୍ଗରେ ନିଜର ନିର୍ବନ୍ଧ ଉତ୍ସବ କରିଛନ୍ତି ଯୁବ ସମାଜସେବୀ ରାଜଶେଖର ଲାହା। ଭୋଜିଭାତ, ଫଟୋଉଠା, ସାଜସଜ୍ଜା ବିବର୍ଜିତ ସମ୍ପୂର୍ଣ୍ଣ ଅପାରମ୍ପରିକ ଶୈଳୀରେ ପୁରୀରେ ନିଜର ଭାବୀ ପତ୍ନୀ ରୂପାଙ୍କୁ ମୁଦି ପିନ୍ଧାଇଛନ୍ତି ରାଜଶେଖର। ପୁରୀ ଶ୍ରୀମନ୍ଦିର ପରିସରରେ ମହାଲକ୍ଷ୍ମୀ ମନ୍ଦିରରେ ହିନ୍ଦୁ ରୀତି ଅନୁସାରେ ରାଜଶେଖର ଓ ରୂପାଙ୍କର ମୁଦିପିନ୍ଧା ସମ୍ପନ୍ନ ହୋଇଛି।
ବିବାହ ଭଳି ମୁଦିପିନ୍ଧା ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଫଟୋ ଓ ଭିଡିଓଗ୍ରାଫିର ପ୍ରଚୁର ପ୍ରଚଳନ ଥିବା ବେଳେ ରାଜଶେଖରଙ୍କ ନିର୍ବନ୍ଧରେ କିନ୍ତୁ ଫଟୋଉଠା ନ ଥିଲା କି ନ ଥିଲା ଭୋଜିଭାତ, ବାଣ ଓ ସାଜସଜ୍ଜା। ଶ୍ରୀମନ୍ଦିର ପରିସରରେ କ୍ୟାମେରା ପ୍ରବେଶ ନିଷେଦ୍ଧ ଥିବା ବେଳେ ସେଠାରେ କୌଣସି ପ୍ରକାର ଉତ୍ସବ ଆୟୋଜନ ବା ଭୋଜିଭାତ ପାଇଁ ମଧ୍ୟ ଅନୁମତି ନାହିଁ। ଅତିଥିମାନେ ଆନନ୍ଦବଜାରରେ ପ୍ରସାଦ ସେବନ କରିଥିଲେ। ଅବଶ୍ୟ ପରେ ସେମାନେ ମନ୍ଦିର ବାହାରକୁ ଆସି ଫଟୋ ମଧ୍ୟ ଉଠାଇଥିଲେ।
ଏଭଳି ଗୋଟିଏ ସ୍ଥାନରୁ ସେ ନିଜ ଯୁଗ୍ମଜୀବନର ପହିଲି ଯାତ୍ରା ଆରମ୍ଭ କରିବାକୁ କାହିଁକି ବାଛିଲେ ବୋଲି ପ୍ରଶ୍ନର ଉତ୍ତରରେ ରାଜଶେଖର କହିଛନ୍ତି, ସେ ଆଜନ୍ମ ଜଗନ୍ନାଥ ଭକ୍ତ। ଆଜିକାଲି ଯେଭଳି ଉତ୍ସୃଙ୍ଖଳତା ଭିତରେ ବିବାହ ଓ ଅନ୍ୟାନ୍ୟ ଉତ୍ସବ ଆଦି ହେଉଛି ତାହା ବିରୋଧରେ ଯୁବପିଢ଼ି ମଧ୍ୟରେ ଏକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସେ ଶ୍ରୀମନ୍ଦିରକୁ ବାଛିଥିବା କହିଛନ୍ତି। ମୁଦିପିନ୍ଧା ଅନ୍ୟତ୍ର କେଉଁଠି ହୋଇଥିଲେ ଫଟୋ ଉଠିଥାଆନ୍ତା, ଉପସ୍ଥିତ ଅତିଥିମାନଙ୍କ ପାଇଁ ସ୍ମରଣୀୟ ଦିନଟି କ୍ୟାମେରା ଫ୍ରେମରେ ଧରିହୋଇ ଥାଆନ୍ତା। କିନ୍ତୁ ଏ ନିରାଡମ୍ବର ମୁଦିପିନ୍ଧା ଆମ ଦୁହିଁଙ୍କ ପାଇଁ ଅଧିକ ସ୍ମରଣୀୟ ବୋଲି ରାଜଶେଖର କହିଛନ୍ତି।
ଶ୍ରୀ ଲାହା ଯାଜପୁର, ଭୁବନେଶ୍ବର ଓ କନ୍ଧମାଳରେ ବିଭିନ୍ନ ସମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛନ୍ତି। ଖୁବ୍ ଶୀଘ୍ର ସେ ବିବାହ କରିବାକୁ ଯାଉଥିବା ବେଳେ ନିଜର ବିବାହକୁ ମଧ୍ୟ ଭିନ୍ନ ଢଙ୍ଗରେ ଆୟୋଜନ କରିବାକୁ ସେ ଚେଷ୍ଟା କରୁଥିବା କହିଛନ୍ତି।
Comments are closed.