Odisha Link
Bridging the Missing Links in Odisha

ଇଞ୍ଜିନିୟରଙ୍କୁ କାଦୁଅ ଫିଙ୍ଗି ବନ୍ଧା ହେଲେ କଂଗ୍ରେସ ବିଧାୟକ

ମୁମ୍ବାଇ: ଦିନକୁ ଦିନ ବଢି ଚାଲିଛି ରାଜନେତାଙ୍କ ଦବଙ୍ଗଗିରି। ଜଣେ ଇଞ୍ଜିନିୟରଙ୍କ ଉପରେ କାଦୁଅ ଫିଙ୍ଗିବା ସହ ବାନ୍ଧିବା ଘଟଣା ମହାରାଷ୍ଟ୍ରର କଂଗ୍ରେସ ବିଧାୟକଙ୍କୁ ମହଙ୍ଗା ପଡ଼ିଛି। ସରକାରୀ ଅଫିସରଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ଅଭିଯୋଗରେ କଂଗ୍ରେସ ବିଧାୟକ ନିତେଶ ରାଣେ ଓ ତାଙ୍କ ଦୁଇ ଜଣ ସମର୍ଥକଙ୍କୁ ପୁଲିସ୍‌ ଗିରଫ କରିଛି। ବିଧାୟକ ନିତେଶ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ବିଧାୟକ ଓ ତାଙ୍କ ୪୦ରୁ ୫୦ ଜଣ ସମର୍ଥକଙ୍କ ବିରୋଧରେ ଆଇପିସି ଧାରା ୩୫୩, ୩୪୨,୩୩୨, ୩୨୪,୩୨୩, ୧୨୦(A), ୧୪୭, ୧୪୩, ୫୦୪ ଓ ୫୦୬ରେ ମାମଲା ରୁଜୁ କରାଯାଇଛି।

ସୂଚନାଥାଉକି, ମୁମ୍ୱାଇ-ଗୋଆ ହାଇୱେ ନିକଟରେ ଥିବା ପୋଲ ଉପରେ କଂଗ୍ରେସ ବିଧାୟକ ନିତେଶ ଓ ତାଙ୍କ ସମର୍ଥକମାନେ ରାସ୍ତା କାମର ସମୀକ୍ଷା ପାଇଁ ଯାଇଥିଲେ। ରାସ୍ତା କାମ ବହୁତ ନିମ୍ନମାନର ହୋଇଥିବା ଦେଖିବାକୁ ପାଇଥିଲେ। ଏହାପରେ ଉଭୟ ବିଧାୟକ ଓ ତାଙ୍କ ସମର୍ଥକ ଇଞ୍ଜିନିୟର ପ୍ରକାଶ ଶେଡକରଙ୍କୁ ଗାଳିଗୁଲଜ କରିଥିଲେ। ଏହାପରେ ପ୍ରକାଶଙ୍କ ଉପରକୁ କାଦୁଅ ଫିଙ୍ଗିଥିଲେ। ଏହାପରେ ମଧ୍ୟ ସେମାନଙ୍କ ରାଗ ଶାନ୍ତ ହୋଇନଥିଲା। ସଂଘବଧ ଭାବରେ ସମ୍ପୃକ୍ତ ଇଞ୍ଜିନିୟରଙ୍କୁ ନିକଟରେ ଥିବା ଖୁଣ୍ଟିରେ ବାନ୍ଧି ଦେଇଥିଲେ। ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପୂର୍ବରୁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ବିଧାୟକ ସରୋଜ ମେହେର ରାସ୍ତା କାମ ନିମ୍ନ ମାନର ହୋଇଥିବା ଦର୍ଶାଇ ଜଣେ ଇଞ୍ଜିନିୟରଙ୍କୁ ବସ୍ଉଠ କରିଥିଲେ। ଏବେ ସେ ଜେଲରେ ଅଛନ୍ତି।

Comments are closed.